ଓଡ଼ିଶାଲାଇଭ୍ ବ୍ୟୁରୋ

  • କଟକ ଜିଲ୍ଲାରେ ଛଟେଇ ହୋଇଛନ୍ତି କଳା ଓ କ୍ରୀଡ଼ା ପ୍ରଶିକ୍ଷକ
  • ଛଟେଇକୁ ବିରୋଧ କଲା ଖୋର୍ଦ୍ଧା ଜିଲ୍ଲା କ୍ରୀଡ଼ା ଓ କଳା ଶିକ୍ଷକ ସଂଘ
  • ଶିକ୍ଷକମାନଙ୍କୁ ଛୁଟି ସହ ପୂରା ବର୍ଷକର ଦରମା ଦେବାକୁ ଦାବି

କୋଭିଡ୍ ଭଳି ଖରାପ ପରିସ୍ଥିତିରେ ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସାମୟିକ କଳା ଓ କ୍ରୀଡ଼ା ପ୍ରଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କାର କରାନଯାଉ। ଏଥିସହ ସେମାନଙ୍କୁ ଛୁଟିଦିନ ସହ ପୂରା ୧୨ ମାସର ଦରମା ମଧ୍ୟ ପ୍ରଦାନ କରାଯାଉ। ଏନେଇ ଖୋର୍ଦ୍ଧା ଜିଲ୍ଲା କଳା ଓ କ୍ରୀଡ଼ା ଶିକ୍ଷକ ସଂଘ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସଂଘ ତରଫରୁ କୁହାଯାଇଛି ଯେ, ଦୀର୍ଘ ୭ ବର୍ଷ ଧରି ଓଡ଼ିଶାର ବିଭିନ୍ନ ଉଚ୍ଚ ପ୍ରାଥମିକ ସ୍କୁଲରେ ସେମାନେ କାର୍ଯ୍ୟ କରୁଛନ୍ତି। ହେଲେ ଦୁଃଖର ବିଷୟ ଯେ, ସରକାର ତାଙ୍କର କଷ୍ଟ ବୁଝିପାରୁନାହାନ୍ତି।

କୋଭିଡ୍ ପରିସ୍ଥିତି ମଧ୍ୟରେ କଟକ ଜିଲ୍ଲାର କିଛି କଳା ଓ କ୍ରୀଡ଼ା ପ୍ରଶିକ୍ଷକଙ୍କୁ ଛଟେଇ କରାଯାଇଛି। ଅନ୍ୟପଟେ ଶିକ୍ଷକମାନଙ୍କର ପୂରା ୧୨ ମାସର ଦରମା ମଧ୍ୟ ବନ୍ଦ ଦିଆଯାଉନାହିଁ। ତେଣୁ ସେମାନଙ୍କ ପକ୍ଷେ ଏବେ ପରିବାରର ଭରଣ ପୋଷଣ କରିବା କଷ୍ଟ ଦାୟକ ହୋଇଯାଇଛି ବୋଲି ସଂଘ କହିଛି।

ସାରା ଓଡ଼ିଶାରେ ସେମାନଙ୍କର ସଂଖ୍ୟା ଏବେ ୫ ହଜାରରୁ ଅଧିକ। ଯଦି ସେମାନଙ୍କୁ ଏହିଭଳି ଭାବେ କାର୍ଯ୍ୟରୁ ଛଟେଇ କରାଯାଏ ତେବେ ସେମାନଙ୍କ ପକ୍ଷେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିବ ବୋଲି କୁହାଯାଇଛି।

ତେଣୁ ସେମାନଙ୍କୁ କାର୍ଯ୍ୟରୁ ବହିଷ୍କାର ନ କରାଯିବା ସହିତ ସେମାନଙ୍କୁ  ପୂରା ବର୍ଷକର ଦରମା ଦେବାକୁ ସଂଘର ଆବାହକ ଶକୁନ୍ତଳା ରାଉତ, ସଭାପତି ମାନସ କୁମାର ମହାନ୍ତି ଓ ସମ୍ପାଦକ ବିଶ୍ୱରଞ୍ଜନ ସ୍ୱାଇଁ ସରକାରଙ୍କ ପାଖରେ ଅନୁରୋଧ କରିଛନ୍ତି।

Comment