ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଙ୍କଟ ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍‌। ଏହି ଲକ୍‌ଡାଉନ୍‌ ପାଇଁ ବହୁ ଗରିବ ଲୋକ ରୋଜଗାର ହରାଇଛନ୍ତି। ସେମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ରାଜୀବ ଗାନ୍ଧୀଙ୍କ ୨୯ତମ ପୂଣ୍ୟତିଥି ଅବସରେ ଯୁବ କଂଗ୍ରେସ ପକ୍ଷରୁ ସାରା ଦେଶ ବ୍ୟାପୀ ଆରମ୍ଭ ହୋଇଛି ‘ଗୋଟିଏ ଦିନ ପାଇଁ ନ୍ୟାୟ’ ଅଭିଯାନ।

ଏହି ଅଭିଯାନରେ ଗରିବ ପରିବାରକୁ ଗୋଟିଏ ଦିନ ପାଇଁ ୨୦୦ ଟଙ୍କା ଲେଖାଏଁ ଦେଇଛନ୍ତି କଂଗ୍ରେସ ନେତା। ଏହାସହ ଭାରତ ସରକାର ୬ ମାସ ପାଇଁ ଗରିବ ପରିବାରଙ୍କୁ ୩୬ ହଜାର ଟଙ୍କା ଦେବାକୁ ଯୁବ କଂଗ୍ରେସ ଦାବି କରିଛି।

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଅଭିଯାନ ଆରମ୍ଭ ହୋଇଛି। ଅଖିଳ ଭାରତ ଯୁବ କଂଗ୍ରେସ ପ୍ରଭାରୀ କ୍ରିଷ୍ଣା ଆଲାଭରୁ, ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି ଭିଙ୍କ ନେତୃତ୍ୱରେ ଏହି ଅଭିଯାନ ସାରା ଦେଶରେ ଚାଲିଛି। ଗରିବ ପରିବାରକୁ କେନ୍ଦ୍ର ସରକାର ନ୍ୟାୟ ଦିଅନ୍ତୁ ଏବଂ ୬ ମାସ ପାଇଁ ୩୬ ହଜାର ଟଙ୍କା ଦେବାକୁ ସେ ଦାବି କରିଛନ୍ତି।

ଏନେଇ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା କହିଛନ୍ତି, ‘‘କଂଗ୍ରେସ କଥାରେ ନୁହେଁ, କାମରେ ବିଶ୍ୱାସ କରେ। କଂଗ୍ରେସ ବିରୋଧୀ ଦଳ ଆସନରେ ବସିଥିଲେ ମଧ୍ୟ ଗରିବ ପରିବାରକୁ ଗୋଟିଏ ଦିନର ନ୍ୟାୟ ଦେଇଛି। କେନ୍ଦ୍ର ସରକାର ଏହାକୁ ୬ ମାସ ପାଇଁ ଲାଗୁ କରନ୍ତୁ।’’

ଲକ୍‌ଡାଉନ୍‌ ପାଇଁ ସାରା ଦେଶରେ ଦାଦନ ଶ୍ରମିକ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଶ୍ରମିକ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରି ଆସୁଛନ୍ତି। ରାଜୀବ ଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ଗରିବ ପରିବାରକୁ ନ୍ୟାୟ ଦେବା ପାଇଁ ଯୁବ କଂଗ୍ରେସ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି।

Comment