ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ କୁନା ପାତ୍ର): ରାଜ୍ୟରେ ଆଠ ଦିନ ଧରି ଲଗାଣ ବର୍ଷା ହେଉଛି। ଏହି ବର୍ଷାରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଙ୍ଗରଦୋରାଠାରୁ ମୁଣ୍ଡାଗୁଡା ପର୍ଯ୍ୟନ୍ତ ଅଧ କିଲୋମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତାରେ ଗାଡ଼ି ତ ଦୂରର କଥା ପାଦରେ ଚାଲି ଚାଲି ଯିବା ମଧ୍ୟ ସମ୍ଭବ ହେଉନି।

ଏହି ରାସ୍ତା ଦେଇ ଜିଲ୍ଳାବାସୀ କଳାହାଣ୍ଡି ଜିଲ୍ଲାକୁ ମଧ୍ୟ ଯାତାୟତ କରିଥାନ୍ତି। ହେଲେ ରାସ୍ତା ଅବସ୍ଥା ଖରାପ ଥିବାରୁ  ନବରଙ୍ଗପୁରରୁ କଳାହାଣ୍ଡିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ରାସ୍ତାକୁ କଙ୍କ୍ରିଟ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।BGU

କଳାହାଣ୍ଡି ଜିଲ୍ଲାର ପାଡ଼େପଦର, ହାର୍ଡସିଲ, ଡୁରେସ, ଡାଇକ ଭଳି ଅନେକ ଗ୍ରାମର ଲୋକେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ବିଶେଷକରି ସ୍ୱାସ୍ଥ୍ୟ ସେବା ପାଇଁ ଏହି ରାସ୍ତା ଦେଇ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାକୁ ଆସିଥାନ୍ତି। କଳାହାଣ୍ଡି ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଛି ଏହି ରାସ୍ତା। ବର୍ଷା ପାଇଁ ଏବେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଲୋକେ ଯା’ ଆସ କରିବାକୁ ହନ୍ତସନ୍ତ ହେଉଛନ୍ତି।

ଅପରପକ୍ଷେ ମଙ୍ଗରଦୋରାଠାରୁ ମୁଣ୍ଡାଗୁଡ଼ା ପର୍ଯ୍ୟନ୍ତ ୧ କିଲୋମିଟର ରାସ୍ତା କାର୍ଯ୍ୟ ହୋଇପାରିଲେ କଳାହାଣ୍ଡି ଜିଲ୍ଲା ସହ ନବରଙ୍ଗପୁର ଜିଲ୍ଲାର ସଂଯୋଗୀକରଣ ହେବା ସହ ବ୍ୟବସାୟିକ ଦୃଷ୍ଟି କୋଣରୁ ମଧ୍ୟ ଉଭୟ ଜିଲ୍ଲାବାସୀ ଉପକୃତ ହୋଇପାରିବେ ବୋଲି ସମାଜସେବୀ ଅଖିଳ ଭତରା ମତ ବାଢ଼ିଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ରାସ୍ତାର ଉନ୍ନତି କରଣ ଦିଗରେ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।

Comment