ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ମହୁମାଛି ଆକ୍ରମଣରେ ୪ ଗୁରୁତର। ମଙ୍ଗଳବାର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ଗ୍ରାମରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଗୁରୁତର ବ୍ୟକ୍ତିମାନଙ୍କୁ ଚିକିତ୍ସା ପାଇଁ ପାତ୍ରପୁଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା ଜାରି ରହିଛି।ମଙ୍ଗଳବାର ସକାଳୁ ପାତ୍ରପୁଟ ଗ୍ରାମର ରତନ ଗୌଡ଼, ସନୁ ଅମାନତ୍ୟ, ସୁନାଧର ନାୟକ, ନବୀନ ପାତ୍ର ପିଲିବାସନି ରାସ୍ତା ନିକଟ ପୋଖରୀ ପାଖରେ ଗାଈ ଚରାଇବାକୁ ଯାଇଥିଲେ। ପୋଖରୀ ପାଖ ଏକ ବରଗଛରେ ବାଘ ମହୁମାଛି ବସା ବାନ୍ଧି ରହିଥିଲେ। ଏହି ସମୟରେ ଏକ ଛଞ୍ଚାଣ ମହୁ ବସାକୁ ଖୁମ୍ପି ଦେବାରୁ ମହୁମାଛି ବସାରୁ ବାହାରି ଲୋକଙ୍କୁ ଆକ୍ରମଣ କରିଥିଲା।

ପ୍ରାଣ ବିକଳରେ ଯିଏ ଯୁଆଡେ ଦୌଡ଼ି ପଳେଇଥିଲେ। ତଥାପି ମହୁମାଛି କବଳରୁ ବଞ୍ଚି ପାରିନଥିଲେ ରତନ, ସନୁ, ସୁନାଧର ଏବଂ ନବୀନ। ମହୁମାଛି ଚାରିଜଣଙ୍କ ମୁହଁ, କାନ, ଆଖି, ନାକ ସମେତ ଶରୀରର ସମସ୍ତ ସ୍ଥାନରେ ଆକ୍ରମଣ କରିଥିଲେ।ସ୍ଥାନୀୟ ଲୋକଙ୍କ ସହାୟତାରେ ଚାରିଜଣଙ୍କୁ ପାତ୍ରପୁଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଥିଲା। ରତନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିଥିବା ଡାକ୍ତର ଶାନ୍ତି ସ୍ୱରୂପ ପଟ୍ଟନାୟକ କହିଛନ୍ତି।

Comment