ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ମହାମାରୀ କରୋନା ଭାଇରସ ପାଇଁ କୌଣସି ଔଷଧ ବାହାରି ପାରିନାହିଁ। ଏବେ ବିଶ୍ଵର ୧୬ଟି ଅଗ୍ରଣୀ ଔଷଧ କମ୍ପାନି ଏହି ମହାମାରୀର ଟିକା ବାହାର କରିବାରେ ଲାଗି ପଡ଼ିଛନ୍ତି।

ସାରା ବିଶ୍ଵରେ ଏବେ ମହାମାରୀ ରୂପ ନେଇଛି କରୋନା ଭାଇରସ। ଏପର୍ଯ୍ୟନ୍ତ ଏହି ଭାଇରସ ପାଇଁ କୌଣସି ଟିକା ବା ଔଷଧ ବାହାରି ପାରିନାହିଁ। ତେବେ ବିଶ୍ଵର ଜଣାଶୁଣା ଔଷଧ କମ୍ପାନିମାନେ ଏହି ରୋଗର ଉପଚାର ପାଇଁ ଔଷଧ ବାହାର କରୁଛନ୍ତି।

କରୋନା ଭାଇରସ ଯୋଗୁଁ ବିଶ୍ଵରେ ୬ଲକ୍ଷ ୩୮ହଜାର ୧୪୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ୩୦ହଜାର ୧୦୫ଜଣଙ୍କ ମୃତ୍ୟୁ ହୋଇଛି। କରୋନା ଭାଇରସକୁ ରୋକିବାକୁ ବିଶ୍ଵ ପ୍ରମୁଖ ୧୬ଟି ଔଷଧ କମ୍ପାନି ଏହାର ଟିକା ବାହାର କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ସେହି ୧୬ଟି ପ୍ରମୁଖ କମ୍ପାନିଗୁଡ଼ିକ ହେଲା, ବାୟୋଟେକ ଏଣ୍ଡ୍ ଫାଇଜର ଇନକର୍ପୋରେଟେଡ, ଗିଲିୟଡ୍ ସାଇନ୍ସ ଇନକର୍ପୋରେଟେଡ, ଗ୍ଲାକ୍ସୋ ସ୍ମିଥ କ୍ଲାଇନ, ହିଟ୍ ବାୟୋଲୋଜିକ୍ସ ଇନକର୍ପୋରେଟେଡ, ଇନୋଭିଓ ଫାର୍ମାସିଆଲ୍ ଇନକର୍ପୋରେଟେଡ, ଜନ୍‌ସନ୍ ଏଣ୍ଡ ଜନ୍‌ସନ୍‌, ମଡେର୍ଣ୍ଣା ଇନକର୍ପୋରେଟେଡ, ନୋଭାକ୍ସ ଇନକର୍ପୋରେଟେଡ, ରେଜେନେରନ୍ ଫାର୍ମାସିଆଲ୍, ରେଜେନେରନ୍ ଫାର୍ମାସିଆଲ୍ ଆଣ୍ଡ୍ ସାନୋଫି, ରୋଜ ହୋଲ୍ଡିଂ ଏଜି, ସାନୋଫି, ଟାକେଡା ଫାର୍ମାସିଆଲ୍ କମ୍ପାନୀ ଲିମିଟେଡ୍ ଓ ଭାକ୍ସଆର୍ଟ ଇନକର୍ପୋରେଟେଡ।

ବାୟୋଟେକ ଏଣ୍ଡ୍ ଫାଇଜର ଇନକର୍ପୋରେଟେଡ

ଫାଇଜର ଓ ବାୟୋଟେକ ଦୁଇଟି ଅଲଗା ଔଷଧ କମ୍ପାନି। ଏହି ଦୁଇଟି କମ୍ପାନି ମିଳିତ ଉଦ୍ୟମରେ କରୋନା ଭାଇରସର ଟିକା ବାହାର କରିବାକୁ ଗବେଷଣା ଚଳାଇଛନ୍ତି। ଯଥାଶୀଘ୍ର କରୋନା ଟିକା ପ୍ରସ୍ତୁତ ହୋଇଯିବା ନେଇ ଆଶା ରଖିଛି କମ୍ପାନି। ଏପ୍ରିଲ ଶେଷ ସୁଦ୍ଧା କରୋନା ଟିକା ଜର୍ମାନୀ ଓ ଯୁକ୍ତରାଷ୍ଟ୍ର ଆମେରିକାକୁ ଯୋଗାଇ ଦିଆ ଯାଇପାରିବ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି।

