ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁସଲମାନ ସମ୍ପ୍ରଦାୟ ପାଇଁ ହଜ୍ ଯାତ୍ରା ଏକ କର୍ତ୍ତବ୍ୟ ବୋଲି ବିଚାର କରାଯାଏ। ପ୍ରତ୍ୟେକ ମୁସଲମାନ ତାଙ୍କ ଜୀବନରେ ଥରେ ହଜକୁ ଯିବାକୁ ଚାହାଁନ୍ତି। ପ୍ରତିବର୍ଷ ଭାରତ, ପାକିସ୍ଥାନ, ବାଂଲାଦେଶ ଏବଂ ଇଣ୍ଡୋନେସିଆର ବହୁ ସଂଖ୍ୟକ ମୁସଲମାନ ହଜ୍ ଯାତ୍ରା କରନ୍ତି। ଗତ ବର୍ଷ କେବଳ ଭାରତରୁ ଦୁଇ ଲକ୍ଷରୁ ଅଧିକ ଲୋକ ସାଉଦି ଆରବକୁ ହଜ ପାଇଁ ଯାଇଥିଲେ। କିନ୍ତୁ ଚଳିତ ବର୍ଷ କରୋନା ହେତୁ ସାରା ବିଶ୍ୱରେ ମୁସଲମାନମାନେ ହଜ୍ ଯାଇପାରିବେ ନାହିଁ।

ସାଉଦି ଆରବ ଚଳିତ ବର୍ଷ ହଜ ପାଇଁ ଅନେକ କଠୋର ନିୟମ କରିଛି ଏବଂ ନୂଆ ଗାଇଡଲାଇନ ମଧ୍ୟ ଜାରି କରିଛି। ଏହି ଗାଇଡ ଲାଇନ ଅନୁସାରେ କେବଳ ସାଉଦି ବାସିନ୍ଦାମାନେ ହଜ୍ ଯାତ୍ରା କରିପାରିବେ। ସାଉଦି ଆରବ ଏଥର ସୀମିତ ସଂଖ୍ୟକ ଲୋକଙ୍କୁ ହଜ ଯାତ୍ରା ପାଇଁ ଅନୁମତି ଦେଇଛି। କେବଳ ୧ ହଜାର ଲୋକ ଏଥର ହଜ୍‌ ଯାତ୍ରା କରିବେ।

ହଜ୍ ସମୟରେ ‘ଖାନା-ଇ-କାବା’ଙ୍କୁ ଛୁଇଁବାକୁ ଦିଆଯିବ ନାହିଁ। ଏହା ସହିତ ସମସ୍ତଙ୍କୁ ପରସ୍ପରାଠାରୁ ଦେଢ଼ ମିଟର ଦୂରତା ରଖିବାକୁ ପଡିବ।  ଏଥିସହିତ ସାମୂହିକ ନମାଜ ସମୟରେ ସାମାଜିକ ଦୂରତା ଅନୁସରଣ କରିବା ବାଧ୍ୟତାମୂଳକ ହେବ। ହଜ୍ ସମୟରେ ଯାତ୍ରୀ ତଥା ଆୟୋଜକ ଏବଂ କର୍ମଚାରୀଙ୍କୁ ମଧ୍ୟ ସବୁବେଳେ ମାସ୍କ ଲଗାଇବାକୁ କୁହାଯାଇଛି। ହଜ୍ ପୂର୍ବରୁ ଏବଂ ପରେ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି।

ପ୍ରତିବର୍ଷ ସାରାବିଶ୍ୱରୁ ପ୍ରାୟ ୨୦ ହଜାର ମୁସଲମାନ ହଜ ଯାତ୍ରା କରନ୍ତି। ବହୁ ସଂଖ୍ୟକ ଲୋକ ଏକାଠି ହେଲେ କରୋନା ସଂକ୍ରମଣ ବଢ଼ିବାକୁ ଆଶଙ୍କା କରି ଏଥର ସୀମିତ ଲୋକଙ୍କ ଭିତରେ ହଜ ଯାତ୍ରା ଆୟୋଜିତ ହେଉଛି।

Comment