ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଆସନ୍ତା ୨୦ ତାରିଖରେ ଦୀଘା ଓ ହାତୀଆ ମଧ୍ୟରେ ବାତ୍ୟା ଅମ୍ପନ ସ୍ଥଳଭାଗ ଛୁଇଁପାରେ ବୋଲି ସୂଚନା ମିଳିଛି। ଏହା ପ୍ରଭାବରେ ରାଜ୍ୟର ଆସନ୍ତାକାଲିଠାରୁ ବର୍ଷା ଓ ପବନ ବହିବାର ଆଶଙ୍କା ରହିଛି। ଏହାକୁ ନଜର ରଖି ଖୋର୍ଦ୍ଧା ଜିଲ୍ଲାପାଳ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି।

ଖୋର୍ଦ୍ଧା ସଭା ଗୃହରେ ଜିଲ୍ଲାପାଳ ସୀତାଂଶୁ ରାଉତଙ୍କ ନେତୃତ୍ୱରେ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ଲାଇନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ସମସ୍ତ ବ୍ଲକର ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସଜାଗ ରଖିବା ସହ ନୂତନ ଆଶ୍ରୟସ୍ଥଳୀ ଚିହ୍ନଟ, ବିଜୁଳି, ପାଣି, ଅତି ଆବଶ୍ୟକୀୟ ଔଷଧକୁ ସମସ୍ତ ମେଡିକାଲରେ ମହଜୁଦ ରଖିବାକୁ କୁହାଯାଇଛି।

ଏହାସହ ଗର୍ଭବତୀ, ପ୍ରସୂତିମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଅଜୟ ପ୍ରତାପ ସ୍ୱାଇଁ, ପି.ଡି ଡିଆରଡିଏ ଦିଗନ୍ତ ରାଉତରାୟ ଓ ଜିଲ୍ଲାର ସମସ୍ତ ଲାଇନ ବିଭାଗ ଅଧିକାରୀ ଯୋଗ ଦେଇଥିଲେ।

ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ‘ଅମ୍ପନ’ ଅତି ମହାବାତ୍ୟାରେ ପରିଣତ ହୋଇସାରିଛି। ଏହା ସମୁଦ୍ର ଭିତରେ ଘଣ୍ଟାକୁ ୧୩ କିଲୋମିଟର ବେଗରେ ଗତି କରୁଛି। ଏହା ବର୍ତ୍ତମାନ ପାରାଦୀପଠାରୁ ମାତ୍ର ୯୮୦ କିମି ଦୂରରେ ରହିଛି।

Comment