ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭାରେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ନୂଆ କୃଷି ବିଲ୍‌ ଆଗତ କରିଛନ୍ତି। ଗୃହରେ ଆଗତ ହେବ ପରେ ନୂଆ କୃଷି ବିଲକୁ ବିରୋଧ କରିଛି ବିଜେଡି। କୃଷି ବିଲ୍‌କୁ ନେଇ ରାଜ୍ୟସଭାରେ ଚାଲିଥିବା ଆଲୋଚନାରେ ଭାଗ ନେଇ ଏହାକୁ ବିରୋଧ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ।

ଏହି ବିଲ୍‌ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି ଗୃହରେ କହିଛନ୍ତି ଅମର ପଟ୍ଟନାୟକ। ଏଥିସହିତ  ସରକାର ଆଉ ଥରେ ଏହି ବିଲ୍‌କୁ ନେଇ ଚିନ୍ତା କରନ୍ତୁ ଏବଂ ବିଲ୍‌କୁ ଚୟନ କମିଟିକୁ ପଠାନ୍ତୁ ବୋଲି ଦାବି କରିଛନ୍ତି ଅମର ପଟ୍ଟନାୟକ।

କୃଷକଙ୍କୁ ଲାଭବାନ କରିବା ପାଇଁ ସରକାର ୩ଟି ନୂଆ ବିଲ୍‌ ଆଣିଛନ୍ତି। ଏହି ବିଲ୍‌ଗୁଡ଼ିକ ହେଲା କୃଷି ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ, ପ୍ରୋତ୍ସାହନ ଓ ସୁବିଧା ବିଲ୍ ୨୦୨୦, କୃଷକ ସଶକ୍ତୀକରଣ ଓ ସଂରକ୍ଷଣ, ଦର ଆଶ୍ୱସ୍ତି ଓ କୃଷି ସେବା ବୁଝାମଣା ବିଲ୍ ୨୦୨୦।

ରାଜ୍ୟସଭାରେ ଅନ୍ୟ ଦଳ ଉପରେ ନିର୍ଭରଶୀଳ ମୋଦୀ ସରକାର

ଏହି ବିଲକୁ ବିରୋଧ କରି ଶିରୋମାନି ଅକାଳୀ ଦଳର ହରସିମରତ କୌର ବାଦଲ କେନ୍ଦ୍ର ମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। କଂଗ୍ରେସ, ବିଜେଡି ମଧ୍ୟ ଏହାକୁ ବିରୋଧ କରୁଛି। ଲୋକସଭାରେ ସରକାରଙ୍କ ବିପୁଳ ସଂଖ୍ୟାଗରିଷ୍ଠତା ଥିବାରୁ ବିଲ୍ ସହଜରେ ପାରିତ ହୋଇଥିଲା। କିନ୍ତୁ ରାଜ୍ୟସଭାରେ ମୋଦୀ ସରକାରଙ୍କ ସଂଖ୍ୟାଗରିଷ୍ଠତା ନାହିଁ। ବିଲ୍ ପାସ୍ କରିବା ପାଇଁ ତାଙ୍କୁ ଅନ୍ୟ ଦଳ ଉପରେ ନିର୍ଭର କରିବାକୁ ପଡିଛି।

Comment