ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଦିନ ଦ୍ଵିପ୍ରହରରେ ଏଭଳି ଘଟଣା ଘଟିଛି ଭୁବନେଶ୍ଵରର ସାମନ୍ତରାପୁରରେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ସାମନ୍ତରାପୁରର ଜଣେ ମିଠା ଦୋକାନୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ହତ୍ୟାକାରୀ ଜଣକ ମଧ୍ୟ ଜଣେ ମିଠା ଦୋକାନୀ ବୋଲି ଜଣାପଡ଼ିଛି। ବ୍ୟବସାୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଖବର ପ୍ରସାରିତ ହେବା ପରେ ଉତ୍ୟକ୍ତ ଲୋକେ ଭୁବନେଶ୍ଵର-ପୁରୀ ରାସ୍ତା ଅବରୋଧ କରିଥିଲେ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିବା ସୂଚନା ମିଳିଛି।ଭୁବନେଶ୍ଵରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ଅପରାଧୀମାନେ ପୋଲିସ ଆଖିରେ ଧୂଳି ଦେଇ ଦିନ ଦ୍ଵିପ୍ରହରରେ ମଧ୍ୟ ବିଚ୍ ରାସ୍ତାରେ ଅପରାଧ ଘଟାଉଛନ୍ତି। ପ୍ରତିଦିନ ରାଜଧାନୀରେ ଚୋରି, ଡକାୟତି, ହତ୍ୟାକାଣ୍ଡ ପରି ଘଟଣା ସାମ୍ନାକୁ ଆସୁଛି। ଅପରାଧୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବାରୁ ସାଧାରଣ ଲୋକେ ଅସୁରକ୍ଷିତ ହୋଇପଡ଼ୁଥିବା ଅଭିଯୋଗ ହେଉଛି।

Comment