ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରୁ ପଙ୍ଗପାଳ ଆକ୍ରମଣ ବିପଦ ଏପର୍ଯ୍ୟନ୍ତ ଦୂର ହୋଇନାହିଁ। ହେଲେ ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପଙ୍ଗପାଳମାନଙ୍କ ମୁକାବିଲା କରିବା ପାଇଁ ରାଜ୍ୟର ୩୦ଟି ଜିଲ୍ଲାକୁ ୩ଟି ଜୋନରେ ବିଭକ୍ତ କରାଯାଇଛି। ଗୁରୁବାର ଏନେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, “ବର୍ତ୍ତମାନ ପଙ୍ଗପାଳମାନେ ମଧ୍ୟପ୍ରଦେଶରେ ଅଛନ୍ତି। ଯଦି ବି ସେମାନେ ଓଡ଼ିଶା ଆସନ୍ତି ତେବେ ସେମାନଙ୍କୁ ମୁକାବିଲା କରିବାକୁ ଆମେ ପୂରା ପ୍ରସ୍ତୁତ ଅଛୁ। ଏଥିପାଇଁ ରାଜ୍ୟର ଜିଲ୍ଲାମାନଙ୍କୁ ହାଇ ରିସ୍କ ଜୋନ୍, ମଡରେଟ୍ ରିସ୍କ ଜୋନ୍ ଓ ଲୋ ରିସ୍କ ଜୋନ ଭାବେ ତିନି ଭାଗରେ ବିଭକ୍ତ କରାଯାଇଛି।”ହାଇ ରିସ୍କ ଜୋନରେ ରାଜ୍ୟର ୯ଟି ଜିଲ୍ଲା ଥିବାବେଳେ ମଡରେଟ୍ ରିସ୍କ ଜୋନରେ ମଧ୍ୟ ୯ଟି ଜିଲ୍ଲାକୁ ରଖାଯାଇଛି। ସେହିଭଳି ବାକି ୧୧ଟି ଜିଲ୍ଲାକୁ ଲୋ ରିସ୍କ ଜୋନରେ ସାମିଲ୍ କରାଯାଇଛି।

ଏଥିସହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଯେଉଁଥିରେ କୃଷି ଅଧିକାରୀଙ୍କ ସମେତ ଅଗ୍ନିଶମ ବିଭାଗର ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି। ଯଦି ପଙ୍ଗପାଳମାନେ ଓଡ଼ିଶା ଆସନ୍ତି ତେବେ ତାଙ୍କୁ ନିପାତ କରିବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରହିଛି। ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲଯାଇଛି ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

Comment