ଓଡ଼ିଶାଲାଇଭ୍ ଏଣ୍ଟରଟେନ୍‌ମେଣ୍ଟ୍ ବ୍ୟୁରୋ

୯୦ଦଶକରେ ‘ଶକ୍ତିମାନ’ ସିଲିଏଲ୍ ଲୋକପ୍ରିୟତା ହାସଲ କରିଥିଲା। ଟିଆର୍‌ପି ରେଟିଂ ମଧ୍ୟ ଭଲ ରହିଥିଲା। ତେବେ ଏସବୁ ସତ୍ତ୍ଵେ ଏହି ସିରିଏଲକୁ ଅଧାରୁ ବନ୍ଦ କରାଯାଇଥିଲା। କ’ଣ ଏହାର କାରଣ? ଆସନ୍ତୁ ଜାଣିବା।

ଲକ୍‌ଡାଉନ ଯୋଗୁଁ ଏବେ ସମସ୍ତ ପ୍ରକାର ସୁଟିଂ ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କ ମନୋରଞ୍ଜନ ପାଇଁ ଦୂରଦର୍ଶନ ପକ୍ଷରୁ ପୁରୁଣା ଲୋକପ୍ରିୟ ଧାରାବାହିକଗୁଡ଼ିକୁ ପୁନଃ ପ୍ରସାରଣ କରାଯାଉଛି। ଏଥିରେ ଶକ୍ତିମାନ ସିରିଏଲ୍ ମଧ୍ୟ ସାମିଲ ରହିଛି। ୯୦ଦଶକରେ ଶକ୍ତିମାନ ସିରିଏଲ ବହୁ ଲୋକପ୍ରିୟତା ହାସଲ କରିଥିଲା। ଶକ୍ତିମାନ ସିରିଏଲ ଆରମ୍ଭ ହେବା ମାତ୍ରେ ନିଜ ପ୍ରିୟ ସୁପରହିରୋକୁ ଦେଖିବାକୁ ଟିଭି ଆଗରେ ଛୋଟ ପିଲାଙ୍କ ଭିଡ଼ ଜମୁଥିଲା। ତେବେ ଏତେ ଲୋକପ୍ରିୟତା ସତ୍ତ୍ଵେ ଏହି ସିରିଏଲ ବନ୍ଦ କାହିଁକି ହୋଇଥିଲ? ଆସନ୍ତୁ ଜାଣିବା…

‘ଦୂରଦର୍ଶନ ସହ ବିବାଦ’

୧୩ ସେପ୍ଟେମ୍ବର ୧୯୯୭ ମସିହାରେ ଭାରତରେ ପ୍ରଥମ ଥର ପାଇଁ ଏକ ସୁପରହିରୋ ଧାରାବାହିକ ଆରମ୍ଭ ହୋଇଥିଲା। ଏହାର ନାମ ଥିଲା ଶକ୍ତିମାନ। ଶକ୍ତିମାନ ଭୂମିକାରେ ମୁକେଶ ଖନ୍ନା ଅଭିନୟ କରିଥିଲେ। ସେ ଏହି ଧାରାବାହିକର ନିର୍ମାତା ମଧ୍ୟ ଥିଲେ। ଏଭଳି ଏକ ନିଆରା ଶୋ’କୁ ବିଶେଷ କରି ଛୋଟ ପିଲାମାନେ ବେଶ୍ ପସନ୍ଦ କରିଥିଲେ।

