ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧୁମେହ ରୋଗୀଙ୍କର ରକ୍ତରେ ଶର୍କରାର ପରିମାଣ ଅଧିକ ରହୁଥିବାରୁ ଅନେକ ସମୟରେ ପାଦରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ। ଡାଇବେଟିକ୍ ନ୍ୟୁରୋପାଥି, ପେରିଫେରାଲ ଭାସ୍କୁଲାର ଡିଜିଜ୍ ସେଥିମଧ୍ୟରୁ ଅନ୍ୟତମ।

ଡାଇବେଟିକ୍ ନ୍ୟୁରୋପାଥି: ରକ୍ତରେ ଶର୍କରାର ମାତ୍ରା ଅଧିକ ରହିଲେ ଏହା ଶିରାକୁ କ୍ଷତିଗ୍ରସ୍ତ କରିପାରେ। ଯଦି ଗୋଡ଼ ଓ ପାଦରେ ଶିରା କ୍ଷତିଗ୍ରସ୍ତ ହୋଇଯାଏ, ତା’ହେଲେ ସେଠାରେ ଉତ୍ତାପ, ଥଣ୍ଡା କିମ୍ବା ଯନ୍ତ୍ରଣା ଅନୁଭୂତ ହୁଏନାହିଁ। ଏହି ଅନୁଭବ ଶୂନ୍ୟତାକୁ ଡାଇବେଟିକ୍ ନ୍ୟୁରୋପାଥି ବୋଲି କୁହାଯାଏ। ନ୍ୟୁରୋପାଥି ଯୋଗୁଁ ଯଦି ଆପଣ ପାଦର କୌଣସି ସ୍ଥାନରେ କଟିବା, ଫୁଲିବା ଆଦିକୁ ଅନୁଭବ କରିପାରିବେ ନାହିଁ ତାହେଲେ ସେହିସ୍ଥାନର କ୍ଷତ ଆହୁରି ବୃଦ୍ଧି ହେବ। ସେଥିରେ ସଂକ୍ରମଣ ହେବାର ଆଶଙ୍କା ବି ରହିବ। ଏହାଯୋଗୁଁ ରୋଗୀ ଠିକ୍ ଭାବେ ପାଦ ପକାଇ ପାରିବେ ନାହିଁ।

ପେରିଫେରାଲ ଭାସ୍କୁଲାର ଡିଜିଜ୍‌: ମଧୁମେହ ମଧ୍ୟ ରକ୍ତ ପ୍ରବାହ ଉପରେ ପ୍ରଭାବ ପକାଇଥାଏ। କୌଣସି ସ୍ଥାନକୁ ରକ୍ତପ୍ରବାହ ଠିକ୍ ଭାବେ ନ ହେଲେ ସେହି ସ୍ଥାନର କ୍ଷତ ସହଜରେ ଶୁଖେନାହିଁ। ବାହୁ ଏବଂ ଗୋଡ଼କୁ ରକ୍ତ ପ୍ରବାହ ଠିକ୍ ଭାବେ ନହେଲେ ତାକୁ ପେରିଫେରାଲ ଭାସ୍କୁଲାର ଡିଜିଜ୍ ବୋଲି କୁହାଯାଏ। ଏପରି ହେଲେ ସଂକ୍ରମଣ ସହଜରେ ଭଲ ହୁଏନାହିଁ। ତେଣୁ କ୍ଷତସ୍ଥାନରେ ଅଲସର(ରକ୍ତ ଅଭାବରୁ ଟିସ୍ୟୁର ମୃତ୍ୟୁ ହେବା) ସୃଷ୍ଟି ହେବାର ଆଶଙ୍କା ରହେ। ଏହି ସମସ୍ୟା ହେଲେ ଅକ୍ସିଜେନ୍ ଥେରାପି ଦିଆଯାଏ ନ ହେଲେ ପ୍ରଭାବିତ ସ୍ଥାନରେ ଅସ୍ତ୍ରୋପଚାର କରାଯାଇଥାଏ।

ଆଥଲେଟ୍ସ ଫୁଟ୍‌: ଆଥଲେଟ୍ସ ଫୁଟ ହେଉଛି ଏକପ୍ରକାର କବକ ଯାହାଦ୍ୱାରା ପାଦ କୁଣ୍ଡାଇ ହୁଏ, ନାଲି ପଡ଼େ ଏବଂ ଫାଟିଯାଏ। ଚମଡ଼ାରେ ସୃଷ୍ଟି ହୋଇଥିବା ସେହି ଫଟାସ୍ଥାନ ଦ୍ୱାରା ଜୀବାଣୁ ଶରୀର ମଧ୍ୟକୁ ଯାଇଥା’ନ୍ତି ଏବଂ ସଂକ୍ରମଣ ସୃଷ୍ଟିହୁଏ। ଏହି ରୋଗରୁ ଉପଶମ ପାଇଁ ଫଙ୍ଗସ୍‌କୁ ନଷ୍ଟ କରୁଥିବା ଔଷଧ ଖାଇପାରିବେ କିମ୍ବା କ୍ରିମ୍ ଲଗାଇପାରିବେ। ମଧୁମେହ ରୋଗୀଙ୍କୁ ଏହା ହେବାର ଅଧିକ ଆଶଙ୍କା ଥାଏ।

