ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଭଜନ ଗାଇ ଓଡ଼ିଶା ମାଟିକୁ ଧନ୍ୟ କରିଛନ୍ତି ଭଜନ ସମ୍ରାଟ ଭିକାରୀ ବଳ। ତାଙ୍କର ଏହି ଅବଦାନ ପାଇଁ ସେ ଚିରକାଳ ସ୍ମରଣୀୟ।

କୋଠ ଭୋଗଖିଆ, ମୋ ଚକା ଆଖିଆ – ପ୍ରଭୁ ଜଗନ୍ନାଥଙ୍କର ଏହି ଲୋକପ୍ରିୟ ଭଜନ ଯେବେ ବି କାନରେ ପଡ଼େ ପ୍ରତିଟି ଓଡ଼ିଆ ହୃଦୟରେ ଭକ୍ତି ଭାବ ଜାଗ୍ରତ ହୁଏ। ଆଉ ଏହି ଲୋକପ୍ରିୟ ଭଜନକୁ ନିଜର ଦରଦି କଣ୍ଠଦାନ କରି ଯିଏ ଜନମାନସରେ ଏହାକୁ ଆହୁରି ପ୍ରିୟ କରାଇଥିଲେ ସେ ଥିଲେ ଭଜନ ସମ୍ରାଟ ଭିକାରୀ ବଳ।

ଆଜି ସେହି ମହାନ ସଙ୍ଗୀତଜ୍ଞଙ୍କର ୯୧ତମ ଜନ୍ମବାର୍ଷିକୀ। ୧୯୨୯ ମସିହା ମେ’ ୨୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ସୋବଳା ଗାଁରେ ଏହି ଯୋଗଜନ୍ମା କିମ୍ବଦନ୍ତୀ ପୁରୁଷ ଜନ୍ମ ହୋଇଥିଲେ।

ଭଜନ ସମ୍ରାଟ ଭିକାରୀ ବଳ ଓଡ଼ିଶାର ଘରେ ଘରେ ପରିଚିତ। ବିଶେଷଭାବେ ଶ୍ରୀଜଗନ୍ନାଥଙ୍କ ଜଣେ ପରମ ଭକ୍ତରୂପେ ସେ ଯେଉଁ ଭକ୍ତି ସଙ୍ଗୀତର ନୈବେଦ୍ୟ ପରିବେଷଣ କରି ଯାଇଛନ୍ତି,ତାହା ପ୍ରତିଟି ଓଡିଆଙ୍କ ହୃଦୟରେ ତାଙ୍କୁ ବହୁଦିନ ଯାଏଁ ଅମର କରି ରଖିବ। ତାଙ୍କର କାଳିଆରେ କାଳିଆ … କରିଦେ ମୋତେ ତୋ ଜମି ହଳିଆ, ଷାଠିଏ ପଉଟି ଭୋଗରୁ ତୁମର, କୋଠ ଭୋଗଖିଆ, ମୋ ଚକା ଆଖିଆ ଆଦି ମର୍ମଷ୍ପର୍ଶୀ ଭଜନ ଲୋକଙ୍କ ମନରେ ଖୋଦେଇ ହୋଇଯାଇଛି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।