ଗିଲିୟଡ୍ ସାଇନ୍ସ ଇନକର୍ପୋରେଟେଡ

ଗିଲିୟଡ୍ ସାଇନ୍ସ ହେପାଟାଇଟିସ-ସି ପାଇଁ ଟିକା ବାହାରକୁ କରି ଚର୍ଚ୍ଚାକୁ ଆସିଥିଲା। ଏହାସହ ଏହି କମ୍ପାନି ଏଚଆଇଭି ଭଳି ରୋଗର ପ୍ରତିଶେଧକ ଟିକା ବାହାର କରିଛି। ଏହାସହ ଏହି ଟିକାକୁ ଆମେରିକା ଭଳି ଦେଶରେ ଟ୍ରାଏଲ ମଧ୍ୟ କରିଥିଲା। ଏବେ ଏହି କମ୍ପାନି କରୋନା ଭାଇରସ ପାଇଁ ଟିକା ବାହାର କରିବାକୁ ଚେଷ୍ଟା ଚଳାଇଛି। ଗତ ଫେବ୍ରୁଆରି ମାସରୁ ହିଁ ଏହି କମ୍ପାନି କରୋନା ପାଇଁ ଟିକା ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଥିଲା। ନିମୋନିଆ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଔଷଧର ଫର୍ମୁଲାକୁ ନେଇ ଏହି କମ୍ପାନି କରୋନା ପାଇଁ ଔଷଧ ବାହାର କରୁଛି।

corona virus

ଗ୍ଲାକ୍ସୋ ସ୍ମିଥ କ୍ଲାଇନ

ଗ୍ଲାକ୍ସୋ ସ୍ମିଥ କ୍ଲାଇନ ବିଶ୍ଵର ଏକ ଅଗ୍ରଣୀ ଔଷଧ କମ୍ପାନି। ଏହି କମ୍ପାନି ହ୍ୟୁମାନ ପାପିଲୋମ ଭାଇରସର ଟିକା ବାହାର କରି ଚର୍ଚ୍ଚାକୁ ଆସିଥିଲା। ଏବେ ଆଡୁଭାଣ୍ଟ ପ୍ଲାଟଫର୍ମ ଟେକ୍ନୋଲୋଜି ମାଧ୍ୟମରେ କରୋନା ଭାଇରସ ପାଇଁ ଟିକା ବାହାର କରିବାକୁ ଲାଗିଛି। ଏହି ଟେକ୍ନୋଲୋଜି ଦ୍ଵାରା ପ୍ରସ୍ତୁତ ହେଉଥିବା ଔଷଧ ଶରୀର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ସହାୟକ ହେବ।

ହିଟ୍ ବାୟୋଲୋଜିକ୍ସ ଇନକର୍ପୋରେଟେଡ

ହିଟ୍ ବାୟୋଲୋଜିକ୍ସ ଇନକର୍ପୋରେଟେଡ ଔଷଧ କମ୍ପାନି କରୋନା ଭାଇରସ ପାଇଁ ଟିକା ପ୍ରସ୍ତୁତ କରୁଥିବା ନେଇ ସୂଚନା ଦେଇଛି। ଏଥିପାଇଁ ୪୧ଜଣ କରୋନା ଆକ୍ରାନ୍ତ ରକ୍ତ ନମୁନା ନେଇ ଗବେଷଣା କରାଯାଉଛି। ଡ୍ରାଫ୍ଟ ଲ୍ୟାଣ୍ଡସ୍କେପ ଟେକ୍ନୋଲୋଜି ମାଧ୍ୟମରେ ଏହି ଟିକାର ବିକାଶ କରାଯାଉଛି।

