ଓଡ଼ିଶାଲାଇଭ୍ ବ୍ୟୁରୋ

  • ବାର୍ଷିକ ସ୍କୁଲ୍ ଫି’ ଅନୁସାରେ ଧାର୍ଯ୍ୟ ହେବ ଫି’ ଛାଡ଼
  • ସର୍ବନିମ୍ନ ୭.୫ ପ୍ରତିଶତ କମିବ
  • ସର୍ବାଧିକ ୨୬ ପ୍ରତିଶତ କମିବ
  • ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ସ୍କୁଲ୍ ଫି’ ଛାଡ଼କୁ ନେଇ ଆଜି ରାଜ୍ୟ ଗଣଶିକ୍ଷା ସଚିବଙ୍କ ପକ୍ଷରୁ ହାଇକୋର୍ଟରେ ରିପୋର୍ଟ ଦାଖଲ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଭିଭାବକ ସଂଘ, ଶିକ୍ଷକ ସଂଘ, ସ୍କୁଲ୍ ସଂଘର ବିଭିନ୍ନ କର୍ମକର୍ତ୍ତାଙ୍କୁ ନେଇ ଏହି ବୈଠକ ହୋଇଥିଲା। ଯେଉଁ ବୈଠକର ସର୍ବସମ୍ମତିକ୍ରମେ ନିଆଯାଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ସଚିବ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି।

ଏହି ରିପୋର୍ଟରେ କେଉଁ ସ୍କୁଲ୍ ପିଲାଙ୍କଠାରୁ ବାର୍ଷିକ କେତେ ସ୍କୁଲ୍ ଫି’ ନେଉଛନ୍ତି ସେହି ହିସାବରେ ଫି’ ମଧ୍ୟ ଛାଡ଼ ପାଇଁ ନିଷ୍ପତ୍ତି ନିଆଯାଇଛି। ସର୍ବନିମ୍ନ ଗୋଟିଏ ସ୍କୁଲରୁ ୭.୫ ପ୍ରତିଶତ ସ୍କୁଲ୍ ଫି’ ଛାଡ଼ ପାଇଁ ପ୍ରସ୍ତାବ ଦିଆଯାଇଥିଲା ବେଳେ ସର୍ବାଧିକ ୨୬ ପ୍ରତିଶତ ପର୍ଯ୍ୟନ୍ତ ସ୍କୁଲ୍ ଫି’ ଛାଡ଼ ହେବ ବୋଲି ପ୍ରସ୍ତାବ ରହିଛି।

