ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତର ଚାଆଁରାକୋଲା ଓ ସୁରେନ୍ଦ୍ରପୁର ଗାଁରେ ଆଜି ତାଣ୍ଡବ କରିଛି ଘୂର୍ଣ୍ଣିଝଡ଼। ଗାଁର ଅନେକ ପରିବାରକୁ ବେଘର କରିଦେଇଥିବା ବେଳେ ବଡବଡ ଗଛଗୁଡିକୁ ଭାଙ୍ଗି ଦେଇଥିଲା। କିଛି ଘରର ଆଜବେଷ୍ଟସ୍‌ ମଧ୍ୟ ଉଡ଼ି ଯାଇଥିଲା।

ଆଜି ଦିନ ପ୍ରାୟ ୨ଟା ବେଳେ ହସ୍ତୀଷଣ୍ଢା ପରି ଏକ ବିରଳ ଦୃଶ୍ୟ ଆକାଶରେ ଦେଖାଦେଇଥିଲା। ଏହି ହସ୍ତୀଷଣ୍ଢା କିଛିକ୍ଷଣ ମଧ୍ୟରେ ଧାମରା ନଦୀର ପାଣିକୁ ଘୁରେଇ ଘୁରେଇ ଆକାଶକୁ ଉଠାଇନେଇଥିଲା। ଏହାପରେ ଘୂର୍ଣ୍ଣିଝଡ଼ ତାଣ୍ଡବ ରଚିଥିଲା।  ରଙ୍ଗଣୀ ପଞ୍ଚାୟତର ଚାଆଁରାକୋଲା ଓ ସୁରେନ୍ଦ୍ରନଗର ଗାଁ ମଝିରେ ସୃଷ୍ଟି କରିଥିଲା ବିତ୍ପାତ। କ୍ଷଣିକ ମଧ୍ୟରେ ଝଡ ବର୍ଷା ଛାତି ଥରାଇ ଦେଇଥିଲା। ମଡମଡ ହୋଇ ଘରର ଆଜବେଷ୍ଟସ ଉଡାଇନେଇ ଚୁନା କରିଦେଇଥିଲା। ଚାଳଛପର ଉଡାଇନେଇଥିଲା। ଆଖପାଖରେ ଥିବା ଗଛଗୁଡିକୁ ମୋଡି ଭାଙ୍ଗି ପକାଇଥିଲା। ପ୍ରାୟ ୪ରୁ ୫ ମିନିଟ୍ ମଧ୍ୟରେ ସବୁ ଶୁନଶାନ୍ ହୋଇଗଲା।

ଏହି ଘୂର୍ଣ୍ଣିଝଡରେ ଚାଆଁରାକୋଲା ଓ ସୁରେନ୍ଦ୍ରପୁର ଗାଁର ପ୍ରାୟ ୧୦  ବଖରା ଘର ଭାଙ୍ଗିଯାଇଛି। କାଳିପଦ ମୁର୍ମୁ, ଗଣେଶ ମୁର୍ମୁ, ଦେବେନ୍ଦ୍ର ମୁର୍ମୁ, ମହେନ୍ଦ୍ର ମୁର୍ମୁ, ବାସୁଦେବ ଜେନା, ରଜନୀ ଗିରୀଙ୍କ ପରିବାର ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଖବର ପାଇ ରାଜନଗର ତହସିଲଦାରଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି। ବିସ୍ଥାପିତଙ୍କ ପାଇଁ ସୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ବେଳେ, ଘର ଭାଙ୍ଗିଥିବା ପରିବାରକୁ ପଲିଥିନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହାଛଡା ଏହି କ୍ଷତିଗ୍ରସ୍ତ ପରିବାର ଲୋକମାନଙ୍କୁ ରାତିରେ ମାଗଣା ରନ୍ଧାଖାଦ୍ୟ ଯୋଗାଇଦେବାକୁ କହିଛନ୍ତି। ତହସିଲଦାରଙ୍କ ରିପୋର୍ଟ ମିଳିବାପରେ ସେମାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ତାଳଚୂଆ ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ପହଞ୍ଚି ବିପନ୍ନମାନଙ୍କୁ ବିସ୍କୁଟ ଓ ପାଣି  ବୋତଲ ବଣ୍ଟନ କରିଛନ୍ତି।

Comment