ଇନୋଭିଓ ଫାର୍ମାସିଆଲ୍ ଇନକର୍ପୋରେଟେଡ

କରୋନା ଭାଇରସ ପାଇଁ ଟିକା ପ୍ରସ୍ତୁତ କରି ସାରିଛି ବୋଲି ଏହି ଔଷଧ କମ୍ପାନି ପକ୍ଷରୁ ସୂଚନା ମିଳିଛି। ତେବେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହି କମ୍ପାନିକୁ ଅନୁମତି ମିଳିନାହିଁ। ଏପ୍ରିଲ ମାସରେ ଯୁକ୍ତରାଷ୍ଟ୍ର ଆମେରିକାରେ ୩୦ଜଣ କୋରନା ଆକ୍ରାନ୍ତ ଦେହରେ ଏହି ଟିକା ପରୀକ୍ଷା କରାଯିବ। ଏବେ କରୋନା ଆକ୍ରାନ୍ତଙ୍କ ପାଇଁ ୩ହଜାର ଡୋଜ୍ ମହଜୁଦ ରହିଛି ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି।

ଜନ୍‌ସନ୍ ଏଣ୍ଡ ଜନ୍‌ସନ୍‌

ଇମ୍ୟୁନୋ ଥେରାପି ପାଇଁ ଏହି କମ୍ପାନି ଟିକା ବାହାର କରି ଚର୍ଚ୍ଚାକୁ ଆସିଥିଲା। ଏହି କମ୍ପନି ଏବେ କରୋନା ଭାଇରସ ପାଇଁ ଟିକା ବାହାର କରି ସାରିଥିବା ସୂଚନା ଦେଇଛି। ତେବେ ଏହାକୁ ବ୍ୟବହାର କରିବାକୁ ଅନୁମତି ମିଳିପାରିନାହିଁ। ଫେବ୍ରୁଆରି ମାସରେ ଏହାର ପ୍ରିକ୍ଲିନିକାଲ ପରୀକ୍ଷା କରାଯାଇଥିଲା। ତେବେ ଆଗମୀ ଦିନରେ ଏହାକୁ କରୋନା ସଂକ୍ରମିତଙ୍କ ଦେହରେ ପରୀକ୍ଷା କରାଯିବା ବୋଲି କମ୍ପାନି ସୂଚନା ଦେଇଛି।

ମଡେର୍ଣ୍ଣା ଇନକର୍ପୋରେଟେଡ

ମଡେର୍ଣ୍ଣା ଇନକର୍ପୋରେଟେଡ ମାର୍ଚ୍ଚ ୧୬ ତାରିଖରୁ କରୋନା ଭାଇରସ ପାଇଁ ଟିକା ବାହାର କରିବାକୁ ଗବେଷଣା ଆରମ୍ଭ କରିଛି। ଜୁନମାସ ସୁଦ୍ଧା ଏହି ଟିକା ତିଆରି ହୋଇଯିବ ବୋଲି କମ୍ପାନି ସୂଚନା ଦେଇଛି। ବର୍ତ୍ତମାନ ଏହି ଟିକାର ପ୍ରିକ୍ଲିନିକାଲ ପରୀକ୍ଷା କରାଯାଉଛି।

ନୋଭାଭାକ୍ସ ଇନକର୍ପୋରେଟେଡ

ନୋଭାଭାକ୍ସ ଇନକର୍ପୋରେଟେଡ ଏକ ପ୍ରିକ୍ଲିନିକାଲ୍ ବାୟୋଟେକ୍ନୋଲୋଜି କମ୍ପାନି। ଫେବ୍ରୁଆରି ମାସରୁ ଏହି କମ୍ପାନି ଟିକା ପ୍ରସ୍ତୁତ କରିବା ଆରମ୍ଭ କରିଥିଲା। ଏବେ କରୋନା ଭାଇରସ ଟିକା ବିକଶିତ ହୋଇସାରିଥିବା ନେଇ କମ୍ପାନି ସୂଚନା ଦେଇଛି। ତେବେ ଏହାର ପ୍ରିକ୍ଲିନିକାଲ ପରୀକ୍ଷା ହେବା ବାକି ରହିଛି। ପ୍ରିକ୍ଲିନିକାଲ ପରୀକ୍ଷା ପାଇଁ କମ୍ପାନିକୁ ଅନୁମତି ମିଳିନାହିଁ। ପ୍ରିକ୍ଲିନିକାଲ ପରୀକ୍ଷା ଶେଷ ହେଲେ ଜୁନ ମାସ ସୁଦ୍ଧା କରୋନା ଭାଇରସ ପାଇଁ ଔଷଧ ଉପଲବ୍ଧ ହୋଇପାରିବ ବୋଲି କମ୍ପାନି ସୂଚନା ଦେଇଛି।      

