ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭଦ୍ରକ ଜିଲ୍ଲାରେ କାହିଁକି ବଢ଼ିଲେ କରୋନା ଆକ୍ରାନ୍ତ? ଭଦ୍ରକ ସହିତ କୋଲକାତାର ସମ୍ପର୍କ କ’ଣ? ସେନେଇ ଓଡ଼ିଶାଲାଇଭ୍‌ରେ ପଢ଼ନ୍ତୁ ବିସ୍ତୃତ ରିପୋର୍ଟ – ଭଦ୍ରକ ରାଉଣ୍ଡଅପ୍‌।

କରୋନା ଯେତେବେଳେ ଓଡ଼ିଶାରେ ପ୍ରବେଶ କଲା ସେତେବେଳେ ସବୁ ଜିଲ୍ଲା ପାଇଁ ସତର୍କଘଣ୍ଟି ବାଜିଥିଲା। କରୋନାକୁ ପୂରାଇ ନଦେବା ପାଇଁ ବିଭିନ୍ନ ଜିଲ୍ଲାରେ ସଚେତନତାମୂଳକ ପଦକ୍ଷେପ ନିଆଯାଇଥିଲା। ହେଲେ ବ୍ୟାପକ ପଦକ୍ଷେପ ନିଆଯିବା ପରେ ବି ଓଡ଼ିଶାର ଦୁଇଟି ଜିଲ୍ଲା କରୋନା ଜାଲରେ ପଡ଼ିଥିଲା। ଗୋଟିଏ ହେଉଛି ଖୋର୍ଦ୍ଧା ଏବଂ ଅନ୍ୟଟି ହେଉଛି ଭଦ୍ରକ।

ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରେ ମାର୍ଚ୍ଚ ୧୫ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ୩୧ ତାରିଖରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭୁବନେଶ୍ୱର ଓ ଭଦ୍ରକ ପରେ ହିଁ ଅନ୍ୟ ଜିଲ୍ଲାକୁ ଛୁଇଁଥିଲା ଏହି ମହାମାରୀ କରୋନା ଭାଇରସ୍‌।

ଦୁବାଇରୁ ଭଦ୍ରକ

ଭୁବନେଶ୍ୱରରେ ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମାର୍ଚ୍ଚ ୩୧ରେ ଭଦ୍ରକରୁ ଆସିଲା ଏକ ଚାଞ୍ଚଲ୍ୟକର ଖବର। ଦୁବାଇରୁ ଭଦ୍ରକ ଆସିଥିବା ଜଣେ ଯୁବକଙ୍କଠାରୁ କରୋନା ଭୂତାଣୁ ଚିହ୍ନଟ ହେବା ପରେ ସାରା ଜିଲ୍ଲାରେ ଭୟ ଦେଖାଦେଇଥିଲା।

ଏହି ଯୁବକ ଜଣକ ଦୁବାଇରେ ରହନ୍ତି। କରୋନା ପାଇଁ ଚାରିଆଡ଼େ ଲକ୍‌ଡାଉନ୍‌ ହୋଇଯିବାରୁ ମାର୍ଚ୍ଚ ୨୪ ପୂର୍ବରୁ ଏହି ଯୁବକ ଜଣକ ନିଜ ଘରକୁ ଆସିଥିଲେ। ଦୁବାଇରୁ ସେ ପ୍ରଥମେ କୋଲକାତା ଆସିଥିଲେ। ହାୱଡା ଷ୍ଟେସନରୁ ଆସି ଭଦ୍ରକ ଷ୍ଟେସନରେ ଓହ୍ଲାଇଥିଲେ। ଏହାପରେ ଏକ ଅଟୋ ଭଡ଼ା କରି ସେ ନିଜ ଘରକୁ ଯାଇଥିଲେ। ଘରେ ସେ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିଲେ। ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ମାର୍ଚ୍ଚ ୩୧ରେ ତାଙ୍କ ନମୁନା ପଜିଟିଭ୍‌ ଆସବାରୁ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଏହାପରେ ଭଦ୍ରକ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଥିଲା। ପ୍ରଥମ କେରାନା ରୋଗୀ ଚିହ୍ନଟ ହେବା ପରେ ଏହା ଯେପରି ସଂକ୍ରମଣ ନହୁଏ ସେଥିପାଇଁ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ବଢ଼ିଗଲେ ଦୁଇ ଜଣ

