ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ। ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ସେତୁ ନିର୍ମାଣ ହେବ। ଏଥିପାଇଁ ରାଜ୍ୟ ସରକାର ୧୫୦ କୋଟି ଟଙ୍କା ମଂଜୁର କରିଛନ୍ତି। ୬୦୦ ମିଟର ଲମ୍ବା ଏବଂ ୫୦ ମିଟର ଉଚ୍ଚତାରେ ନିର୍ମାଣ ହେବ ଏହି ସେତୁ। ଏହି ସେତୁ ହେଲେ ନବରଙ୍ଗପୁରରୁ କୋରାପୁଟ ଏବଂ ରାୟଗଡା ଜିଲ୍ଲା ସହ ଯୋଗାଯୋଗ ସୁବିଧା ହୋଇପାରିବ। ଏଥିସହିତ ଜଳବନ୍ଦୀ ଅଂଚଳବାସୀଙ୍କ ଦୁଃଖ ଦୂର ହେବା ସହ ବିପଦପୂର୍ଣ୍ଣ ନୌଯାତ୍ରା ଜୀବନଶୈଳୀରୁ ମଧ୍ୟ ନିସ୍ତାର ମିଳିବ।

ଏହି ସେତୁ ନିର୍ମାଣ ନିମନ୍ତେ ଦୁଇ ବର୍ଷ ସମୟ ଲାଗିବ। ସେହିପରି କେନ୍ଦୁଗୁଡ଼ା ନଦୀଘାଟ ତଥା ଇନ୍ଦ୍ରାବତୀ ଜଳ ଭଣ୍ଡାର ଉପରେ ନିର୍ମାଣ ହେବାକୁ ଥିବା ପୋଲକୁ ଲାଗି ୫ କିଲୋମିଟରରୁ ଉର୍ଦ୍ଧ୍ଵ ସଂଯୋଗୀକରଣ ରାସ୍ତା ନିର୍ମାଣ ହେବ। ଏହି ସେତୁ ନିର୍ମାଣ ଦ୍ୱାରା ତିନି ଜିଲ୍ଲା ଅର୍ଥାତ ନବରଙ୍ଗପୁର, କୋରାପୁଟ ଏବଂ ରାୟଗଡା ଜିଲ୍ଲା ସହ ଯୋଗାଯୋଗ ସୁବିଧା ହୋଇପାରିବ। ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ସମ୍ପର୍କ ସ୍ଥାପନ ହେବ। ବ୍ୟବସାୟିକ କ୍ଷେତ୍ରରେ ବିକାଶ ଘଟିବ। ଏହି ପୋଲ ନିର୍ମାଣ ଦ୍ୱାରା ରାୟଗଡା ସହରକୁ ୧୨୦ କିଲୋମିଟର ଦୂରତା କମ ପଡିବ ବୋଲି ସୂଚନା ମିଳିଛି। ଏହି ଖବର ପ୍ରଚାର ହେବା ପରେ ତିନି ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।  ଇନ୍ଦ୍ରାବତୀ ମୁଖ୍ୟ ନଦୀ ସମେତ ମୁରାନ, କପୁର ଓ ପଡ଼ାଗଡ଼ ନଦୀରେ ବନ୍ଧ ବାନ୍ଧି ଆରମ୍ଭ ହୋଇଥିଲା ଇନ୍ଦ୍ରାବତୀ ନଦୀବନ୍ଧ ବହୁମୁଖୀ ଯୋଜନା। ବନ୍ଧ ବାନ୍ଧିବା ଦ୍ୱାରା ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଲୀନ ହୋଇଯାଇଥିଲା ୧୦୫ଟି ଗ୍ରାମ। ବିସ୍ଥାପିତ ହୋଇଥିଲେ ୫୯୮୯ଟି ପରିବାର। ଜଳଭଣ୍ଡାର ଅପରପାର୍ଶ୍ୱରେ ରହିଯାଇଥିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଂଚାୟତର ଟାଂଗନିକୋଟ, ବାଗରା, ଗୁରୁମାଇଗୁଡା, ପିପଲଗୁଡା,ତଳଙ୍ଗ ଏବଂ ଝଲାଗୁଡା ଏଭଳି ଛଅଟି ଗ୍ରାମ।ଏହି ଛଅଟି ଗ୍ରାମ ସମେତ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଦୁଆରଶୁଣି ପଂଚାୟତର ଅନେକ ଗ୍ରାମବାସୀ ତେନ୍ତୁଳିଖୁଣ୍ଟି ବ୍ଲକ ଉପରେ ନିର୍ଭର କରି ଚଳି ଆସୁଛନ୍ତି। ଯାତାୟତ ନିମନ୍ତେ ସେମାନେ ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଲାଗିଥିବା କେନ୍ଦୁଗୁଡା ନଦୀଘାଟ ଉପରେ ନିର୍ଭର କରିଥାନ୍ତି। ଦେଶୀ ଡଙ୍ଗା ସାହାଯ୍ୟରେ ପ୍ରାୟ ୪୦୦ ମିଟର ଦୂରତା ବିଶିଷ୍ଟ ଜଳଭଣ୍ଡାର ଅତିକ୍ରମ କରି ଇନ୍ଦ୍ରାବତୀ ସହର, ମଞ୍ଚାଗାଁ ଗ୍ରାମ ପଚାୟତ, ଲମତାଗୁଡ଼ା ହାଟ, ତଥା ବ୍ଲକ କାର୍ଯ୍ୟାଳୟ ଉପରେ ନିର୍ଭର କରନ୍ତି।ବିପଦ ସଂକୁଳ ଡଙ୍ଗା ଯାତ୍ରା ଯୋଗୁଁ ବିଗତ ବର୍ଷ ମାନଙ୍କରେ ଅନେକ ଧନ ଜୀବନ ନଷ୍ଟ ହେବାର ନଜିର ମଧ୍ୟ ରହିଛି। ବହୁ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଅଂଚଳବାସୀଙ୍କ ଦୁଃଖ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ମଞ୍ଚଗାଁ ପଂଚାୟତର କେନ୍ଦୁଗୁଡା ନଦୀ ଘାଟରେ ଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ଉପରେ ପୋଲ ନିର୍ମାଣ କରିବା ଦ୍ୱାରା ଅଂଚଳବାସୀ ଉପକୃତ ହେବେ ବୋଲି ଆଶା କରାଯାଉଛି।

Comment