 

ରେଜେନେରନ୍ ଫାର୍ମାସିଆଲ୍

ଏହି କମ୍ପାନି ଫେବ୍ରୁଆରି ମାସରୁ କରୋନା ଭାଇରସ ପାଇଁ ଟିକା ପ୍ରସ୍ତୁତ କରୁଥିବା ଘୋଷଣା କରିଥିଲା। ଭେଲୋକିମୁନ୍ ପ୍ଲାଟଫର୍ମ ଜେନେଟିକାଲ୍ ଇଞ୍ଜିନିୟରିଂ ଟେକ୍ନୋଲୋଜି ମାଧ୍ୟମରେ ଏହି କମ୍ପାନି ଟିକା ପ୍ରସ୍ତୁତ କରୁଛି। ଅଗଷ୍ଟ ଶେଷ ସୁଦ୍ଧା ଏହି ଔଷଧ ଉପଲବ୍ଧ ହେବ ବୋଲି କମ୍ପାନି ସୂଚନା ଦେଇଛି।

ରେଜେନେରନ୍ ଫାର୍ମାସିଆଲ୍ ଆଣ୍ଡ୍ ସାନୋଫି

ମାର୍ଚ୍ଚ ୧୬ତାରିଖରେ ଏହି ଔଷଧ କମ୍ପାନି କରୋନା ଆକ୍ରାନ୍ତଙ୍କ ପାଇଁ ଟିକା ବାହାର କରିଥିବା ସୂଚନା ଦେଇଥିଲା। ତେବେ ଏହାର ପ୍ରିକ୍ଲିନିକାଲ ପରୀକ୍ଷା ହୋଇନଥିବାରୁ ଏହାକୁ ସ୍ଵୀକୃତି ଦିଆଯାଇନାହିଁ। ଏହି ଔଷଧର ନାମ ରହିଛି କେଜଭେରା। ଶରୀରରେ ଥିବା ଅମ୍ଲଜାନକୁ ଏହା ହ୍ରାସ ହେବାକୁ ଦିଏ ନାହିଁ।

ରୋଜ ହୋଲ୍ଡିଂ ଏଜି

ନିମୋନିଆ ଭଳି ରୋଗୀଙ୍କ ପାଇଁ ଏହି ଔଷଧ କମ୍ପାନି ଟିକା ବାହାର କରିଥାଏ। ଏହି ଫର୍ମୁଲାକୁ ନେଇ କରୋନା ଭାଇରସ ପାଇଁ ମଧ୍ୟ ଟିକା ବାହାର କରୁଛି ଏହି କମ୍ପାନି। ଏହି କମ୍ପାନି କରୋନା ଟିକା ବାହାର କରିବା ସହ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଛି। କ୍ଲିନିକାଲ ପରୀକ୍ଷାରେ ସଫଳ ହେଲେ ଏହା କରୋନା ଆକ୍ରାନ୍ତଙ୍କ ପାଇଁ ସହୟକ ହେବ ବୋଲି ଆଶା ରଖିଛି କମ୍ପାନି।

