ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛି ଦିନ ହେଲା ରାଜସ୍ଥାନ ରାଜନୀତିରେ ଚାଲିଥିବା ଅସ୍ଥିରତାର ଅବସାନ ହୋଇଛି। ସୋନିଆ, ରାହୁଲ, ପ୍ରିୟଙ୍କା ଓ ରବର୍ଟଙ୍କ ସହ ଆଲୋଚନା ପରେ ନରମିଗଲେ ସଚିନ ପାଇଲଟ। ତେବେ କଣ ହେଲା ଏ ବୈଠକରେ, ଯେ କଂଗ୍ରେସକୁ ଫେରିଆସିଲେ? ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଏଥିରେ କିଏ ଜିତିଲା ଆଉ କିଏ ହାରିଲା? ସଚିନ ପାଇଲେ କେତେ ଆଉ ହାରିଲେ କେତେ, ଏହାକୁ ନେଇ ଚର୍ଚ୍ଚା ଜୋରଦାର।

ବିଦ୍ରୋହୀ ସଚିନ ନରମିଗଲେ। ତାଙ୍କ ସହ ଯାଇଥିବା ୧୮ ବିଧାୟକ ବି କଂଗ୍ରେସକୁ ଫେରିଆସିଲେ। ଗତକାଲି ସୋନିଆ ଗାନ୍ଧି, ରାହୁଲ, ପ୍ରିୟଙ୍କା ଓ ରବର୍ଟ ଭଦ୍ରାଙ୍କ ସହ ଆଲୋଚନା ପରେ, ରାଜସ୍ଥାନ କଂଗ୍ରେସରେ ଚାଲିଥିବା ବିଦ୍ରୋହ ଶାନ୍ତ ହୋଇଛି। ଫଳରେ ରାଜସ୍ଥାନରେ କଂଗ୍ରେସ ସରକାର ଏବେ ବିପଦମୁକ୍ତ। ସଚିନଙ୍କ ଅଭିଯୋଗର ତଦନ୍ତ କରିବା ପାଇଁ ଏକ ୪ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ସୋନିଆ ନିର୍ଦ୍ଦେଶ ଦେବା ପରେ, ସଚିନ ତାଙ୍କୁ ଧନ୍ୟବାଦ ଦେବା ସହ ରାଜସ୍ଥାନର ଜନସାଧାରଣ, ଗଣତନ୍ତ୍ର ଓ କଂଗ୍ରେସ ପାଇଁ କାମ କରିବେ ବୋଲି କହିଛନ୍ତି।

ପାଇଲଟ ଫେରିଲେ, କଂଗ୍ରେସ ନିରାପଦ। ସରକାରଙ୍କୁ ବି କିଛି ବିପଦ ନାହିଁ। ବାହାରୁ ଠିକ୍ ଏମିତି ଦେଖାଯାଉଛି। ହେଲେ ଭିତରର ଚିତ୍ର କ’ଣ। ସଚିନ ମାନିଲେ ନା ମାନିବାକୁ ବାଧ୍ୟ ହେଲେ। ମୁଖ୍ୟମନ୍ତ୍ରୀ ହେବାରୁ ବଳ କଷିଥିବା  ସଚିନ, ଅଶୋକ ଗେହଲଟଙ୍କ ଚତୁରତା ଆଗରେ ଚିତପଟାଙ୍ଗ ମାରିଲେ କି?

ସଚିନ ଯେତେବେଳେ ବିଦ୍ରୋହ ଆରମ୍ଭ କରିଥିଲେ, ଭାବିଥିଲେ ମଧ୍ୟପ୍ରଦେଶର ସ୍ଥିତି ଦୋହରାଇବାକୁ ଚାହିଁବନି କଂଗ୍ରେସ। ଏଠି ବିଦ୍ରୋହ ହେଲେ, ଆରାମରେ ଦିଲ୍ଲୀରେ ହଲଚଲ ହେବ। କଂଗ୍ରେସର ବରିଷ୍ଠ ନେତୃତ୍ୱ ତାଙ୍କ ଜିଦ୍ ଆଗରେ ହାର୍ ମାନି ଗେହଲଟଙ୍କୁ ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ବାଧ୍ୟ କରିବେ। ହେଲେ ସଚିନଙ୍କ ଯୋଜନା ଯେଉଁଠି ସରିଥିଲା, ସେଇଠୁ ହିଁ ଭାବିବା ଆରମ୍ଭ କରିଥିଲେ ଗେହଲଟ। ପ୍ରଥମରୁ ହିଁ ସଚିନଙ୍କୁ ମାନସିକସ୍ତରରେ ଦୁର୍ବଳ କରିବାକୁ ଗୋଟି ଚାଳନା କରିଥିଲେ। ତାଙ୍କ ବିରୋଧରେ ଏକ ଜନମତ ସୃଷ୍ଟି କରିବାରେ ସଫଳ ହେଲେ।

