ଓଡ଼ିଶାଲାଇଭ୍‌ ବ୍ୟୁରୋ 

ମଧୁମେହ ହେଲେ ବ୍ୟକ୍ତିଙ୍କର ରକ୍ତରେ ଶର୍କରାର ମାତ୍ରା ଅଧିକ ହୋଇଯିବା ଯୋଗୁଁ ଦାନ୍ତରେ ଯନ୍ତ୍ରଣା, ଦାନ୍ତ ମୂଳ ଫୁଲିବା, ରକ୍ତ ବାହାରିବା, ସଂକ୍ରମଣ, ମୁଖ ଦୁର୍ଗନ୍ଧ, ଦାନ୍ତ ଉପରେ ପ୍ଲେକ୍ ସୃଷ୍ଟି ହେବା ଓ ଅନ୍ୟାନ୍ୟ ସମସ୍ୟା ହୋଇପାରେ। ଏପରିସ୍ଥଳେ ସତର୍କ ରହି ରକ୍ତଶର୍କରାକୁ ନିୟନ୍ତ୍ରଣ କରିବା ଆବଶ୍ୟକ।

ପ୍ଲେକ୍‌: ଶର୍କରା ଆମର ଲାଳରେ ଥାଏ। ସେହି ତରଳ ପଦାର୍ଥ ମୁହଁକୁ ଓଦା ରଖିଥାଏ। ଯଦି ଶରୀରରେ ଶର୍କରାର ସ୍ତର ନିୟନ୍ତ୍ରଣରେ ନ ରହେ ତା’ ହେଲେ ଲାଳରେ କ୍ଷତିକାରକ କୀଟାଣୁ ସୃଷ୍ଟି ହୋଇଥାଏ। ସେହି କୀଟାଣୁ ଖାଦ୍ୟ ସହିତ ମିଶି ଏକ ଅଠାଳିଆ ପରସ୍ତ ସୃଷ୍ଟି କରିଥାଏ। ତାକୁ ପ୍ଲେକ୍ ବୋଲି କୁହାଯାଏ। ପ୍ଲେକ୍ ଯୋଗୁଁ ଅନେକ ସମୟରେ ଦାନ୍ତରେ ସଂକ୍ରମଣ ହୋଇ ଦାନ୍ତ ସଢ଼ିଯାଏ। କିଛି କ୍ଷେତ୍ରରେ ମୁଖ ଦୁର୍ଗନ୍ଧ ଭଳି ସମସ୍ୟା ବି ହୋଇଥାଏ।

ଜିଙ୍ଗଭାଇଟିସ୍‌: ଯଦି ପ୍ଲେକ୍‌କୁ ଦାନ୍ତରୁ ହଟା ନ ଯାଏ ତା’ ହେଲେ ଏହା ଧୀରେ ଧୀରେ ଶକ୍ତ ହୋଇ ଦାନ୍ତ ଉପରେ ଏକ ପରସ୍ତ ଭଳି ବସିଯାଏ। ଏହାଯୋଗୁଁ ବ୍ରଶ୍ କରିବାରେ ସମସ୍ୟା ହୁଏ। ମାଢ଼ି ଫୁଲିଯିବା ସହିତ ସେଥିରୁ ରକ୍ତ ବାହାରେ। ଏହାକୁ ଦାନ୍ତର ଫୁଲା (ଜିଙ୍ଗଭାଇଟିସ୍‌) ବି କୁହାଯାଏ। ଏହା ହେଉଛି ଦାନ୍ତ ରୋଗର ପ୍ରାଥମିକ ଅବସ୍ଥା।

ପିରିଓଡୋଣ୍ଟାଇଟିସ: ଦାନ୍ତ ଫୁଲାର ଠିକ୍ ସମୟରେ ଚିକିତ୍ସା କରା ନଗଲେ ତାହା ଆଉ ଏକ ଗୁରୁତର ରୋଗ ପିରିଓଡୋଣ୍ଟାଇଟିସରେ ପରିଣତ ହୋଇଯାଏ। ପିରିଓଡୋଣ୍ଟାଇଟିସରେ ଦାନ୍ତ ଧୀରେ ଧୀରେ ମାଢ଼ିଠାରୁ ଅଲଗା ହୋଇଥାଏ। ଏହାଯୋଗୁଁ ଅନେକ ସ୍ଥଳରେ ମଝିରେ ଖାଲି ସ୍ଥାନ ସୃଷ୍ଟି ହୋଇଯାଏ। ସେହି ଖାଲି ସ୍ଥାନ ଦେଇ ସଂକ୍ରମଣ ବଢ଼େ। ଏହି ସଂକ୍ରମଣ ଦୀର୍ଘ ଦିନ ଧରି ରହିଥାଏ। ଏହାଯୋଗୁଁ ଦାନ୍ତ ପୂରା ଢିଲା ହୋଇଯିବାରୁ ତାକୁ ଅନେକ ସ୍ଥଳରେ ବାହାର କରିବାକୁ ପଡ଼ିଥାଏ। ସେହିପରି ମୁଖ ଦୁର୍ଗନ୍ଧ ଅନେକ ଦିନ ଧରି ରହିଥାଏ। ଏପରି ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ।

