ଓଡ଼ିଶାଲାଇଭ୍‌ ବ୍ୟୁରୋ

ହୃଦରୋଗ ହେବାର ସବୁଠାରୁ ବଡ଼ କାରଣ ହେଉଛି କୋଲେଷ୍ଟ୍ରଲ। ରକ୍ତରେ କୋଲେଷ୍ଟ୍ରଲ ବଢ଼ିଗଲେ ହାର୍ଟ ଆଟାକ ଭଳି ବିପଦ ସୃଷ୍ଟି ହୋଇଥାଏ। ତେବେ କୋଲେଷ୍ଟ୍ରଲ କ’ଣ, ଏହାକୁ କେମିତି ରୋକିବେ?

କୋଲେଷ୍ଟ୍ରଲ କ’ଣ?

କୋଲେଷ୍ଟ୍ରଲ ହେଉଛି ରକ୍ତରେ ଥିବା ଏକ ମହମ ସଦୃଶ ପଦାର୍ଥ। ଶରୀରରେ ସୁସ୍ଥ କୋଷ ତିଆରି କରିବା ପାଇଁ ଶରୀରରେ କୋଲେଷ୍ଟ୍ରଲ ଆବଶ୍ୟକ ହୋଇଥାଏ କିନ୍ତୁ, ରକ୍ତରେ ଏହି କୋଲେଷ୍ଟ୍ରଲର ସ୍ତର ଯେତେବେଳେ ବଢ଼ିଯାଏ, ସେତେବେଳେ ହୃଦଘାତ ହେବାର ଆଶଙ୍କା ବଢ଼ିଥାଏ।ଲଗାତାର ପମ୍ପ କରୁଥିବା ହାର୍ଟକୁ ରକ୍ତର ପ୍ରବାହ କରୁଥିବା କରୋନାରି ନଳୀରେ ଯେତେବେଳେ ଧୀରେ ଧୀରେ କରି କୋଲେଷ୍ଟ୍ରଲ ଜମା ହୁଏ, ସେତେବେଳେ ଧମନୀ ଯଥେଷ୍ଟ ପରିମାଣର ରକ୍ତ ହାର୍ଟକୁ ସପ୍ଲାଏ କରିପାରି ନଥାଏ। ବେଳେ ବେଳେ ସେହି ଜମା ହୋଇଥିବା କୋଲେଷ୍ଟ୍ରଲ (ପ୍ଲେକ) ଉପରେ ଥିବା ପରଦା ଫାଟିଯାଏ ଓ ରକ୍ତ ଜମାଟ ବାନ୍ଧିଯାଏ ଯାହା ହୃଦଘାତ ବା ଷ୍ଟ୍ରୋକ ସୃଷ୍ଟି କରେ।

ଲକ୍ଷଣ

ଉଚ୍ଚ କୋଲେଷ୍ଟ୍ରଲର କୌଣସି ଲକ୍ଷଣ ଜଣାପଡ଼ି ନଥାଏ। କେବଳ ରକ୍ତ ପରୀକ୍ଷା କରି ଆପଣ କୋଲେଷ୍ଟ୍ରଲ ସ୍ତର ଜାଣିପାରିବେ। ଶିଶୁମାନେ ୯ରୁ ୧୧ ବର୍ଷ ବୟସ ମଧ୍ୟରେ ପୁନର୍ବାର ୧୭ରୁ ୧୯ ବର୍ଷ ବୟସ ମଧ୍ୟରେ କୋଲେଷ୍ଟ୍ରଲ ପରୀକ୍ଷା କରାଇନେବା ଆବଶ୍ୟକ। ରକ୍ତ ପରୀକ୍ଷା ମାଧ୍ୟମରେ ଲିପିଡଥ ପ୍ରୋଫାଇଲ ଟେଷ୍ଟ କରାଯାଏ, ଯେଉଁଥିରେ ଟ୍ରାଇଗ୍ଲିସେରାଇଡ୍‌, LDL, HDL, VLDLର ସ୍ତର ଯାଞ୍ଚ କରାଯାଏ

କୋଲେଷ୍ଟ୍ରଲ ପ୍ରକାର?

HDL (ଭଲ କୋଲେଷ୍ଟ୍ରଲ): HDL କୋଲେଷ୍ଟ୍ରଲକୁ ଅବଶୋଷଣ କରି ଯକୃତକୁ ନେଇଥାଏ। ଯକୃତ ଏହାକୁ ଶରୀରରୁ ବାହାର କରିଦିଏ। ଉଚ୍ଚ ସ୍ତରର HDL କୋଲେଷ୍ଟ୍ରଲ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କାକୁ କମ୍‌ କରିଥାଏ।

