ଓଡିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଦିନକୁ ଦିନ ଜଙ୍ଗଲ ସଫା ହେବାରେ ଲାଗିଛି। ଜଙ୍ଗଲ ପଦା ହେବା ଫଳରେ ଖାଦ୍ୟାଭାବ ଦେଖା ଦେବା କାରଣରୁ ବନ୍ୟଜନ୍ତୁମାନେ ଗାଁ ମୁହାଁ ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ୍‌ରେ। ଗତ କିଛି ଦିନ ହେଲା ଏହି ବ୍ଲକର ବିଭିନ୍ନ ଗାଁକୁ ଜଙ୍ଗଲୀ ଭାଲୁମାନେ ଅବାଧରେ ପ୍ରବେଶ କରୁଥୁବା ଜଣାପଡ଼ିଛି। ସନ୍ଧ୍ୟା ହେବା ମାତ୍ରେ ଜଙ୍ଗଲୀ ଭାଲୁମାନେ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପ୍ରବେଶ କରୁଛନ୍ତି। ସେମାନେ କାହାର କିଛି କ୍ଷତି କରୁନଥିଲେ ହେଁ ଲୋକଙ୍କ ମନରେ ଭୟ ଲାଗିରହିଛି।

ଗତ ଏକ ମାସ ଧରି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗାଁ ଭିତରକୁ ଦୁଇଟି ଭାଲୁ ଆସୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଉଦୟପୁର ଗାଁକୁ ଲାଗି ଏକ ପାହାଡ଼ ରହିଛି। ତେବେ ପ୍ରତିଦିନ ସନ୍ଧ୍ୟା ହେବା ମାତ୍ରେ ଭାଲୁ ଦୁଇଟି ପାହାଡ଼ରୁ ଓହ୍ଲାଇ ଗାଁ ଭିତରକୁ ଆସିବା ସହ ଏଣେ ତେଣେ ବୁଲାବୁଲି କରୁଛନ୍ତି।

ଏମିତିକି ଭାଲୁମାନେ ଲୋକଙ୍କ ଘର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି। ତେବେ ପାହାଡ଼ ଉପରେ ଭାଲୁଙ୍କ ପାଇଁ ଖାଦ୍ୟାଭାବ ଦେଖା ଦେବା କାରଣରୁ ସେମାନେ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ଆସୁଥିବା ଗ୍ରାମର ଧରଣୀ ଧର ସିଂ, ଦେବେନ୍ଦ୍ର ସିଂ ପ୍ରକାଶ କରିଛନ୍ତି।BGUଭାଲୁମାନେ କାହାର କିଛି କ୍ଷତି କରୁନଥିଲେ ହେଁ ଗାଁରେ ଭୟର ବାତାବରଣ ଲାଗିରହିଛି। କେତେବେଳେ କାହା ସହ ମୁହାଁ ମୁହିଁ ହେଲେ ଭାଲୁ ଆକ୍ରମଣ କରିପାରେ ବୋଲି ଆଶଙ୍କା ଲାଗିରହିଛି। ସେହିପରି ଚରମୁଳା, ଗାଦବାଗୁଡା, ପଣସ ପଦର, ଆଉଁଳିଗୁମ୍ମା ଗାଁ ଭିତରକୁ ଭାଲୁମାନେ ଅବାଧରେ ପ୍ରବେଶ କରୁଥିବା ସୂଚନା ମିଳିଛି।

Comment