ମାର୍ଚ୍ଚ ୩୧ରେ ଭଦ୍ରକ ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏହା କେମିତି ନବ୍ୟାପିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଥିଲା। ହେଲେ ଏପ୍ରିଲ ୩ରେ କିନ୍ତୁ ଜିଲ୍ଲାରୁ ଆଉ ୨ ଜଣ ରୋଗୀ ଚିହ୍ନଟ ହେବା ପରେ ସାରା ଜିଲ୍ଲାରେ ଆତଙ୍କ ଖେଳି ଯାଇଥିଲା। ନିଜାମୁଦ୍ଦିନ ଫେରନ୍ତାଙ୍କୁ ଯେଉଁ ସମୟରେ ସରକାର ଖୋଜୁଥିଲେ ସେହି ସମୟରେ ହିଁ ଆଉ ୨ ଜଣ ଆକ୍ରାନ୍ତ ଭଦ୍ରକରୁ ଚିହ୍ନଟ ହୋଇଥିଲେ। ଏମାନଙ୍କୁ ଠାବ କରି କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଦୁଇ ଜଣ ରୋଗୀ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ଏବେ ୧୯ ଆକ୍ରାନ୍ତ – ବାସୁଦେବପୁରରୁ ଧାମନଗର

ଏପ୍ରିଲ ୩ ତାରିଖ ଯାଏଁ ଭଦ୍ରକ ଜିଲ୍ଲାରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ୧୫ ତାରିଖ ପରେ ସ୍ଥିତି ପୂରା ଅଣାୟତ୍ତ ହୋଇଯାଇଛି। ଭଣ୍ଡାରିପୋଖରୀ, ବାସୁଦେବପୁର, ଧାମନଗର, ବନ୍ତ ଏବଂ ତିହିଡ଼ି ବ୍ଲକରୁ ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବାରୁ ସଂଖ୍ୟା ୧୯ରେ ପହଞ୍ଚି ଯାଇଛି। ବେଶୀ ଆକ୍ରାନ୍ତ ବାସୁଦେବପୁରରୁ ହିଁ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ବାସୁଦେବପୁରର ୨ଟି ଏବଂ ବନ୍ତ ବ୍ଲକର ଗୋଟିଏ ପଞ୍ଚାୟତ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏହାସହ ସର୍ଭେଲାନ୍ସ ଜୋନରେ ୩୨ଟି ପଞ୍ଚାୟତ ରହିଛି। ଏହି ପଞ୍ଚାୟତରେ ଘର ଘର ବୁଲି ସର୍ଭେ କରାଯାଉଛି।

ହଟସ୍ପଟ ଜୋନ୍‌ରେ ଭଦ୍ରକ

ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା ହେବା ପୂର୍ବରୁ କେନ୍ଦ୍ର ସରକାର ସାରା ଦେଶରେ ହଟସ୍ପଟ ଜୋନ୍‌ ଚିହ୍ନଟ କରିଥିଲେ। ଯେଉଁ ଜିଲ୍ଲାରେ ୧ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବେ ସେହି ଜିଲ୍ଲାକୁ ହଟସ୍ପଟ ଜୋନ୍‌ରେ ରଖିଥିଲେ ସରକାର। ଏହି କ୍ରମରେ ଓଡ଼ିଶାର ଦୁଇଟି ଜିଲ୍ଲା ଖୋର୍ଦ୍ଧା ଏବଂ ଭଦ୍ରକ ହଟସ୍ପଟ ଜୋନରେ ରହିଥିଲା। ହଟସ୍ପଟ ଜୋନ୍‌ ଘୋଷଣା ହେବା ବେଳେ ଖୋର୍ଦ୍ଧାରୁ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୩ ଆକ୍ରାନ୍ତ ଥିଲେ। ହେଲେ ଏବେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଫଳରେ ଜିଲ୍ଲାବାସୀଙ୍କ ପାଇଁ ବିପଦ ଛିଡ଼ା କରିଛି।

ଚିନ୍ତା ବଢ଼ାଇଲେ କୋଲକାତା ଫେରନ୍ତା

ପ୍ରଥମେ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତଙ୍କ ଭିତରୁ ୨ ଜଣ ସୁସ୍ଥ ହେବା ପରେ ଜିଲ୍ଲାବାସୀ ଆଶ୍ୱସ୍ତ ହୋଇଥିଲେ। ହେଲେ କୋଲକାତା ଫେରନ୍ତା ଏବେ ଜିଲ୍ଲାବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛନ୍ତି। କୋଲକାତାରୁ ଯେଉଁମାନେ ନିଜ ଗାଁକୁ ଫେରିଛନ୍ତି ସେମାନଙ୍କ ନମୁନା ପଜିଟିଭ୍‌ ବାହାରୁଥିବାରୁ ପ୍ରଶାସନ ବି ଚିନ୍ତାରେ ପଡ଼ିଛି। ଏବେ କୋଲକାତା ଫେରନ୍ତାଙ୍କୁ ଠାବ କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି।