ମନ୍ତ୍ରୀ ଆହୁରି କହିଛନ୍ତି, ‘‘ଆଧ୍ୟାତ୍ମିକତା ଓ ଭକ୍ତି ସଂଗୀତ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ଅଗଣିତ ଶ୍ରଦ୍ଧା ଓ ସମ୍ମାନ ଅଜାଡି ଦେଇଥିଲେ। ସଥିମଧ୍ୟରେ ରହିଛି ତନ୍ମଧ୍ୟରୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ଭକ୍ତ ସାଲବେଗ ସମ୍ମାନ, ଭଜନ ସମ୍ରାଟ ଆଦି ପ୍ରମୁଖ ସମ୍ମାନ। ଆକାଶବାଣୀ କଟକର ଜଣେ  ସ୍ୱୀକୃତ ପ୍ରାପ୍ତ କଳାକାର ଭାବେ ଓଡ଼ିଶାର ପୁରପଲ୍ଲୀରେ ସେ ପରିଚିତ। ଅନେକ ବେତାର ନାଟକରେ ସ୍ୱର ଓ ସଂଗୀତ ପରିବେଷଣ କରି ଲୋକଙ୍କ ମନର ମଉଡମଣୀ ପାଲଟିଯାଇଥିବା ଏହି ମହାନ କଳାକାର କେନ୍ଦ୍ରାପଡ଼ା ଜିଲ୍ଲାର  ସୋବଳା ଗ୍ରାମରେ ୧୯୨୯ ମସିହା ମେ’ ମାସ ଆଜିର ଦିନରେ ଭୂମିଷ୍ଟ ହୋଇଥିଲେ। ଏହି ମହାନ୍ କଣ୍ଠଶିଳ୍ପୀଙ୍କ ଜନ୍ମଦିନରେ ମୋର ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।’’

ଭିକାରୀ ବଳଙ୍କର ପିଲାଟି ଦିନରୁ ହିଁ ସଙ୍ଗୀତ ପ୍ରତି ଦୁର୍ବଳତା ରହିଥିଲା। କେନ୍ଦ୍ରାପଡ଼ାର ଗୋକୁଳଚନ୍ଦ୍ର ସଙ୍ଗୀତ ଶିକ୍ଷା ସଦନରେ ସେ ସଙ୍ଗୀତ ଶିକ୍ଷା କରୁଥିଲେ। ତା’ପରେ କଟକ କଳା ବିକାଶ କେନ୍ଦ୍ରରେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ।  ପରବର୍ତ୍ତୀ ସମୟରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଓଡ଼ିଶୀ ସଙ୍ଗୀତର ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ଆକାଶବାଣୀରେ ଜଣେ ଏ-ଶ୍ରେଣୀର ଗାୟକ ଭାବରେ ଭିକାରୀ ବଳ କାମ କରିଥିଲେ।

‘‘ଭଜନ ସମ୍ରାଟ ଭିକାରୀ ବଳ ଓଡ଼ିଆ ଲୋକଙ୍କ ହୃଦୟରେ ଜଗନ୍ନାଥ ଭକ୍ତିରସ ଓ ଆଧ୍ୟାତ୍ମିକ ଚେତନାର ପ୍ଲାବନ ସୃଷ୍ଟି କରିଥିଲେ। ନିମାଇଁ ହରିଚନ୍ଦନଙ୍କ ପରେ ଭିକାରୀ ବଳ ଭଜନକୁ ଓଡ଼ିଶାରେ ଲୋକପ୍ରିୟ କରାଇପାରିଥିଲେ। ତାଙ୍କ ଜନ୍ମଦିନ ଅବସରରେ ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

‘‘ଭଜନ ସମ୍ରାଟ ଭିକାରୀ ବଳଙ୍କର ଯେଉଁ ଦରଦି କଣ୍ଠ, ଯେକୌଣସି ଭକ୍ତ ଯଦି ତାଙ୍କ ଭଜନ ଶୁଣେ ସେ ଭଗବାନଙ୍କ ଅତି ନିକଟରେ ଅଛନ୍ତି ବୋଲି ନିଶ୍ଚୟ ଅନୁଭବ କରିବେ। ଭିକାରୀ ବଳ ସବୁ ଦିନ ପାଇଁ ମନେ ରହିବେ। ଯେବେ ବି ଓଡ଼ିଆ ଭଜନ କଥା ଆସିବ ପ୍ରଥମେ ଭିକାରୀ ବଳଙ୍କ ନାଁ ଆସିବ। ସେ ମୋର ଗୁରୁ ଥିଲେ। ତାଙ୍କ ଆଦର୍ଶକୁ ପାଥେୟ କରି ମୁଁ ସଙ୍ଗୀତ ଜଗତରେ ଆଗେଇଛି। ଆଜି ତାଙ୍କ ଜନ୍ମଦିନରେ ମୁଁ ତାଙ୍କୁ ବହୁତ ମନେପକାଉଛି। ତାଙ୍କ ଅନୁପସ୍ଥିତି ମତେ ବହୁତ କଷ୍ଟ ଦେଉଛି’’, କହିଛନ୍ତି ବିଶିଷ୍ଟ ଓଡ଼ିଆ ଭଜନ ଗାୟିକା ଗାୟିକା ଶାନ୍ତିଲତା ବାରିକ ଛୋଟରାୟ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଭିକାରୀ ବଳଙ୍କ ବିଶେଷତା ଥିଲା ତାଙ୍କର ଦରଦି କଣ୍ଠ, ପ୍ରଭୁଙ୍କ ପ୍ରତି ଭକ୍ତି ଭାବନା, ସେ ଯେଉଁଭଳି ଭଜନ ଗାଉଥିଲେ ଲାଗୁଥିଲା ପ୍ରଭୁ ତାଙ୍କ ସ୍ୱର ଶୁଣି ସିଂହାସନରୁ ଓହ୍ଲାଇ ଆସିବେ’’।

