ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧୁମେହ ଏବେ ସାରା ବିଶ୍ୱରେ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ବୟସ୍କମାନଙ୍କ ବ୍ୟତୀତ ଛୋଟ ପିଲାମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ଛୋଟ ପିଲାଙ୍କୁ ମୁଖ୍ୟତଃ ଟାଇପ୍‌-୧ ମଧୁମେହ ଆକ୍ରାନ୍ତ କରିଥାଏ। ଏହି ଅବସ୍ଥାରେ ସେମାନଙ୍କର ପାନକ୍ରିୟାଜ୍ ଗ୍ଲାଣ୍ଡର ବିଟା ସେଲ୍ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଏ। ତେଣୁ ଶରୀରରେ ଇନସୁଲିନ୍‌ର ଅଭାବ ଦେଖାଯାଇଥାଏ। ଏହାଯୋଗୁଁ ପିଲାର ଆଖି ଓ କିଡ୍‌ନି ଉପରେ ପ୍ରଭାବ ପଡ଼ିପାରେ। ସବୁଠୁ ବଡ଼ କଥା ହେଲା ପିଲାଙ୍କୁ ମଧୁମେହ ହେଲେ ସେମାନେ ସେଥିପ୍ରତି ଧ୍ୟାନ ଦେଇପାରନ୍ତି ନାହିଁ। ତେଣୁ ଜାଣତରେ ହେଉ ବା ଅଜାଣତରେ ଡାଏଟ୍ ଓ ବିଭିନ୍ନ ପ୍ରକାର ବଦଭ୍ୟାସ ଦ୍ୱାରା ନିଜକୁ କ୍ଷତି ପହଞ୍ଚାଇଥାନ୍ତି। ଭାରତରେ ପ୍ରାୟ ୧ ଲକ୍ଷ ପିଲା ଏହି ରୋଗ ଦ୍ୱାରା ପ୍ରଭାବିତ।

ଲକ୍ଷଣ

ଓଜନ କମିଯିବା: ମଧୁମେହ ଦ୍ୱାରା ପୀଡ଼ିତ ପିଲା ଯେତେ ଖାଇଲେ ମଧ୍ୟ ତାଙ୍କର ଓଜନ ବଢେନାହିଁ। ପିଲାଙ୍କୁ ମଧୁମେହ ହେବାର ଏହା ସବୁଠୁ ସାଧାରଣ ଲକ୍ଷଣ।

ଶୋଷ ଲାଗିବା: ପିଲାଙ୍କ ଶରୀରରେ ସୁଗରର ସ୍ତର ବଢ଼ିଯିବା ଯୋଗୁଁ ସେମାନଙ୍କୁ ଅଧିକାଂଶ ସମୟରେ ଶୋଷ ଲାଗିଥାଏ। ତେଣୁ ସେମାନେ ଶୋଷ ମେଣ୍ଟାଇବା ଲାଗି ପାଣି ବ୍ୟତୀତ କୋଲ୍ଡଡ୍ରିଙ୍କ ପିଇବାକୁ ଜିଦ୍ କରିଥାନ୍ତି।

ପରିସ୍ରା ବାରମ୍ବାର ହେବା: ବାରମ୍ବାର ପାଣି ପିଇବା ଯୋଗୁଁ ସେମାନେ ଅନେକ ଥର ପରିସ୍ରା ମଧ୍ୟ ଯାଇଥାନ୍ତି।

ଭୋକ ଲାଗିବା: ଶରୀରରେ ଶର୍କରାର ସ୍ତର ବଢ଼ିଯାଉଥିବାରୁ ସେମାନଙ୍କୁ ଭୋକ ଅଧିକ ଲାଗେ। ତେଣୁ ସେମାନେ ବାରମ୍ବାର ଖାଦ୍ୟ ଖାଇବାକୁ ଜିଦ୍ ଧରିଥାନ୍ତି। ସେହିପରି ଅନେକ ସମୟରେ ସେମାନଙ୍କ ଶରୀରରେ ଶକ୍ତିର ଅଭାବ ଦେଖାଯାଇଥାଏ।

