ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ୍‌ ଯିବାକୁ ବସିଛି। ଏବେଠୁ ଜୁଲାଇକୁ ନେଇ ଚିନ୍ତା ବଢ଼ିଲାଣି। ଜୁଲାଇରେ କରୋନା ସାରା ଦେଶରେ ବିସ୍ଫୋରଣ କରିବାର ସମ୍ଭାବନା ରହିଛି।

ଆଉ ୫ ଦିନ ପରେ କ୍ୟାଲେଣ୍ଡର ପୃଷ୍ଠା ଓଲଟିବ। ଜୁନ୍‌ ଯିବ, ଜୁଲାଇ ଆସିବ। ଜୁଲାଇ ଆସିବାକୁ ଆଉ ୫ ଦିନ ସମୟ ଥିବା ବେଳେ ଚିନ୍ତା ବଢ଼ିଛି। କରୋନା ମହାମାରୀ ଏହି ମାସରେ ଶିଖର ଛୁଇଁବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଜୁଲାଇ ଆସିବା ପୂର୍ବରୁ ସମସ୍ତଙ୍କ ମନରେ ଭୟ ବଢ଼ିଛି।

ଜୁନ୍‌ ଓ ଜୁଲାଇ ମାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହି ଦୁଇଟି ମାସରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସତର୍କ ସୂଚନା ଦେଇଥିଲା। ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।

‘‘ଆସନ୍ତା ଜୁଲାଇ ମାସରେ କରୋନା ସଂକ୍ରମଣ ଶିଖର ଛୁଇଁପାରେ। ଜୁଲାଇ ପରେ ସଂକ୍ରମଣ କମିବ। ଏଥିପାଇଁ ଅଧିକ ସତର୍କ ରହିବାକୁ ପଡ଼ିବ। କେବଳ ଓଡ଼ିଶା ନୁହେଁ, ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି’’, ଏହି ଆଶଙ୍କା କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ଏହି ସତର୍କତା ଭିତରେ ଜୁନ୍‌ ମାସ ଶେଷ ହେବାକୁ ଯାଉଛି। ବର୍ତ୍ତମାନସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪ ହଜାର ୮୯୪ ଛୁଇଁଛି। ସେହିପରି ଓଡ଼ିଶାରେ ବି କରୋନା ସ୍ଥିତି ଭଲ ନାହିଁ। ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଜୁନ ୨୫ ସୁଦ୍ଧା ୫ ହଜାର ୯୬୨ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୭ରେ ରହିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଭଲ ସ୍ଥିତିରେ ରହିଥିବା କୁହାଯାଉଥିଲେ ମଧ୍ୟ ଜୁଲାଇ ମାସରେ ପରିସ୍ଥିତି କ’ଣ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ପୂର୍ବରୁ ଓଡ଼ିଶାରେ ଦିନକୁ ଶହେ ଭିତରେ ରୋଗୀ ଚିହ୍ନଟ ହେଉଥିଲେ। କିନ୍ତୁ ଏବେ ପ୍ରତିଦିନ ୨୦୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କ୍ୱାରେଣ୍ଟାଇନ୍‌ ସେଣ୍ଟର ବାହାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏବେ ଚିନ୍ତା ବଢ଼ିଛି। ଜୁଲାଇ ମାସରେ ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଜୁନ୍‌ ଆରମ୍ଭରୁ ଲକଡାଉନ ହଟାଇ ଅନଲକ୍‌-୧ ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ଏଥିରେ କିଛି କଟକଣା କୋହଳ କରାଯାଇଥିଲା। ହେଲେ ଓଡ଼ିଶା ସରକାର ଏହାକୁ ଲାଗୁ କରି ନଥିଲେ। ଓଡ଼ିଶାରେ କଟକଣା କଡ଼ାକଡ଼ି ବଳବତ୍ତର ରହିଥିଲା। ରାତ୍ରି କର୍ଫ୍ୟୁ ପୂର୍ବ ଭଳି ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ ଲାଗୁ କରିବା ସହ ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଜୁନ୍‌ ୩୦ ତାରିଖ ପରେ ରାଜ୍ୟ ସରକାର କୋଭିଡ୍‌ ଗାଇଡଲାଇନ୍‌ରେ ଆଉ କ’ଣ ପରିବର୍ତ୍ତନ କରୁଛନ୍ତି ତାହା ହିଁ ଅପେକ୍ଷା କରି ଦେଖିବାର କଥା।

ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ପ୍ରବାସୀ ଫେରିଲେଣି। ଆହୁରି ଲୋକ ଆସୁଛନ୍ତି। ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି। କିଛି ଲକ୍ଷଣ ଦେଖାଗଲେ ନମୁନା ପରୀକ୍ଷା କରାଯାଉଛି। ତେବେ କ୍ୱାରେଣ୍ଟାଇନ ସେଣ୍ଟର ବାହାରୁ ଆକ୍ରାନ୍ତ ଚିହ୍ନଟ ହେବା ସରକାରଙ୍କ ପାଇଁ ଚାଲେଞ୍ଜ ବଢ଼ାଇଛି।

ବିଶେଷକରି କରୋନା ଯୋଦ୍ଧାର ମାନ୍ୟତା ପାଇଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ପୋଲିସ କର୍ମଚାରୀଙ୍କୁ କରୋନା ହେବା ଚିନ୍ତାର ବିଷୟ ପାଲଟିଛି। ଜୁନ୍‌ ମାସରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିବା ବେଳେ ଜୁଲାଇରେ କ’ଣ ତାକୁନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଗତକାଲି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ସାମ୍ବାଦିକ ସମ୍ମିଳନୀ କରି ଅଧିକ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷକରି ବୟସ୍କ ଲୋକମାନେ ସୁରକ୍ଷିତ ରହିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଘରର ସଦସ୍ୟମାନେ ବାହାରକୁ ଯାଇ ଘରକୁ ବିପଦ ଡାକି ନଆଣନ୍ତୁ ବୋଲି ବାଗ୍‌ଚି କହିଛନ୍ତି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ଲକ୍‌ଡାଉନ୍‌ ଅବଧି ବଢ଼ାଇ ଦେଇଛନ୍ତି। ଓଡ଼ିଶା ସରକାର କ’ଣ କରିବେ ତାହା ଜୁନ୍‌ ୩୦ ପରେ ହିଁ ସ୍ପଷ୍ଟ ହେବ।

Comment