ଜଗନ୍ନାଥ ହେ କିଛି ମାଗୁନାହିଁ ତୋତେ, ଭଜୁ କି ନା ରାମ ନାମ, ହାତରେ ମୋ ମୁଠା ମୁଠା ଶରଧା ବାଲି, ମୁଁ ତ ବଡ଼ ଦେଉଳର ପାରାରେ, ଭକ୍ତ ସାଲବେଗ, ଅଗ୍ନୀ ପରୀକ୍ଷା, ମଥୁରା ବିଜୟ, କିଏ କାହାର ଭଳି ଚଳଚ୍ଚିତ୍ର ସମେତ ସେ ୨୦ ହଜାରରୁ ଅଧିକ ଗୀତ ଗାଇ ଇତିହାସ ରଚିଥିଲେ ଭିକାରୀ ବଳ। ତାଙ୍କର ଭକ୍ତି ସଙ୍ଗୀତକୁ ଏହି ଅବଦାନ ପାଇଁ ତାଙ୍କୁ ଭଜନ ସମ୍ରାଟ, ଭକ୍ତ କଣ୍ଠ, ସଙ୍ଗୀତ ରତ୍ନାକର, ସଙ୍ଗୀତ ମଉଡ଼ମଣି, ସଙ୍ଗୀତ ବାରିଧି ଉପାଧିରେ ସମ୍ମାନିତ କରାଯାଇଥିଲା।

ଭକ୍ତି ସଙ୍ଗୀତ ଗାଇବାରେ ଭିକାରୀ ବଳ ଥିଲେ ଜଣେ ଅନନ୍ୟ ପୁରୋଧା। ଭକ୍ତି ସଙ୍ଗୀତରେ ତାଙ୍କର ଏହି ଅବଦାନ ଯୋଗୁଁ ଗଜପତି ମହାରାଜା ତାଙ୍କୁ ଦେଇଥିଲେ ଭଜନ ସମ୍ରାଟର ଉପାଧି। ନାଁ ସିନା ଥିଲା ଭିକାରୀ। ହେଲେ ସେ ସମସ୍ତଙ୍କ ନିକଟରେ ଭଜନ ସମ୍ରାଟ ଭିକାରୀ ବଳ ଭାବେ ହୋଇଗଲେ ପରିଚିତ। କୁହାଯାଏ ପ୍ରଭୁ ଜଗନ୍ନାଥ ଯେମିତି ଭାବର ଠାକୁର, ଭିକାରୀ ବଳ ସେମିତି ଭାବର ଗାୟକ।

ଓଡ଼ିଆ ଭକ୍ତି ସଙ୍ଗୀତର ବାଦଶାହ ଭିକାରୀ ବଳ ୨୦୧୦ ରେ ଆରପାରିକୁ ଚାଲିଯାଇଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ଭକ୍ତି ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି।

(ଭଜନ ସମ୍ରାଟ ଭିକାରୀ ବଳଙ୍କ ଜନ୍ମଦିନ ଅବସରରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି)

Comment