କୌଶଳ ନମ୍ବର- ସଚିନ ବିଜେପିରେ ଯୋଗଦେବେ ବୋଲି ଗେହଲଟ ଓ ଗେହଲଟଙ୍କ କ୍ୟାମ୍ପରୁ ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ସଚିନ ଓ ତାଙ୍କ ସମର୍ଥକ ୧୮ ବିଧାୟକ ଏଥିପାଇଁ ପ୍ରସ୍ତୁତ ନ ଥିଲେ।

କୌଶଳ ନମ୍ବର- ସଚିନ ବିଜେପିକୁ ଗଲେ ସମର୍ଥକମାନେ କ’ଣ ପାଇବେ? ଏ ସନ୍ଦେଶ ଓ ସନ୍ଦେହ ବିଦ୍ରୋହୀ କ୍ୟାମ୍ପରେ ଭର୍ତ୍ତି କରିବାରେ ସଫଳ ହେଲେ ଗେହଲଟ। ୧୮ ବିଧାୟକ ସଚିନଙ୍କୁ ସନ୍ଦେହ କରିବା ଆରମ୍ଭ କରିଥିଲେ। ଫଳରେ ସଚିନ୍ ଅଡୁଆରେ ପଡ଼ି ପଛକୁ ଫେରିବାକୁ ଚିନ୍ତା କରିଥିଲେ।

କୌଶଳ ନମ୍ବର- ଦିଲ୍ଲୀ ନେତୃତ୍ୱ ଗେହଲଟଙ୍କୁ ପୂର୍ଣ୍ଣ କ୍ଷମତା ଦେଲେ। ନିଜ ହିସାବରେ ସମର୍ଥନ ଯୋଗାଡ଼ କରିବା ପାଇଁ ସୁଯୋଗ ଦେଲେ। ଏ ଭିତରେ ଯେତେବେଳେ, ଗେହଲଟ ନିଜ ସରକାର ସମର୍ଥନରେ ନିରାପଦ ସଂଖ୍ୟା ଯୁଟାଇବାରେ ସଫଳ ହୋଇଛନ୍ତି ବୋଲି ସଚିନଙ୍କ କ୍ୟାମ୍ପରେ ଖବର ପହଞ୍ଚିଲା। ବାଧ୍ୟ ହୋଇ ସଚିନ ହାତ ଟେକିଦେଲେ।

ଚୂଡ଼ାନ୍ତ ଅପରେସନ- ରାଜସ୍ଥାନରେ ସବୁ ସେଟ୍ ହୋଇଗଲା ପରେ, ଦିଲ୍ଲୀ ନେତୃତ୍ୱ ଅସଲ ଖେଳ ଖେଳିଲେ। ସଚିନଙ୍କ କ୍ୟାମ୍ପକୁ ଆତ୍ମସମର୍ପଣ ପାଇଁ ସନ୍ଦେଶ ପଠାଗଲା। ତାଙ୍କ ଅଭିଯୋଗର ତଦନ୍ତ କରାଯିବ ବୋଲି ଗୋଟେ ପ୍ରତିଶ୍ରୁତି ଦିଆଗଲା। ଆଉ ଆଗକୁ କିଛି ଉପାୟ ନ ଥିବା ସଚିନ ବାଧ୍ୟ ହୋଇ ନରମିଗଲେ।

କାହାର ଲାଭ; କାହାର କ୍ଷତି

ଏ ମାସକର ଲଢ଼େଇରେ କାହାକୁ ଫାଇଦା ହେଲା, ଆଉ କାହାର କ୍ଷତି ହେଲା ତାକୁ ନେଇ ଜୋରଦାର ଚର୍ଚ୍ଚା। ତେବେ ଗୋଟିଏ କଥା ସ୍ପଷ୍ଟ ଯେ, ଏ ଲଢ଼େଇର ଏକମାତ୍ର ଲାଭବାନ ନିଜେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଆଉ ଯଦି ବହୁତ କ୍ଷତିଗ୍ରସ୍ତ କିଏ ହୋଇଥାଏ ସେ, ହେଉଛନ୍ତି ସଚିନ ପାଇଲଟ।

ସଚିନ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ହେବା ଦୂରେ ଥାଉ, ଉପମୁଖ୍ୟମନ୍ତ୍ରୀ ପଦ ଗଲା ଏହା ସହ ପ୍ରଦେଶ କଂଗ୍ରେସ ମୁଖ୍ୟ ପଦବି ମଧ୍ୟ ହରାଇଲେ। ଏ ବ୍ୟକ୍ତିଗତ କ୍ଷତି ପରେ, ସମର୍ଥନ ଓ ସଂଗଠନ ଦୃଷ୍ଟିରୁ ମଧ୍ୟ ଅନେକ ହରାଇଲେ। କଂଗ୍ରେସର ଦିଲ୍ଲୀ ନେତୃତ୍ୱଙ୍କ ପୁରୁଣା ବିଶ୍ୱାସ ପୁଣି ଥରେ ଜୁଟାଇବା ତାଙ୍କ ପାଇଁ କଷ୍ଟକର ହେବ। ପୁଣି ଥରେ କଂଗ୍ରେସରେ ନିଜର ପ୍ରଭାବ ବିସ୍ତାର କରିବା ତାଙ୍କ ପାଇଁ ସହଜ ହୋଇ ନ ପାରେ।

Comment