ଏହି ପ୍ରସ୍ତାବରେ କୁହାଯାଇଛି ଯେ, ଯେଉଁ ବିଦ୍ୟାଳୟର ବାର୍ଷିକ ଫି’୬ ହଜାର ଟଙ୍କା ମଧ୍ୟରେ ହୋଇଥିବ ସେମାନଙ୍କ କ୍ଷେତ୍ରରେ ଫି’ ଛାଡ଼ ବ୍ୟବସ୍ଥା ଲାଗୁ କରାଯିବ ନାହିଁ। ଯେଉଁ ବିଦ୍ୟାଳୟର ଫି’ବାର୍ଷିକ ୬ ହଜାର ୧ ଟଙ୍କାରୁ ୧୨ ହଜାର ଟଙ୍କା ମଧ୍ୟରେ ହୋଇଥିବ ସେହି ବିଦ୍ୟାଳୟର ସ୍କୁଲ୍ ଫି’ ୭.୫ ପ୍ରତିଶତ ଛାଡ଼ କରାଯିବ। ଯେଉଁ ବିଦ୍ୟାଳୟର  ବାର୍ଷିକ ଫି’ ୧୨ ହଜାର ୧ ଟଙ୍କାରୁ ୨୪ ହଜାର ଟଙ୍କା ମଧ୍ୟରେ ହୋଇଥିବ ସେମାନଙ୍କର ୧୨ ପ୍ରତିଶତ, ଯେଉଁମାନଙ୍କର ୨୪ ହଜାର ୧ ଟଙ୍କାରୁ ୪୮ ହଜାର ଟଙ୍କା ମଧ୍ୟରେ ହୋଇଥିବ ସେମାନଙ୍କର ୧୫ ପ୍ରତିଶତ, ଯେଉଁମାନଙ୍କର ୪୮ ହଜାର ୧ଟଙ୍କାରୁ ୭୨ ହଜାର ମଧ୍ୟରେ ହୋଇଥିବ ସେମାନଙ୍କର ୨୦ ପ୍ରତିଶତ, ଯେଉଁମାନଙ୍କର ବାର୍ଷିକ ଫି’ ୭୨ ହଜାର ୧ ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥିବ ସେମାନଙ୍କର ୨୫ ପ୍ରତିଶତ ଏବଂ ଯେଉଁମାନଙ୍କର ୧ ଲକ୍ଷରୁ ଅଧିକ ହୋଇଥିବ ସେମାନଙ୍କର ୨୬ ପ୍ରତିଶତ ପର୍ଯ୍ୟନ୍ତ ଫି’ ଛାଡ଼ କରିବାକୁ ପ୍ରସ୍ତାବ ନିଆଯାଇଛି।କୋଭିଡ୍ ସମୟରେ ସ୍କୁଲ୍ ଫି’ଛାଡ଼କୁ ନେଇ ଲାଗି ରାହିଥିବା ବିବାଦର ସମାଧାନ ପାଇଁ ହାଇକୋର୍ଟ ଅଭିଭାବକ ସଂଘ ଏବଂ ଶିକ୍ଷକ ସଂଘ ମଧ୍ୟରେ ବୈଠକ ବସି ଏକ ଆପୋଷ ସମାଧାନର ରାସ୍ତା ବାହାର କରିବାକୁ ପ୍ରସ୍ତାବ ଦେଇଥିଲେ। ବିଦ୍ୟାଳୟ ଏବଂ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ପରାମର୍ଶକ୍ରମେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ବସିବା ପରେ ଯେଉଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ଉକ୍ତ ନିଷ୍ପତ୍ତି ସଂକ୍ରାନ୍ତରେ ହାଇକୋର୍ଟଙ୍କୁ ଆଜି ଅବଗତ କରାଯାଇଥିଲା। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ଶେଷ କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି।

ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଗତ ୪ ତାରିଖରେ ସଚିବ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ, ସାଧାରଣ ସମ୍ପାଦକ, ସହ ଅଧ୍ୟକ୍ଷ, ପ୍ୟାରେଣ୍ଟସ୍ ଆସୋସିଏସନର ପ୍ରତିନିଧି, ଅଲ୍ ଓଡିଶା ପ୍ରାଇଭେଟ୍ ସ୍କୁଲ୍ ଟିଚରର୍ସ ଆସୋସିଏସନର ସଦସ୍ୟ, କନ୍ଫେଡେରେସନ୍ ଅଫ ଓଡ଼ିଶା ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଏବଂ ସଦସ୍ୟମାନେ ଉପସ୍ଥିତ ଥିଲେ।

ପ୍ରତ୍ୟେକ ନିଜ ନିଜର ମତ ଉପସ୍ଥାପନ କରିବା ପରେ ୭ ତାରିଖରେ ସେମାନଙ୍କର ଲିଖିତ ଜବାବ ରଖିବାକୁ କୁହାଯାଇଥିଲା। ୯ ତାରିଖରେ ଏହା ଉପରେ ଆଲୋଚନା ହୋଇଥିଲା। ଏଥିରେ ତିନୋଟି ଯାକ ସଂଘର ୧୪ ଜଣ ସଦସ୍ୟ ଲିଖିତ ପ୍ରସ୍ତାବରେ ସହମତି ନେଇ ନିଜର ଦସ୍ତଖତ ଦେଇଥିଲେ।ସ୍କୁଲ୍ ଫି’ ଛାଡ଼କୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ, ପ୍ରହଲ୍ଲାଦ ରାଉତ ଏବଂ ଅନ୍ୟମାନଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ପ୍ରହଲ୍ଲାଦ ରାଉତଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ କୁମାର ରାଉତ ଏବଂ ଅଭିଭାବକ ସଂଘ ପକ୍ଷରୁ ଆଇନଜୀବୀ ଭି ନରସିଂହ ଏବଂ ବିଭୁତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।

Comment