ଓଡ଼ିଶାଲାଇଭ ବ୍ୟୁରୋ

ଜଗତସିଂହପୁର ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।

ବିଷ୍ଣୁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ବିଷ୍ଣୁ ଦାସ ୬ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଜଗତସିଂହପୁର ନିର୍ବାଚନମଣ୍ଡଳୀରୁ ୫ ଥର ଏବଂ ତିର୍ତ୍ତାଲରୁ ଥରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଗଣଶିକ୍ଷା ମନ୍ତ୍ରୀ ରହିବା ସହ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। କିଛି ସମୟ ପାଇଁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ମଧ୍ୟ ରହିଥିଲେ।

୨୦୧୯ ନିର୍ବାଚନରେ ବିଷ୍ଣୁ ଦାସଙ୍କୁ ଜଗତସିଂହପୁର ଆସନରୁ ଟିକେଟ ମିଳି ନଥିଲା। ତାଙ୍କୁ ତିର୍ତ୍ତୋଲ ଆସନରୁ ଟିକେଟ ମିଳିଥିଲା।

ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ। ତାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଜେଡି ଅଫିସକୁ ଅଣାଯିବ। ସେଠାରେ ଦଳୀୟ କର୍ମୀ ଏବଂ ନେତା ଶ୍ରଦ୍ଧାଞ୍ଜଳି ଦେବା ପରେ ବିଧାନସଭା ପରିସରକୁ ଯିବ। ଏହାପରେ ଜଗତସିଂହପୁର ଅଭିମୁଖେ ପାର୍ଥିବ ଶରୀର ଯାତ୍ରା କରିବ।

Comment