ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଟ୍ରେନ୍‌ରେ ସାମାଜିକ ଦୂରତା ଉପରେ ଦିଆଯିବ ଗୁରୁତ୍ୱ।

ରେଳ ମନ୍ତ୍ରାଳୟ ପକ୍ଷରୁ ୧୫ ତାରିଖରୁ ଟ୍ରେନ ଚଳାଚଳ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଏକ ପ୍ରୋଟୋକଲ ବା ନିୟମାବଳୀ ପ୍ରସ୍ତୁତ କରାଯାଇଛି। ସେହି ଅନୁସାରେ ଏୟାରପୋର୍ଟ ଭଳି ଯାତ୍ରୀମାନଙ୍କୁ ଚାରି ଘଣ୍ଟା ପୂର୍ବରୁ ଷ୍ଟେସନ ଆସିବାକୁ ପଡ଼ିବ। ଷ୍ଟେସନରେ ଯାତ୍ରୀମାନଙ୍କୁ ଥର୍ମାଲ ସ୍କ୍ରିନିଂ କରାଯିବ। କେବଳ ଯେଉଁମାନଙ୍କ ରିଜର୍ଭ ଟିକେଟ ଅଛି ସେମାନେ ହିଁ ଷ୍ଟେସନରେ ପ୍ରବେଶ କରିପାରିବେ। ଏହି ସମୟ ମଧ୍ୟରେ ପ୍ଲାଟଫର୍ମ ଟିକେଟ ବିକ୍ରି ବନ୍ଦ ରହିବ।

coronaଏସି ଟ୍ରେନ ଚାଲିବନି

ଖବର ଅନୁଯାୟୀ ୧୫ରୁ କେବଳ ନନ୍‌ ଏସି ଟ୍ରେନ ହିଁ ଚାଲିବ। କୌଣସି ଟ୍ରେନରେ ବାତାନୁକୂଳିତ ବଗି ରହିବ ନାହିଁ। ଯାତ୍ରାର ୧୨ ଘଣ୍ଟା ପୂର୍ବରୁ ଯାତ୍ରୀମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେବାକୁ ହେବ। ଯଦି କୌଣସି ଯାତ୍ରୀଙ୍କ ପାଖରେ କରୋନା ଲକ୍ଷଣ ଦେଖାଯାଏ ତାଙ୍କୁ ଯାତ୍ରା ସମୟରେ ଜବରଦସ୍ତ ଟ୍ରେନରୁ ଓହ୍ଲାଇ ଦିଆଯିବ। ଟିକେଟ କ୍ୟାନ୍ସଲ ହେଲେ ଯାତ୍ରୀମାନଙ୍କୁ ୧୦୦ ପ୍ରତିଶତ ରିଫଣ୍ଡ ମିଳିବ। ବରିଷ୍ଠ ନାଗରିକମାନଙ୍କୁ ଟ୍ରେନ ଯାତ୍ରା ନକରିବା ପାଇଁ ପରାମର୍ଶ ଦିଆଯିବ।

ଏଠି ବି ସାମାଜିକ ଦୂରତା

ଯାତ୍ରୀମାନଙ୍କୁ ଟ୍ରେନ ଭିତରେ ସୋସିଆଲ ଡିଷ୍ଟାନ୍ସିଂକୁ ମାନିବାକୁ ପଡ଼ିବ। ଟ୍ରେନର ଚାରୋଟିଯାକ ଦୁଆର ବନ୍ଦ ରହିବ। ଯାହାଫଳରେ ଅନ୍ୟ କୌଣସି ଯାତ୍ରୀ ପ୍ରବେଶ କରିପାରିବେ ନାହିଁ। ଟ୍ରେନଗୁଡ଼ିକ ନନ୍‌ ଷ୍ଟପ ଚାଲିବ। ଅର୍ଥାତ ଆରମ୍ଭରୁ ଶେଷ  ଗନ୍ତବ୍ୟ ସ୍ଥାନ ପର୍ଯ୍ୟନ୍ତ ଟ୍ରେନ ବିନା ରହଣିରେ ଯାତ୍ରା କରିବ। ଆବଶ୍ୟକତା ଅନୁଯାୟୀ ଗୋଟିଏ କି ଦୁଇଟି ଷ୍ଟେସନରେ ଟ୍ରେନ ଅଟକି ପାରେ। କୋଚର ସାଇଡ ବର୍ଥ ଖାଲି ରହିବ, ଏଥିରେ ସାମାଜିକ ଦୂରତା ରକ୍ଷା କରାଯାଇପାରିବ। ତା’ଛଡ଼ା ଗୋଟିଏ କ୍ୟାବିନରେ (ଛଅଟି ବର୍ଥ ମିଶିଲେ ଗୋଟିଏ କ୍ୟାବିନ ହୁଏ) ମାତ୍ର ଦୁଇ ଜଣ ଯାତ୍ରୀ ଯାଇପାରିବେ।

ହାଉସଫୁଲରେ ୧୩୩ ଟ୍ରେନ

ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରୋଟୋକଲକୁ ସରକାରଙ୍କ ପାଖକୁ ପଠାଯାଇଛି। ଏଥିରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇ ପାରିବ। ଉତ୍ତର ଭାରତରେ ୩୦୭ ଟ୍ରେନ ଚଳାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଡଭାନ୍ସ ବୁକିଂ ଯୋଗୁଁ ୧୩୩ ଟ୍ରେନ ଏବେ ହାଉସଫୁଲରେ ଚାଲିଛି। ଯାତ୍ରା ଆରମ୍ଭର କିଛି ଘଣ୍ଟା ପୂର୍ବରୁ ୱେଟିଂ ଲିଷ୍ଟକୁ ରବ୍ଦ କରିଦିଆଯିବ।

ମାସ୍କ ପିନ୍ଧା ବାଧ୍ୟତାମୂଳକ

ଷ୍ଟେସନରେ ଯାତ୍ରୀ ପହଞ୍ଚିବା ପରେ ସେମାନଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ। ଏଥିପାଇଁ ଯାତ୍ରୀମାନଙ୍କୁ ମାମୁଲି ଶୁଳ୍କ ଦେବାକୁ ହେବ। ଟ୍ରେନରେ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ କରାଯିବ। ଟ୍ରେନରେ ରନିଂ ଷ୍ଟାଫ ବି ମାସ୍କ ପିନ୍ଧିବାକୁ ବାଧ୍ୟ। ବଗି ଭିତରକୁ ବାହାରର ବୁଲା ବିକାଳୀ ଆଦୌ ପଶିପାରିବେ ନାହିଁ।

Comment