ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ କଟକଣା ଭିତରେ ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ଆଜି ଅଧିବେଶନ ଆରମ୍ଭ ହେବା ପରେ ପ୍ରଥମେ ଦିବଙ୍ଗତ ନେତା, କୋଭିଡ୍ ଯୋଦ୍ଧା ଓ ଦେଶ ପାଇଁ ସହିଦ ହୋଇଥିବା ସେନା ଅଧିକାରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଶୋକ ପ୍ରସ୍ତାବ ଆଗତ ହେବା ପରେ ଗୃହକୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି।

ପୂର୍ବତନ ରାଷ୍ଟ୍ରପତି ଡକ୍ଟର ପ୍ରଣବ ମୁଖାର୍ଜୀ, ବିଧାୟକ ମଦନ ମୋହନ ଦତ୍ତ, ବିଷ୍ଣୁ ଚରଣ ଦାସ, ଶେକ ମତଲୁବ ଅଲ୍ଲୀ, ଅର୍ଜୁନ ଚରଣ ସେଠୀ, ସହିଦ ଚନ୍ଦ୍ରକାନ୍ତ ପ୍ରଧାନ, ସହିଦ ନୁତୁରାମ ସୋରେନ୍, କୋଭିଡ୍ ଯୋଦ୍ଧା ଦେବାଶିଷ ସେଠୀଙ୍କ ବିୟୋଗରେ ବିଧାନସଭାରେ ଆଜି ସମସ୍ତେ ଶୋକ ପ୍ରକାଶ କରିଥିଲେ।ଗୃହର କାର୍ଯ୍ୟ ୩ଟା ପରେ ପୁଣି ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଚଳିତ ଥର କୋଭିଡ୍ କଟକଣାକୁ ମାନି ମୌସୁମୀ ଅଧିବେଶନ ବସିଛି। ବିଧାୟକମାନେ ବିଧାନସଭାରେ ସାମାଜିକ ଦୂରତା ନିୟମ ମାନିଥିବାବେଳେ ମାସ୍କ ବ୍ୟବହାର କରିଛନ୍ତି। କିଛି ବିଧାୟକ ନିଜ ଜିଲ୍ଲା କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିରେ ଯୋଡ଼ି ହୋଇଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ନବୀନ ନିବାସରୁ ଭିଡିଓ କନଫରେନ୍ସିରେ ବିଧାନସଭା ଅଧିବେଶନରେ ଯୋଗ ଦେଇଛନ୍ତି।

Comment