ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ସିନେମାକୁ ଗୋଟେ ନୂଆ ପରିଚୟ ଦେଇଥିଲେ ଓଲିଉଡ୍‌ ପ୍ରଯୋଜକ ବସନ୍ତ ନାୟକ। ଆଜି ଏହି ବିଖ୍ୟାତ ଓଲିଉଡ୍‌ ପ୍ରଯୋଜକଙ୍କ ଶ୍ରାଦ୍ଧବାର୍ଷିକୀ। ୨୭ ଜୁନ୍‌ ୨୦୧୧ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା।

ବସନ୍ତ ନାୟକ ୧୬ ଜାନୁଆରି ୧୯୩୭ ମସିହାରେ କଟକ ଜିଲ୍ଲାର ହରିପୁରରେ ଜନ୍ମଗ୍ରହଣ କରିଥିଲେ। ସେ କପଡ଼ା ଇଞ୍ଜିନିୟର ଭାବେ ମୁମ୍ଵାଇରେ କାମ ଆରମ୍ଭ କରିଥିଲେ। ଓଡ଼ିଆ ସିନେମା ଜଗତକୁ ଏକ ନୂଆ ରୂପେ ଦେବା ପାଇଁ ସେ ୧୯୫୯ରେ ଓଡ଼ିଶା ଫେରିଥିଲେ। ପରେ ତାଙ୍କୁ ନିର୍ଦ୍ଦେଶକ ବିଜୟ ନାୟକ ସିନେମା ଆଡକୁ ବାଟ ଦେଖାଇଥିଲେ। ପ୍ରଥମ କରି ସେ ଯାଯାବର ଫିଲ୍ମର ବିତରଣ କରିଥିଲେ।

ବସନ୍ତ ନାୟକ ପାଖାପାଖି ୨୦ରୁ ଅଧିକ ସିନେମା ତିଆରି କରିଛନ୍ତି। ତାଙ୍କ ଗୋଟେ ପ୍ରଯୋଜନା ସଂସ୍ଥା ରହିଛି, ଯାହାର ନାଁ ହେଲା ବ୍ରଜରାଜ ମୁଭିଜ୍। ସେ ଏହି ବ୍ୟାନରରେ ପ୍ରଥମେ ନିର୍ମାଣ କରିଥିଲେ ଓଡ଼ିଆ ସିନେମା ‘ନାଗଫାସ’।

ଏହା ପରେ ବସନ୍ତ ନାୟକ କ୍ରମାଗତ ଭାବେ ‘ଦଣ୍ଡାବାଳୁଙ୍ଗା’, ‘ପକା କମ୍ବଳ ପୋତ ଛତା’, ‘ଯାହାକୁ ରଖିବେ ଅନନ୍ତ’, ‘ମା’, ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ‘ଯଶୋଦା’, ‘ମନ ରହିଗଲା ତୁମରିଠାରେ’, ‘ମୋ କୋଳ ତୋ ଝୁଲଣା’ ଆଦି ସିନେମା ନିର୍ମାଣ କରିଥିଲେ। ପରବର୍ତ୍ତୀ ସମୟରେ ବସନ୍ତ ନାୟକ ନିଜର ଦୁଇ ପୁଅ ବିଜୟ ନାୟକ ଓ ସଞ୍ଜୟ ନାୟକଙ୍କୁ ପ୍ରଯୋଜନାର ଗୁରୁଦାୟିତ୍ୱ ହସ୍ତାନ୍ତର କରିଥିଲେ। ‘ଏ ଯୁଗର କୃଷ୍ଣ ସୁଦାମା’ଠାରୁ ଆରମ୍ଭ କରି ‘୧୪୩ – ଆଇ ଲଭ ୟୁ’ ଯାଏଁ ସିନେମାର ଏ ଦୁଇ ଭାଇ ପ୍ରଯୋଜନା କରିଥିଲେ।

ଦୀର୍ଘ ୪୦ ବର୍ଷର କ୍ୟାରିଅର୍ ଭିତରେ ସ୍ୱର୍ଗତ ବସନ୍ତ ନାୟକ କେବଳ ଗୋଟିଏ ସିନେମାର ନିର୍ଦ୍ଦେଶନା ଦେଇଥିଲେ, ଯାହାର ନାଁ ହେଉଛି ‘ନାଗଫାସ’। ସେ ଲକ୍ଷ୍ୟ କଲେ ଯେ ଓଡ଼ିଆରେ ମୁଖ୍ୟତଃ ପାରିବାରିକ ସିନେମା ନିର୍ମିତ ହେଉଛି। ପ୍ରଯୋଜକମାନେ ସସପେନ୍‌ସନଧର୍ମୀ ଫିଲ୍ମ ତିଆରି କରିବାକୁ ଆଗ୍ରହ ଦେଖାଉନାହାନ୍ତି।

ଓଡ଼ିଆ ସିନେମାରେ ନିଜର ଅବଦାନ ଯୋଗୁଁ ୧୯୭୭ ମସିହାରେ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ପୁଣି ଦଣ୍ଡାବାଳୁଙ୍ଗା ଯୋଗୁଁ ୧୯୮୪ରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ପରେ ଯାହାକୁ ରଖିବେ ଅନନ୍ତ ଯୋଗୁଁ ତାଙ୍କୁ ୧୯୮୮ ମସିହାରେ ଇଣ୍ଡିଆନ୍‌ ପାନୋରାମା ପୁରସ୍କାର ପାଇଥିଲେ।

Comment