ଭଦ୍ରକ-କୋଲକାତା ଲିଙ୍କ

ଓଡ଼ିଶାର ଏକ ଅଗ୍ରଣୀ ଜିଲ୍ଲା ଭାବେ ଭଦ୍ରକ ଓଡ଼ିଶା ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇଛି। ୧୯୯୩ ମସିହା ପୂର୍ବରୁ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଅଧୀନରେ ରହିଥିଲା ଭଦ୍ରକ। ହେଲେ ଯେତେବେଳେ ନୂଆ ଜିଲ୍ଲା ପୁନର୍ଗଠନ ପାଇଁ ରାଜ୍ୟ ସରକାର ଚିନ୍ତା କଲେ ସେତେବେଳେ ଭଦ୍ରକକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଦାବି ଉଠିଲା। ୧୯୯୩ ଏପ୍ରିଲ ପହିଲାରେ ଭଦ୍ରକ ଜିଲ୍ଲା ମାନ୍ୟତା ପାଇଥିଲା।

୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ ଭଦ୍ରକ ଜିଲ୍ଲାର ଜନସଂଖ୍ୟା ହେଉଛି ୧୫ ଲକ୍ଷ ୬ ହଜାର ୩୩୭। ୭ଟି ବ୍ଲକ ଏବଂ ୭ଟି ତହସିଲକୁ ନେଇ ଏହି ଜିଲ୍ଲା ଗଠନ କରାଯାଇଛି। ଏହାସହ ଦୁଇଟି ମ୍ୟୁନିସିପାଲଟି, ୨ଟି ଏନଏସି, ୧୭ଟି ଥାନା, ୨୧୮ ଗ୍ରାମପଞ୍ଚାୟତକୁ ନେଇ ଭଦ୍ରକ ଜିଲ୍ଲା ସମୃଦ୍ଧ ହୋଇଛି।

ଜିଲ୍ଲାବାସୀଙ୍କର ପ୍ରଧାନ ଜୀବିକା ହେଉଛି କୃଷି। ଧାନ ଚାଷ କରି ଲୋକେ ଜୀବୀକା ନିର୍ବାହ କରନ୍ତି। ଏହାସହ ଧାମରା, ଚାନ୍ଦବାଲି ବନ୍ଦର ମଧ୍ୟ ଆଉ ଏକ ରୋଜଗାରର ମାଧ୍ୟମ ପାଲଟିଛି। ଏହି ବନ୍ଦରରେ ମାଛ ଧରି ଲୋକେ ନିଜର ପରିବାର ଚଳାଇଥାନ୍ତି। ମହାନଦୀ ଯେମିତି ଓଡ଼ିଶାର ଜୀବନରେଖା ଠିକ୍‌ ସେମିତି ସାଳନ୍ଦୀ ନଦୀ ମଧ୍ୟ ଭଦ୍ରକ ଜିଲ୍ଲାର ଜୀବନରେଖା।

ଭଦ୍ରକ ଜିଲ୍ଲାରେ ପ୍ରବାହିତ ଅନ୍ୟ ଛୋଟ ନଦୀ କାଂଶବାଂସ, ମନ୍ତେଇ, ଗୁମତୀ, ଗେଙ୍ଗୁଟି, କୋଚିଲା, ରେବ, କପାଳୀ ଉପରେ ନିର୍ଭର କରି ଲୋକେ କୃଷି କାର୍ଯ୍ୟ କରିଥାନ୍ତି।

ଖରିଫ୍‌ ଧାନ ଅମଳ ଶେଷ ହେବା ପରେ ଏଠାକାର ଅଧିକାଂଶ ଲୋକ କୋଲକାତା ଯାଇଥାନ୍ତି। ଭଦ୍ରକ ଜିଲ୍ଲାର ଅଧିକାଂଶ ଲୋକ ରୋଷେୟା ଭାବେ ଭଲ ନାଁ କରିଛନ୍ତି। ଧାନ ଅମଳ ହୋଇ ସାରିବା ପରେ ଅଧିକ ଟଙ୍କା ରୋଜଗାର ଆଶାରେ ଏମାନେ କୋଲକାତା ଯାଇଥାନ୍ତି। ଧାନ ଅମଳ ପରେ ବାହାଘର ସିଜିନ୍‌ ଆରମ୍ଭ ହୋଇଯାଇଥାଏ। ଭୋଜି ରାନ୍ଧିବା ପାଇଁ ରୋଷେଇ କରୁଥିବା ଲୋକଙ୍କ ପାଖକୁ କଲ୍‌ ଆସିଥାଏ। ଗ୍ରୁପ୍‌ ହୋଇ ଏମାନେ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାକୁ ଯାଇଥାନ୍ତି। ବର୍ଷା ଦିନ ପୂର୍ବରୁ ଘରକୁ ଫେରି ଆସନ୍ତି।