କିଭଳି ନେବେ ଟାଇପ୍‌-୧ ମଧୁମେହରେ ପୀଡ଼ିତ ପିଲାଙ୍କ ଯତ୍ନ

-ଡାକ୍ତରମାନଙ୍କ ଅନୁସାରେ ଟାଇପ୍‌-୧ ମଧୁମେହ ଏକ ବିପଦପୂର୍ଣ୍ଣ ରୋଗ ଯେଉଁଥିରେ ସାରା ଜୀବନ ଇନସୁଲିନ୍ ଇଞ୍ଜେକସନ୍ ମାଧ୍ୟମରେ ଇନସୁଲିନ୍ ରିପ୍ଲେସମେଣ୍ଟକୁ ନିୟନ୍ତ୍ରଣ କରାଯାଇଥାଏ। ଏଥିପାଇଁ ଦୈନିକ ପ୍ରାୟ ୫-୬ ଥର ପିଲାର ରକ୍ତଶର୍କରାର ପରୀକ୍ଷା କରାଯାଇଥାଏ। ତେଣୁ ପିଲା ଯେଉଁ କାମ କରୁଥିଲେ ମଧ୍ୟ ଠିକ୍ ସମୟରେ ତାର ରକ୍ତଶର୍କରାର ପରୀକ୍ଷା କରନ୍ତୁ।

-ପିଲାର ଡାଏଟକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରନ୍ତୁ। ଏକାଥରକେ ଅଧିକ ଖାଦ୍ୟ ନ ଦେଇ ତାକୁ ବାରମ୍ବାର କମ୍ ଚର୍ବିଯୁକ୍ତ ଖାଦ୍ୟ ଦିଅନ୍ତୁ।

-ପିଲାଟି ନିୟମିତ ବ୍ୟାୟାମ କରିବା ମଧ୍ୟ ଆବଶ୍ୟକ। ଏହାଦ୍ୱାରା ରକ୍ତରେ ଶର୍କରାର ମାତ୍ରା କମିବ। ଓଜନ ଓ ମାନସିକ ଚାପ ବି ନିୟନ୍ତ୍ରଣରେ ରହିବ। ତେବେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ସେହିପରି ବ୍ୟାୟାମ କରିବା ପୂର୍ବରୁ ତାକୁ ହାଲ୍‌କା ସ୍ନାକ୍ସ ଖୁଆନ୍ତୁ।

-ବ୍ୟାୟାମ ସ୍ଥାନକୁ ସ୍ନାକ୍ସ, ପାଣି ପ୍ରଭୃତି ନେଇ ଯିବା ସୁନିଶ୍ଚିତ କରନ୍ତୁ। ବ୍ୟାୟାମ ପୂର୍ବରୁ ଓ ପରେ ତାର ରକ୍ତ ଶର୍କରାର ଯାଞ୍ଚ କରନ୍ତୁ। ତାର କୋଚ୍ ଯେପରି ପିଲାର ଏ ସମସ୍ୟା ସଂପର୍କରେ ଅବଗତ ହେବେ ସେହି ବ୍ୟବସ୍ଥା କରନ୍ତୁ।

-ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାକୁ ଇନସୁଲିନ୍‌ର ଡୋଜ୍ ଦିଅନ୍ତୁ। ଘର ବ୍ୟତୀତ ଅନ୍ୟ ସ୍ଥାନ ଯେପରିକି ସ୍କୁଲ କିମ୍ବା ଟ୍ୟୁସନ୍ ଯାଉଥିଲେ ସେଠାରେ ଶିକ୍ଷକଙ୍କୁ ଏ ସଂପର୍କରେ ଜଣାନ୍ତୁ।

Comment