କ୍ୟାଣ୍ଡିଡାୟାସିସ: କ୍ୟାଣ୍ଡିଡାୟାସିସ୍ ହେଲେ ଅନେକ ସମୟରେ ଦାନ୍ତ, ଜିଭ, ତାଳୁରେ ଧଳା ରଙ୍ଗର ପ୍ୟାଚ ଭଳି ଚିହ୍ନ ଦେଖାଯାଏ। ବେଳେବେଳେ ଏହା ଲାଲ ରଙ୍ଗର ମଧ୍ୟ ହୋଇଥାଏ। ଏହି ପ୍ୟାଚ୍ କିଛି କ୍ଷେତ୍ରରେ ଯନ୍ତ୍ରଣାଦାୟକ ହୋଇନଥିବାବେଳେ ସମୟ ସମୟରେ ଯନ୍ତ୍ରଣା ଦେଇଥାଏ।

ପାଟି ପୋଡ଼ିବା ଭଳି ଲାଗିବା: ରକ୍ତରେ ଶର୍କରାର ପରିମାଣ ବଢ଼ିଗଲେ ପାଟି ପୋଡ଼ିବା ଭଳି ଲାଗିଥାଏ। ପାଟିରେ ଖଟାଳିଆ ସ୍ୱାଦ ଆସିଥାଏ। ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଏପରି ନିଅନ୍ତୁ ଦାନ୍ତର ଯତ୍ନ

-ବ୍ୟାୟାମ, ଯୋଗ, ଧ୍ୟାନ ଦ୍ୱାରା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରନ୍ତୁ ।

-ସବୁଦିନ ସକାଳେ, ରାତିରେ ବିଛଣାକୁ ଯିବା ପୂର୍ବରୁ ନିଶ୍ଚିତ ଭାବେ ବ୍ରଶ୍ କରନ୍ତୁ। ଖାଦ୍ୟ ଖାଇବା ପରେ ଦାନ୍ତରେ ମଇଳା ଜମିଥିବା ଭଳି ଲାଗୁଥିଲେ ଖାଲି ବ୍ରଶ୍ ସାହାଯ୍ୟରେ ତାକୁ ସଫା କରି ନିଅନ୍ତୁ।

-ଫ୍ଲୋରାଇଡ୍‌ଯୁକ୍ତ ଟୁଥପେଷ୍ଟ ଦାନ୍ତକୁ ଦୃଢ଼ କରିବା ସହିତ ଦନ୍ତକ୍ଷୟ ରୋକିଥାଏ। ତେଣୁ ଏହାକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ।

-ଶର୍କରାଜାତୀୟ ଖାଦ୍ୟ, ପାନୀୟକୁ ଏଡ଼ାଇ ଯାଆନ୍ତୁ। ଏହା ଦନ୍ତକ୍ଷୟର କାରଣ ପାଲଟିଥାଏ। ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟିବ୍ୟାକ୍ଟେରିଆଲ ମାଉଥୱାସ ବ୍ୟବହାର କରିପାରିବେ।

-ରାତିରେ ବ୍ରଶ କରିବା ପରେ ଶୋଇବା ପୂର୍ବରୁ କେବେହେଲେ କ୍ଷୀର କିମ୍ବା ଅନ୍ୟ କୌଣସି ପଦାର୍ଥ ଖାଆନ୍ତୁ ନାହିଁ। ଏହା ଦାନ୍ତରେ ବ୍ୟାକ୍ଟେରିଆ ସୃଷ୍ଟି କରିବ।

-ପ୍ରତି ୬ ମାସରେ ଥରେ ଦାନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଆବଶ୍ୟକସ୍ଥଳରେ ଦାନ୍ତକୁ ସଫା କରି ନିଅନ୍ତୁ।

Comment