ଆଉ କିଛି ଲୋକ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଦୋକାନ କରିଛନ୍ତି। ବ୍ୟବସାୟ କରି ସେମାନେ ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି। ଆଉ କିଛି ଲୋକ ବିଭିନ୍ନ କମ୍ପାନିରେ ଶ୍ରମିକ ଭାବେ କାମ କରି ଆସୁଛନ୍ତି। ବ୍ରାହ୍ମଣ ସଂପ୍ରଦାୟର କିଛି ଲୋକ ମଧ୍ୟ କୋଲକାତାରେ ବର୍ଷ ବର୍ଷ ଧରି ପୂଜା ପାଠ କରୁଥିବା ନଜିର ରହିଛି।

ଏବେ କରୋନା ସଙ୍କଟ ପାଇଁ ସାରା ଦେଶ ଲକ୍‌ଡାଉନ୍‌ ରହିଛି। ଫଳରେ ଦୋକାନ ବଜାର, କମ୍ପାନି ବନ୍ଦ ରହିବା ସହ ବାହାଘର, ବ୍ରତଘର ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ବନ୍ଦ ରହିଛି। ଯେଉଁମାନେ ପଶ୍ଚିମବଙ୍ଗରେ ରହି ରୋଜଗାର କରୁଥିଲେ ସେମାନେ ଅସୁବିଧାର ସମ୍ମୁଖୀନ ହେବାରୁ ଏବେ ଗାଁ ମୁହାଁ ହୋଇଛନ୍ତି।

ସୀମା ସିଲ୍‌ ଥିବାରୁ ଗଳାବାଟ ଦେଇ କିଛିଲୋକ ଘରକୁ ଫେରିଛନ୍ତି। ଫଳରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ଏହି ଜିଲ୍ଲାରେ ବଢ଼ି ଚାଲିଛି।

ବାସୁଦେବପୁରରେ ଅଧିକ କାହିଁକି?

ଭଦ୍ରକ ଜିଲ୍ଲାରେ ଚିହ୍ନଟ ହୋଇଥିବା ମୋଟ ୧୯ ଆକ୍ରାନ୍ତଙ୍କ ଭିତରୁ ଅଧିକାଂଶ ଆକ୍ରାନ୍ତ କେବଳ ବାସୁଦେବପୁରରୁ ହିଁ ଚିହ୍ନଟ ହୋଇଛନ୍ତି। ବାସୁଦେବପୁରକୁ ପଶ୍ଚିମବଙ୍ଗ ଫେରନ୍ତା ଅଧିକ ଆସିଥିବାରୁ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।

ଏହି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଅନେକ କାରଣ ରହିଛି। ମୁଖ୍ୟ କଥା ହେଉଛି ବାସୁଦେବପୁର ହେଉଛି ଭଦ୍ରକ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ। ବାସୁଦେବପୁର ସୀମା ପରେ ହିଁ ବାଲେଶ୍ୱର ଜିଲ୍ଲା ଆରମ୍ଭ ହେଉଛି। ଏହାସହ ଗାଁକୁ ଗାଁ ମଧ୍ୟ ଲାଗି ରହିଛି। ଯଦିଓ ଭଦ୍ରକର ବିଭିନ୍ନ ବ୍ଳକରୁ ବହୁ ଲୋକ କୋଲକାତା ଯାଇଛନ୍ତି, କିନ୍ତୁ ସେମାନେ ଘରକୁ ଆସିପାରି ନାହାନ୍ତି। ହେଲେ ବାସୁଦେବପୁର ଜିଲ୍ଲା ସୀମାରେ ଥିବାରୁ ବାଲେଶ୍ୱର ପଟୁ ଗଳାବାଟ ଦେଇ ଅଧିକାଂଶ ଲୋକ ଗାଁକୁ ଖସି ଆସିଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ବଢ଼ି ଚାଲିଛି।

Comment