ଶନିବାର ସକାଳ ୧୧ଟାରେ ଓ ମଙ୍ଗଳବାର ରାତି ୧୧ଟାରେ ଏହି ଧାରବାହିକ ପ୍ରସାରିତ ହେଉଥିଲା। ପ୍ରାଇମ୍‌ଟାଇମ୍ ହୋଇନଥିଲେ ସୁଦ୍ଧା ଏହି ଧାରାବାହିକ ବେଶ ଲୋକପ୍ରିୟତା ହାସଲ କରିଥିଲା। ସେହି ସମୟରେ ଏହି ଟାଇମ ପାଇଁ ମୁକେଶ ଖନ୍ନାଙ୍କୁ ଦୂରଦର୍ଶନକୁ ୩ଲକ୍ଷ ୮୦ହଜାର ଟଙ୍କା ଦେବାକୁ ପଡ଼ୁଥିଲା। ତେବେ ‘ଶକ୍ତିମାନ’ର ଲୋକପ୍ରିୟତାକୁ ଦେଖି ମୁକେଶ ଖନ୍ନା ଏହାକୁ ରବିବାର ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ରବିବାର ଛୁଟି ଦିନ ହୋଇଥିବାରୁ ‘ଶକ୍ତିମାନ’ ଏହି ଦିନରେ ପ୍ରସାରଣ କରିବାକୁ ଦୂରଦର୍ଶନ କୁ ନିବେଦନ କରିଥିଲେ ମୁକେଶ ଖନ୍ନା। ତେବେ ୧୦୪ଟି ଏପିଶୋଡ ପାଇଁ ଦୂରଦର୍ଶନ ମୁକେଶ ଖନ୍ନାଙ୍କୁ ୭ଲକ୍ଷ ୮୦ ହଜାର ଟଙ୍କା ଦେବାକୁ କହିଥିଲେ। ତେବେ ପରବର୍ତ୍ତୀ ସମୟରେ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ଏହାର କିଛି ଦିନ ପରେ ଏହି ଧନରାଶିକୁ ବଢ଼ାଇ ମୁକେଶ ଖନ୍ନାଙ୍କଠାରୁ ୧୬ଲକ୍ଷ ଟଙ୍କା ଦାବି କରାଯାଇଥିଲା। ଏନେଇ ମୁକେଶ ଖନ୍ନା ଓ ଦୂରଦର୍ଶନ ଅଧିକାରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।

‘ଶକ୍ତିମାନ’ ପାଇଁ ଧନରାଶି କମାଇବା ପାଇଁ ମୁକେଶ ଖନ୍ନା ବାରମ୍ବାର ଦୂରଦର୍ଶନକୁ ଅନୁରୋଧ କରିଥିଲେ। ତେବେ କିଛି ଲାଭ ହୋଇନଥିଲା। ଫଳରେ ବାଧ୍ୟ ହୋଇ ମୁକେଶ ଖନ୍ନାଙ୍କୁ ଏହି ଲୋକପ୍ରିୟ ଧାରାବାହିକକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା। ୨୭ମାର୍ଚ୍ଚ ୨୦୦୫ ମସିହାରେ ଶକ୍ତିମାନ ଶେଷ ଥର ପ୍ରସାରତି ହୋଇଥିଲା।  କିଛି ଦିନ ପୂର୍ବେ ମୁକେଶ ଖନ୍ନା ଏନେଇ ସୋସିଆଲ ମିଡିଆରେ ଭିଡିଓ ଜରିଆରେ ସୂଚନା ଦେଇଥିଲେ।

ପୁନଃ ପ୍ରସାରଣ କରିବାକୁ ହୋଇଥିଲା ଚେଷ୍ଟା  

ଏହି ଧାରାବାହିକ ବନ୍ଦ ହେବାପରେ ଏହାକୁ ପୁନଃ ପ୍ରସାରଣ କରିବାକୁ ଚେଷ୍ଟା କରିଥିଲେ ମୁକେଶ ଖନ୍ନା। ତେବେ କିଛି ଲାଭ ହୋଇନଥିଲା। କେତେକ ଫିଲ୍ମ ନିର୍ମାତା ‘ଶକ୍ତିମାନ’ର କାହାଣୀକୁ କିଣି ଏହାକୁ ପୁନଃ ପ୍ରସାରଣ କରିବାକୁ ଚାହିଁଥିଲେ। ତେବେ ମୁକେଶ ଖନ୍ନା ଶକ୍ତିମାନ ସହ କୌଣସି ମତେ ଜଡ଼ିତ ରହିବାକୁ ଚାହୁଁଥିଲେ। ଫଳରେ ଏହି ସିରିଏଲର କେବେ ଅନ୍ତ ହୋଇ ପାରିନଥିଲା।

ଲକ୍‌ଡାଉନ ପରେ ମହାଭାରତ ସିରିଏଲ୍ ଆରମ୍ଭ ହୋଇଥିଲା। ଏହାପରେ ଶକ୍ତିମାନକୁ ପୁନଃ ପ୍ରସରଣ କରିବାକୁ ମଧ୍ୟ ଲୋକେ ଦାବି କରିଥିଲେ। ଏହାପରେ ଦୂରଦର୍ଶନ ପକ୍ଷରୁ ‘ଶକ୍ତିମାନ’ର ପୁରୁଣା ଏପିଶୋଡ୍ ପୁନଃ ପ୍ରସାରଣ କରାଯାଉଛି।

Comment