ସାନୋଫି

ଫେବ୍ରୁଆରି ୧୮ ତାରିଖରୁ କରୋନା ପାଇଁ ଔଷଧ ପ୍ରସ୍ତୁତ କରୁଛି ଏହି କମ୍ପାନି। ରେକମ୍ବିନାଣ୍ଟ DNA ପ୍ଲାଟଫର୍ମ ବ୍ୟବହାର କରି ଏହି ଔଷଧ ତିଆରି କରାଯାଉଛି। ପୂର୍ବୁର ଫ୍ଲୁ ଭଳି ରୋଗ ପାଇଁ ଟିକା ବାହାର କରି ଏହି କମ୍ପାନି ଚର୍ଚ୍ଚା କୁ ଆସିଥିଲା। ଶୀଘ୍ର କରୋନା ପାଇଁ ଔଷଧ ବାହାର କରାଯାଇ ଏହାର କ୍ଲିନିକାଲ ପରୀକ୍ଷା କରାଯିବ ବୋଲି କମ୍ପାନି ସୂଚନା ଦେଇଛି।

corona-virus-test

ଟାକେଡା ଫାର୍ମାସିଆଲ୍ କମ୍ପାନୀ ଲିମିଟେଡ୍

ବିଭିନ୍ନ ସଂକ୍ରମକ ରୋଗ ପାଇଁ ଏହି ଔଷଧ କମ୍ପାନି କାମ ଟିକା ବାହାର କରି ଆସୁଛି। କରୋନା ଭଳି ମାରାତ୍ମାକ ଭାଇରସ ପାଇଁ ହାଇପରାଇମ୍ୟୁନ ଗ୍ଲୋବୁଲିନ ପଦ୍ଧତୀରେ ଔଷଧ ପ୍ରସ୍ତୁତ କରିବାକୁ ଯୋଜନା କରୁଛି ଏହି କମ୍ପାନି। କରୋନାରୁ ସୁସ୍ଥ ହୋଇ ଫେରିଥିବା ଲୋକମାନଙ୍କ ପ୍ଲାଜମା ଏହି ପଦ୍ଧତୀ ପାଇଁ ଆବଶ୍ୟକ ରହିଛି।

ଭାକ୍ସଆର୍ଟ ଇନକର୍ପୋରେଟେଡ

ଜାନୁଆରି ୩୧ ତାରିଖରୁ ଏହି କମ୍ପାନି କରୋନା ପାଇଁ ଟିକା ବିକଶିତ କରିଛି। ଏମର୍ଜେଣ୍ଟ୍ ବାୟୋସୋଲ୍ୟୁସନ୍ ପଦ୍ଧତୀରେ ଏହି କମ୍ପାନି ଟିକା ପ୍ରସ୍ତୁତ କରିଛି। ଶୀଘ୍ର ଏହାର ପ୍ରିକ୍ଲିନିକାଲ ଆରମ୍ଭ ହେବ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି।

ବାୟୋଟେକ୍ନୋଲୋଜି ଇନକର୍ପୋରେଟେଡ

ଫେବ୍ରୁଆରି ୨୫ତାରିଖରୁ ଏହି କମ୍ପାନିକୁ କରୋନା ପାଇଁ ଔଷଧ ତିଆରି କରିବାକୁ ଅନୁମତି ମିଳିଥିଲା। ଏହି କମ୍ପାନି ମୋନୋକ୍ଲୋନାଲ ଆଣ୍ଟିବଡି ମାଧ୍ୟମରେ ଏହି କମ୍ପାନି କରୋନା ଟିକା ତିଆରି କରିଛି। ତେବେ ଏହାକୁ  ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ଵୀକୃତି ମିଳିପାରିନାହିଁ। ଅନୁମତି ମିଳିଲେ ପ୍ରଥମେ ଚୀନରେ ଏହାକୁ ଉପଲବ୍ଧ କରାଯିବ। ଏନେଇ କମ୍ପାନି ସୂଚନା ଦେଇଛି।

ଏହି ଔଷଧ କମ୍ପାନିମାନେ ଔଷଧ ବାହାର କରିବା ପରେ ଏହାକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁମୋଦନ କରିବ। ଏହାପରେ ଏହାକୁ କରୋନା ଆକ୍ରାନ୍ତଙ୍କ ଉପରେ ପରୀକ୍ଷା କରାଯିବ।

ବର୍ତ୍ତମାନ ବିଶ୍ଵର ୧୯୯ଦେଶରେ କରୋନା ଭାଇରସ ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ୬ଲକ୍ଷରୁ ଅଧିକ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୩ ହଜାର ୩୯ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କରୋନାଠାରୁ ରକ୍ଷା ପାଇଁ ବାରମ୍ବାର ସମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି।

Comment