ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଯେତେ ସବୁ ଦାଦନ ଶ୍ରମିକ ସୁରତ ଓ ଅନ୍ୟାନ୍ୟ ସହରରେ ଫସି ରହିଥିଲେ ସେମାନଙ୍କ କଥା ତ ଆମେ ଦିନ ରାତି ଶୁଣୁଥାଇଁ। ହେଲେ ଅନ୍ୟ ରାଜ୍ୟର ଶ୍ରମିକ ଯେଉଁମାନେ ଏଠି ଫସି ରହିଥିଲେ ସେମାନଙ୍କ କାହାଣୀ ଆହୁରି ହୃଦୟ ବିଦାରକ।

କରୋନା ମହାମାରୀର ଏକ ଅତି ଦୁଃଖଦ ଦିଗ ହେଉଛି ଲକ୍ଷ ଲକ୍ଷ ଶ୍ରମିକଙ୍କ ଘର ବାହୁଡ଼ା ଯନ୍ତ୍ରଣା। ଏତେ ମର୍ମନ୍ତୁଦ ଏହି କାହାଣୀ ଯାହାର ଶେଷ ନାହିଁ। ନା ପଇସା ହାତରେ ଅଛି,ନା ମିଳୁଛି କାମ ଧନ୍ଦା। ହଜାର ହଜାର ଶ୍ରମିକ ନିଜ ପିଲାଛୁଆଙ୍କୁ ଧରି କିଭଳି ଘରକୁ ଫେରିବାକୁ ଡହଳ ବିକଳ ହେଉଛନ୍ତି ତାହା କେବଳ ଯିଏ ଦେଖିଛି ସେ ହିଁ ଅନୁଭବ କରିପାରିବ।

ଆମେ ସିନା ବସ ପଠାଇ ଅନ୍ୟ ରାଜ୍ୟରୁ ଆମ ଲୋକଙ୍କୁ ଫେରାଇ ଆଣୁଛେ,ସେହି ଭାଗ୍ୟ ସମସ୍ତଙ୍କର ହୋଇଛି ତାହା ନୁହେଁ। ଓଡ଼ିଶାର ବଡ଼ ବଡ଼ ସହର ଓ ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ଫସି ରହିଥିବା ଉତ୍ତର ପ୍ରଦେଶ,ପଶ୍ଚିମବଙ୍ଗ, ଝାଡଖଣ୍ଡର ଶ୍ରମିକମାନେ ଶହ ଶହ କିମି ଚାଲି ଚାଲି ପହଞ୍ଚୁଛନ୍ତି ନିଜ ନିଜ ଗାଁରେ।

ଅନୁଗୁଳର ଏକ ବିସ୍କୁଟ ଫ୍ୟାକ୍ଟ୍ରିରେ କାମ କରୁଥିବା ମାନସ ମଣ୍ଡଳ (୨୨ )କହନ୍ତି ତାଙ୍କ  ଘର ନଦିଆ, ଏଠି କାମ ଧାମ ନଥିବାରୁ ଘରକୁ ସେ ଫେରୁଛନ୍ତି। ସୀମା ପାରି ହେବା ବେଳେ ଭଦ୍ରକ ଜିଲ୍ଲାର ପୋଲିସ କର୍ମଚାରୀମାନେ ଦେଇଥିବା ବିସ୍କୁଟ ପ୍ୟାକେଟ ଓ ପାଣି ବୋତଲ ହିଁ ତାଙ୍କର ରାହା। ତାକୁ ଧରି ସେ ଚାଲିଛନ୍ତି।

ମାନସଙ୍କ ଭଳି ବହୁ ଯୁବକ କଟକ, ଭୁବନେଶ୍ୱର, ଯାଜପୁର ଓ ଅନଗୁଳ ଆଦି ଶିଳ୍ପ ସହରରେ କାମ କରିବା ଭିତରେ ଆସଗିଲା ଲକଡାଉନ। ଭୁବନେଶ୍ୱର କେସୁରାରେ ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଥିଲା ୫ ଜଣ ଯୁବକ ଯେଉଁମାନେ ରାଜ ମିସ୍ତ୍ରୀ କାମ କରନ୍ତି। ଲକଡାଉନ ପରେ ତ କାମ ବନ୍ଦ,କେବେ କାମ ମିଳିବ ତାର କୌଣସି ଗ୍ୟାରେଣ୍ଟି ବି ନାହିଁ। ଏଣୁ ଅଗତ୍ୟା ସେମାନେ ଚାଲି ଚାଲି ବାହାରିଛନ୍ତି ଝାଡ଼ଖଣ୍ଡର ବିର୍ଭୁମ ଜିଲ୍ଲାରେ ଥିବା ତାଙ୍କ ଗାଁ ଅଭିମୁଖେ। ହାତରେ ଦି ଚାରି ପ୍ୟାକେଟ ବିସ୍କୁଟ,ଦି ବୋତଲ ପାଣି ଓ ପକେଟରେ ଅଳ୍ପ କିଛି ଟଙ୍କା। ୧୯/୨୦ ବର୍ଷ ବୟସର ଏହି ଯୁବକ ମାନେ ଧୁ ଧୁ ଖରାରେ ୫୫୦ କିମି ରାସ୍ତା ଚାଲିକି ଯିବା ପାଇଁ ପ୍ରସ୍ତୁତ। ଯଦି କେହି ସେମାନଙ୍କୁ କ୍ୱାରେଣ୍ଟାଇନ ପାଇଁ ଅଟକାନ୍ତି ସେଥିପାଇଁ ବି ସେମାନେ ପ୍ରସ୍ତୁତ। କିନ୍ତୁ ଯେମିତି ହେଲେ ବି ବାପା ମାଙ୍କ ପାଖକୁ ଫେରିଯିବାକୁ ସେମାନେ ବ୍ୟଗ୍ର।

ଏମିତି ଅନେକ ଘଟଣା ଘଟି ଚାଲିଛି ବିଗତ କିଛି ଦିନ ଧରି। ଓଡ଼ିଆ ସୁରତରେ ଥାଆନ୍ତୁ କି ବଙ୍ଗାଳି ସତ୍ୟ ନଗରରେ ଥାଆନ୍ତୁ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ କେମିତି ଘରେ ପହଞ୍ଚିବେ।ଏଣେ ଏମାନଙ୍କୁ ନେଇ ସରକାର, ପ୍ରଶାସନ ସମସ୍ତେ ନୟାନ୍ତ।

Comment