ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଅନେକ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର ନିଜସ୍ଵ ପୌରାଣିକ ତଥା ଐତିହାସିକ ମହତ୍ଵ ରହିଛି। ମହାରାଷ୍ଟ୍ରରେ ଥିବା ଏଲୋରା କୈଳାଶ ମନ୍ଦିର ଏହି ମନ୍ଦିରଗୁଡ଼ିକ ଭିତରୁ ଅନ୍ୟତମ। କୁହାଯାଏ ଏହି ମନ୍ଦିରକୁ ତିଆରି କରିବାକୁ ୧୦୦ବର୍ଷରୁ ଅଧିକ ସମୟ ଲାଗିଥିଲା।

ମହାରାଷ୍ଟ୍ର ଔରଙ୍ଗାବାଦ ଜିଲ୍ଲାର ଏଲୋରା ଗୁମ୍ଫା ମଧ୍ୟରେ ରହିଛି ଏଲୋରା କୈଳାସ ମନ୍ଦିର। ଏହି ମନ୍ଦିରର ୨୭୪ ଫୁଟ ଉଚ୍ଚ ଓ ୧୫୪ ଫୁଟ ଚଉଡ଼ା। କେବଳ ଗୋଟିଏ ପଥରକୁ କାଟି ଏହାକୁ  ତିଆରି କରାଯାଇଛି।

୭୫୭ ରୁ ୭୮୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏହି ମନ୍ଦିର ନିର୍ମାଣ ଚାଲିଥିଲା। ମନ୍ଦିର ନିର୍ମାଣ କାର୍ଯ୍ୟରେ ପ୍ରାୟ ୭ହଜାର ଶ୍ରମିକ ନିୟୋଜିତ ହୋଇଥିବା ନେଇ ଇତିହାସକାରମାନେ ମତ ଦିଅନ୍ତି। ବିଶେଷ କରି ଏହି ମନ୍ଦିର ନିର୍ମାଣରେ ପଲ୍ଲବା ଓ ଚାଳୁକ୍ୟ କାରିଗରମାନେ ଲାଗିଥିଲେ।

ଏଲୋରାର ୧୬ତମ ଗୁମ୍ଫାରେ ରହିଛି ଏଲୋରା କୈଳାଶ ମନ୍ଦିର। କୁହାଯାଏ ଏହି ମନ୍ଦିର ନିର୍ମାଣ ବେଳେ ୪୦ହଜାର ଟନ୍ ବିଶିଷ୍ଟ ପାହାଡ଼କୁ କାଟିବାକୁ ପଡ଼ିଥିଲା। ଏହି ମନ୍ଦିରକୁ ହିମାଳୟର କୈଳାଶ ପର୍ବତ ସଦୃଶ ରୂପ ଦେବାକୁ ଚେଷ୍ଟା କରାଯାଇଥିଲା। ତେଣୁ ଏହାକୁ କୈଳାଶ ମନ୍ଦିର ବୋଲି କୁହାଯାଏ।

ଅଷ୍ଟମ ଶତାବ୍ଦୀରେ ରାଷ୍ଟ୍ରକୁଟ ରାଜବଂଶର ତତ୍କାଳୀନ ରାଜା ନରେଶ କୃଷ୍ଣ ଏହି ମନ୍ଦିର ତିଆରି କରିଥିଲେ। ଯେଉଁମାନେ ହିମାଳୟ ଯାଇ ପାରୁନଥିଲେ ସେମାନେ ଏହି ମନ୍ଦିରରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କରିପାରିବେ ବୋଲି ରାଜାଙ୍କ ବିଶ୍ଵାସ ରହିଥିଲା। ଏହି ମନ୍ଦିରରେ କେବେ ଭଗବାନ ଶିବ ପୂଜା ପାଇ ନାହାନ୍ତି। ଆଜି ବି ମନ୍ଦିରକୁ କୌଣସି ପୂଜାରୀ ଆସନ୍ତିନି କି ଭଗବାନ ଶିବଙ୍କ ପୂଜା ହୁଏନି। ଏଠାରେ କେବେ ପୂଜାର୍ଚ୍ଚନା ହୋଇଥିବା କୌଣସି ପ୍ରମାଣ ମିଳିନାହିଁ।

ମୋଗଲ ଶାସନ ସମୟରେ ମୋଗଲ ସମ୍ରାଟ ଔରାଙ୍ଗଜେବ ଏହି ମନ୍ଦିରକୁ ଭାଙ୍ଗିବାକୁ ସୈନ୍ୟ ପଠାଇଥିଲେ। ତେବେ ଔରାଙ୍ଗଜେବଙ୍କ ସୈନ୍ୟମାନଙ୍କୁ ମନ୍ଦିର ଭାଙ୍ଗିବାକୁ ଦୁଇବର୍ଷ ସମୟ ଲାଗିଥିଲା। ଏହାପରେ ମଧ୍ୟ ସେମାନେ ମନ୍ଦିର ଭାଙ୍ଗି ପାରିନଥିଲେ। ଏଥିପାଇଁ ଆଜି ବି ମନ୍ଦିରର କେତେକ ସ୍ଥାନରେ ଭଗ୍ନାଂଶ ଦେଖିବାକୁ ମିଳିଥାଏ।

୧୯୮୩ ମସିହାରେ ୟୁନେସ୍କୋ ଏହି ମନ୍ଦିରକୁ ଐତିହାସିକ ଶୈବ ସ୍ଥଳର ମାନ୍ୟତା ଦେଇଥିଲା। ପ୍ରତିଦିନ ଲକ୍ଷଲକ୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି।

Comment