LDL (ଖରାପ କୋଲେଷ୍ଟ୍ରଲ): ଉଚ୍ଚ ସ୍ତରର LDL କୋଲେଷ୍ଟ୍ରଲ ହୃଦଘାତର ଆଶଙ୍କାକୁ ବଢ଼ାଇଥାଏ।

ଟ୍ରାଇଗ୍ଲିସେରାଇଡ୍‌: ସାଧାରଣ ଟ୍ରାଇଗ୍ଲିସେରାଇଡ୍ ସ୍ତର ବୟସ ଏବଂ ଲିଙ୍ଗ ଅନୁଯାୟୀ ଭିନ୍ନ ହୋଇଥାଏ। ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ଥିବା ଲୋକମାନଙ୍କର ଉଚ୍ଚ କୋଲେଷ୍ଟ୍ରୋଲ୍ ସ୍ତର, ଉଚ୍ଚ LDL (ଖରାପ) କୋଲେଷ୍ଟ୍ରୋଲ୍ ସ୍ତର ଏବଂ କମ୍ HDL (ଭଲ) କୋଲେଷ୍ଟ୍ରଲ୍ ସ୍ତର ଅନ୍ତର୍ଭୁକ୍ତ| ହୃଦ୍‌ରୋଗ ବା ମଧୁମେହ ଥିବା ଅନେକ ଲୋକଙ୍କର ମଧ୍ୟ ଟ୍ରାଇଗ୍ଲାଇସରାଇଡ୍ ସ୍ତର ଅଧିକ ଥାଏ।

ଖରାପ କୋଲେଷ୍ଟ୍ରଲ ହେବାର କାରଣ?

ମୋଟାପଣ, ବ୍ୟାୟାମ ଓ ଶାରୀରିକ ପରିଶ୍ରମର ଅଭାବ, ଧୂମପାନ, ମଧୁମେହ, ବୟସ, ଚର୍ବିଯୁକ୍ତ ଖାଦ୍ୟ, ଅତ୍ୟଧିକ ମଦ୍ୟପାନ,  ଅତ୍ୟଧିକ କାର୍ବୋହାଇଡ୍ରେଟ୍‌ଯୁକ୍ତ ଖାଦ୍ୟ, ମଟନ ଭଳି ଖାଦ୍ୟ ଦ୍ୱାରା ଶରୀରରେ ଖରାପ କୋଲୋଷ୍ଟ୍ରେଲ ଓ ଟ୍ରାଇଗ୍ଲିସେରାଇଡ୍‌ ସ୍ତରକୁ ବଢ଼ାଇଥାଏ।

ବିପଦ

କୋଲେଷ୍ଟ୍ରଲକୁ ନ କଣ୍ଟ୍ରୋଲ କଲେ ହାର୍ଟ ଆଟାକ ଓ ଷ୍ଟ୍ରୋକ୍‌ ଭଳି ସମସ୍ୟା ସୃଷ୍ଟି କରିଥାଏ।

ଛାତି ଯନ୍ତ୍ରଣା: ହୃଦୟକୁ ରକ୍ତ ଯୋଗାଉଥିବା କୋରୋନାରି ଧମନୀରେ କୋଲେଷ୍ଟ୍ରଲ ଜମିଲେ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୁଏ। ଫଳରେ ଛାତି ଯନ୍ତ୍ରଣା (ଅଞ୍ଜାଇନା) ଓ କୋରୋନାରି ଧମନୀ ରୋଗ ସୃଷ୍ଟି ହେବ।

ହୃଦଘାତ: ରକ୍ତବାହୀରେ ପ୍ଲେକ୍‌ ଜମା ହୋଇ ଫାଟିଗଲେ ରକ୍ତ ଜମାଟ ବାନ୍ଧିଯାଏ, ଫଳରେ ହାର୍ଟ ରକ୍ତ ପାଇପାରେ ନାହିଁ ଓ ହୃଦଘାତ ଘଟିଥାଏ।

ଷ୍ଟ୍ରୋକ୍‌: ହୃଦଘାତ ଭଳି ଷ୍ଟ୍ରୋକ୍‌ ହୁଏ। ଯେତେବେଳେ ରକ୍ତବାହୀରେ ରକ୍ତ ଜମାଟ ବାନ୍ଧିଯାଏ, ଆପଣଙ୍କ ମସ୍ତିଷ୍କକୁ ରକ୍ତ ପ୍ରବାହ ବନ୍ଦ ହୋଇଯାଏ ଫଳରେ ବ୍ରେନ୍‌ ଷ୍ଟ୍ରୋକ୍‌ ହୁଏ।

ପ୍ରତିକାର

ଲୁଣ କମ୍‌ କରନ୍ତୁ।

ଫଳ, ପନିପରିବା ଏବଂ ଶସ୍ୟ ଭଳି ଖାଦ୍ୟ ଖାଆନ୍ତୁ।

ଫାଷ୍ଟ ଫୁଡ୍‌ ଖାଆନ୍ତୁ ନାହିଁ।

ଧୂମପାନ ଛାଡ଼ନ୍ତୁ।

ପଶୁ ଚର୍ବିଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।

ଓଜନକୁ ସନ୍ତୁଳନ ରଖନ୍ତୁ।

ପ୍ରତିଦିନ ବ୍ୟାୟମ କରନ୍ତୁ।

କଠିନ ପରିଶ୍ରମ କରନ୍ତୁ।

ମଦ୍ୟପାନ କରନ୍ତୁ ନାହିଁ।

ଚିକିତ୍ସା

ସୁସ୍ଥ ଜୀବନଶୈଳୀ ଓ ବ୍ୟାୟାମ ହିଁ ଉଚ୍ଚ କୋଲେଷ୍ଟ୍ରଲକୁ ରୋକିଥାଏ। କିନ୍ତୁ, ଯଦି ଆପଣଙ୍କ କୋଲେଷ୍ଟ୍ରଲ ସ୍ତର ବଢ଼ିଥାଏ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରି ଏହାର ଚିକିତ୍ସା କରିବା ଆବଶ୍ୟକ।

Comment