ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • ଦେଶରେ ୯,୧୫୨ କରୋନା ଆକ୍ରାନ୍ତ ଚିହ୍ନଟ
  • ମୃତ୍ୟୁ ସଂଖ୍ୟା ୩୦୮, ୮୫୭ ସୁସ୍ଥ
  • ୨୪ ଘଣ୍ଟାରେ ୩୫ ମୃତ, ୭୯୬ ଆକ୍ରାନ୍ତ
  • ମାଲବାହୀ ଗାଡ଼ି ଯିବାରେ କୌଣସି ପ୍ରତିବନ୍ଧକ ନାହିଁ: କେନ୍ଦ୍ର ସରକାର
  • କରୋନା ପାଇଁ ବରଦାନ ସାଜିପାରେ ‘ରେମ୍‌ଡେସିଭିର’ ଔଷଧ

କରୋନା ସମ୍ପର୍କୀତ ତାଜା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଦେଶରେ ୯ ହଜାର ୧୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୃତ୍ୟୁ ସଂଖ୍ୟା ୩୦୮ରେ ପହଞ୍ଚିଥିବା ବେଳେ ୮୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ୨ ଲକ୍ଷ ୬ ହଜାର ୨୧୨ ନମୁନା ପରୀକ୍ଷଣ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୯୬ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାସହ ୧୪୧ ଜଣ ସୁସ୍ଥ ହୋଇଛନ୍ତି।

ଲକ୍‌ଡାଉନ୍‌ ବେଳେ ମାଲବାହୀ ଗାଡ଼ିଗୁଡ଼ିକ ଉପରେ କୌଣସି କଟକଣା ନଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। କୌଣସି ପରିସ୍ଥିତିରେ ମାଲବାହୀ ଗାଡ଼ିକୁ କେହି ଅଟକାଇବେ ନାହିଁ ବୋଲି ସରକାର କହିଛନ୍ତି। ଦେଶରେ ଅତ୍ୟାବଶ୍ରକ ସାମଗ୍ରୀ ପ୍ରଚୁର ପରିମାଣରେ ମହଜୁଦ ଥିବା ଲଭ୍‌ ଅଗ୍ରୱାଲ ସୂଚନା ଦେଇଛନ୍ତି।

ମାଲ୍‌ ଥାଉ କି ନଥାଉ ଟ୍ରକଗୁଡ଼ିକ ରାଜ୍ୟରୁ ରାଜ୍ୟକୁ ଏବଂ ରାଜ୍ୟ ଭିତରେ ଯାତାୟତ କରିପାରିବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।

coronaଏହି ସାମ୍ବାଦିକ ସମ୍ମିଳନୀରେ ଆଇସିଏମ୍‌ଆର ନିର୍ଦ୍ଦେଶକ ରମଣ ଗଙ୍ଗାଖେଡକର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କରୋନା ପାଇଁ ‘ରେମ୍‌ଡେସିଭିର’ ଟାବ୍‌ଲେଟ୍‌ ଭଲ କାମ କରିପାରେ ବୋଲି ସେ ସୂଚନା ଦେଇଛନ୍ତି। ଇବୋଲା ପ୍ରତିହତ ପାଇଁ ଏହି ଔଷଧ ବ୍ୟବହାର କରାଯାଉଥିଲା। କରୋନା ପାଇଁ ଏହାକୁ ବ୍ୟବହାର କରିବା ଲାଗି ପରୀକ୍ଷା ନିରୀକ୍ଷା ଚାଲିଛି। କରୋନା ରୋଗୀଙ୍କ କ୍ଷେତ୍ରରେ ଏହା କେତେକାଂଶରେ ସଫଳ ହୋଇଛି। ହେଲେ ଭାରତରେ ରେମ୍‌ଡେସିଭର ଷ୍ଟକ ନଥିବା ସେ କହିଛନ୍ତି। ଯଦି କୌଣସି ଫାର୍ମା କମ୍ପାନି ଏହାକୁ ତିଆରି କରେ ତାହାଲେ ଭାରତ ପାଇଁ ଭଲ ବୋଲି ସେ ସୂଚନା ଦେଇଛନ୍ତି।

Comment