ଚାରକଟ ଫୁଟ୍‌: ମଧୁମେହ ସମୟ ସମୟରେ ଆପଣଙ୍କ ପାଦର ହାଡ଼କୁ ଏତେ ଦୁର୍ବଳ କରିଦିଏ ଯେ ତାହା ଭାଙ୍ଗିବା ଭଳି ସ୍ଥିତିରେ ପହଞ୍ଚିଯାଏ।  ଶିରା କ୍ଷତିଗ୍ରସ୍ତ ହୋଇଥିବା ଯୋଗୁଁ ଏହା ସହଜରେ ଜଣାପଡ଼େନାହିଁ। ବ୍ୟକ୍ତି ଭଙ୍ଗାହାଡ଼ ସହ ଚାଲିବା ଜାରି ରଖିଥା’ନ୍ତି ତେଣୁ ପାଦର ଆକୃତିରେ ପରିବର୍ତ୍ତନ ହୋଇଯାଏ।

ମଧୁମେହ ରୋଗୀ କିଭଳି ନେବେ ପାଦର ଯତ୍ନ

ନିୟମିତ ଭାବେ ଡାକ୍ତରଙ୍କ ସହ ଆଲୋଚନା କରି ରକ୍ତଶର୍କରାକୁ କମାନ୍ତୁ। ଏଥିପାଇଁ ଅତି କମ୍‌ରେ ଦିନକୁ ୪୦ ମିନିଟ୍ ଧରି ବ୍ୟାୟାମ କରନ୍ତୁ।

ପ୍ରତିଦିନ ଗରମ ପାଣିରେ ପାଦକୁ ଧୁଅନ୍ତୁ। ପାଦର ଆଙ୍ଗୁଳି ମଝିକୁ ସଫା କପଡ଼ା ଦ୍ୱାରା ପୋଛନ୍ତୁ ଯେପରିକି ପାଣି ରହିବ ନାହିଁ। ନ ହେଲେ ସେହି ସ୍ଥାନରେ ସଂକ୍ରମଣର ଆଶଙ୍କା ରହିବ।

ପାଦରେ କୌଣସି ସ୍ଥାନରେ ଖଣ୍ଡିଆ ହେବା, ନାଲି ପଡ଼ିବା, ଫୁଲିବା ଇତ୍ୟାଦି ହୋଇଛି କି ନାହିଁ ତାହା ଯାଞ୍ଚ କରନ୍ତୁ। ଯଦି ପାଦକୁ ରକ୍ତପ୍ରବାହ ଠିକ୍ ଭାବେ ହେଉନଥିବ ତା ହେଲେ ପ୍ରତିଦିନ ଏଥିପ୍ରତି ଧ୍ୟାନ ଦେବା ଜରୁରୀ।

ଯଦି ପାଦ ଅତି ଶୁଖିଲା ହେଉଥାଏ ତାହେଲେ ମଏଶ୍ଚରାଇଜରକୁ ନିୟମିତ ଭାବେ ଲଗାନ୍ତୁ। ଡାକ୍ତରଙ୍କ ସହ କଥା ହୋଇ ଲୋସନ୍ କିଣିପାରିବେ। ତେବେ ଆଙ୍ଗୁଳି ସନ୍ଧିରେ କୌଣସି ପ୍ରକାର ଲୋସନ୍ ଲଗାନ୍ତୁ ନାହିଁ।

ସପ୍ତାହରେ ଥରେ ପାଦ ନଖକୁ କାଟନ୍ତୁ। ତେବେ ନଖର କୋଣକୁ କେବେହେଲେ କାଟନ୍ତୁ ନାହିଁ। ଏହାଦ୍ୱାରା ନଖ ମଧ୍ୟରେ ମଇଳା ପଶିବାର ଆଶଙ୍କା ଥାଏ। ନଖ କାଟିବା ପରେ ଫାଇଲ ଦ୍ୱାରା ତାକୁ ସାଇଜ୍ କରି ନିଅନ୍ତୁ।

ସବୁବେଳେ ପାଦକୁ ଘୋଡ଼ାଇବା ଭଳି ଜୋତା ପିନ୍ଧନ୍ତୁ। ସାଣ୍ଡଲ ପିନ୍ଧିବା କିମ୍ବା ଖାଲି ପାଦରେ ଚାଲିବାକୁ ଏଡ଼ାଇ ଯାଆନ୍ତୁ।

ଯଥାସମ୍ଭବ ମୋଜା ପିନ୍ଧିବାକୁ ଅଭ୍ୟାସ କରନ୍ତୁ। ଏହାଦ୍ୱାରା ପାଦ ବେଶୀ ମଇଳା ହେବନାହିଁ। ସେହିଭଳି ପାଦକୁ ଫିଟ୍ ହେଉଥିବା ପରି ଜୋତା ପିନ୍ଧନ୍ତୁ।

ରକ୍ତପ୍ରବାହ ଠିକ୍ ଭାବେ ହେବା ଲାଗି ବସିବା ସମୟରେ ସବୁବେଳେ ଫୁଟରେଷ୍ଟକୁ ବ୍ୟବହାର କରନ୍ତୁ। କେବେହେଲେ ଗୋଡ଼ ଉପରେ ଗୋଡ଼ ପକାଇ ବସନ୍ତୁ ନାହିଁ।

ବର୍ଷକରେ ଥରେ ଡାକ୍ତରଙ୍କ ନିକଟରୁ ପାଦକୁ ପରୀକ୍ଷା କରାଇ ନିଅନ୍ତୁ।

Comment