ଓଡ଼ିଶାଲାଇଭ୍ ବ୍ୟୁରୋ

ଲକଡ଼ାଉନ ଯୋଗୁଁ ସରକାରଙ୍କ ରାଜସ୍ୱ ଆୟ କମି ଯାଇଥିବାରୁ ଓ ସରକାରୀ ରାଜକୋଷର ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଓଡ଼ିଶା ସରକାର ଏକ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ଏଣିକି ବିଭିନ୍ନ ବିଭାଗ ସେମାନଙ୍କ ଖର୍ଚ୍ଚ ନହୋଇ ପଡ଼ିଥିବା ଟଙ୍କାକୁ ବ୍ୟାଙ୍କରୁ ଆଣି ଟ୍ରେଜେରୀରେ ରଖିବେ। ଯେଉଁ ସବୁ ବିଭାଗ ଦୁଇ ବର୍ଷରୁ ଅଧିକ ସମୟ ଧରି ଖର୍ଚ୍ଚ ହୋଇପାରିନଥିବା ଟଙ୍କାକୁ ବ୍ୟାଙ୍କରେ ଜମା ରଖିଛନ୍ତି ତାହାକୁ ତୁରନ୍ତ ଆଣି ସରକାରୀ ଟ୍ରେଜେରୀରେ ଜମା କରିବେ।

କରୋନା କାରଣରୁ ସରକାରଙ୍କ ସବୁ କ୍ଷେତ୍ରରେ  କାର୍ଯ୍ୟ ବନ୍ଦ ରହିଥିବାରୁ ଟ୍ରେଜେରୀକୁ ଆୟ ଆସିବା ଢେର କମି ଯାଇଛି। ଏଣୁ ଅର୍ଥ ବିଭାଗ ଚାହୁଁଛି ବ୍ୟାଙ୍କରେ ଜମା ହୋଇ ପଡ଼ିଥିବା ଟଙ୍କା ଟ୍ରେଜେରୀକୁ ଆସିବା ଦରକାର ଯାହା ଫଳରେ କି ସରକାରଙ୍କ ଆବଶ୍ୟକୀୟ  ଖର୍ଚ୍ଚ ସୁବିଧାରେ ହୋଇପାରିବ।

ବିଗତ ତିନି ମାସ ଧରି ସରକାରଙ୍କ ଟିକସ ଓ ଅଣ ଟିକସ ଆଦାୟ ସାଙ୍ଘାତିକ ଭାବେ ହ୍ରାସ ପାଇଛି। ଏଣୁ ଟ୍ରେଜେରୀରେ ଯଥେଷ୍ଟ ଟଙ୍କା ରହୁନାହିଁ। ତା ଛଡ଼ା ସରକାର ଅଧିକ ସୁଧରେ ଖୋଲା ବଜାରରୁ ଋଣ ଆଣୁଥିବା ବେଳେ ବିଭିନ୍ନ ବିଭାଗ ପକ୍ଷରୁ ଯେଉଁ ଟଙ୍କା ବ୍ୟାଙ୍କରେ ରଖାଯାଇଛି ସେଥିରେ କମ ସୁଧ ମିଳୁଛି। ଏଣୁ ସରକାରଙ୍କ ନଗଦ ସ୍ଥିତି ବଢାଇବା ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ ମୁଖ୍ୟ ବିଭାଗ ଓ ସେମାନଙ୍କ ଅଧୀନରେ ଥିବା ବିଭାଗ ମାନେ ଜୁନ ୧୫ ସୁଦ୍ଧା ବ୍ୟାଙ୍କରେ ଥିବା ଟଙ୍କାକୁ ଟ୍ରେଜେରୀରେ ଜମା କରିବା ପାଇଁ ବାଧ୍ୟ ବୋଲି କହିଛନ୍ତି ଅର୍ଥ ବିଭାଗ। ଖାଲି ସେତିକି ନୁହେଁ, ଜୁନ ମାସର ଦରମା ବିଲ ଟ୍ରେଜେରୀକୁ ପଠାଇବା ବେଳେ ସବୁ ବିଭାଗ ଓ ଦପ୍ତର ବ୍ୟାଙ୍କରୁ ଟଙ୍କା ଉଠାଇ ଟ୍ରେଜେରୀରେ ଜମା କରିଛନ୍ତି ବୋଲି ଅଣ୍ଡର ଟେକିଙ୍ଗ ମଧ୍ୟ ଦେବାକୁ ବାଧ୍ୟ।

Comment