ଓଡ଼ିଶାଲାଇଭ୍ ବ୍ୟୁରୋ

ଚୋର, ଚୋରି କରିବା କଥା ତ ଆପଣ ଶୁଣିଥିବେ। କିନ୍ତୁ ଚୋରି ପରେ ଚୋର କେବେ କ୍ଷମା ପ୍ରାର୍ଥନା କରିବା କେବେ ଶୁଣିଛନ୍ତି କି? ତେବେ ମଦୁରାଇରେ ଜଣେ ଚୋରର ଏପରି କାର୍ଯ୍ୟକଳାପକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି। ଚୋର ଜଣକ ଚେନ୍ନାଇର ଉସିଲମ୍‌ପଟ୍ଟିର ଏକ ସୁପର୍‌ମାର୍କେଟରୁ ଚୋରି କରିବା ପରେ ଦୋକାନ ମାଲିକଙ୍କ ପାଇଁ ଏକ ଚିଠିରେ ‘ସରି’ ଲେଖିକରି ଛାଡ଼ିଯାଇଛନ୍ତି।

କେବଳ ସେତିକି ନୁହେଁ, ଏହି ଅପରାଧର କାରଣ ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଭୋକରେ ଥିଲେ, ତେଣୁ ଚୋରି ପନ୍ଥା ଆପଣେଇବା ପାଇଁ ବାଧ୍ୟ ହୋଇଥିବା ସେ ଏଥିରେ ଲେଖିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ,‘ଆପଣ ଦିନକର ଆୟ ହରାଇଲେ, କିନ୍ତୁ ଏହା ମୋର ୩ ମାସର ଆୟ ସହ ସମାନ। ତେଣୁ ଆଉ ଥରେ ମୁଁ କ୍ଷମା ପ୍ରାର୍ଥନା କରୁଛି।’

ତାମିଲନାଡୁର ଉସିଲମ୍‌ପଟ୍ଟି-ମଦୁରାଇ ରୋଡ୍‌ରେ ଏମ୍‌ ରାମପ୍ରକାଶଙ୍କ ଏକ ସୁପର୍‌ମାର୍କେଟ ରହିଛି। ଗତ ଗୁରୁବାର ସକାଳେ ସେ ଦୋକାନ ଖୋଲିବା ପରେ ଜାଣିବାକୁ ପାଇଲେ, ତାଙ୍କର ୨ କମ୍ପ୍ୟୁଟର, ୧ ଟିଭି ଏବଂ ୫ ହଜାର ଟଙ୍କା ଦୋକାନରେ ନଥିଲା। ତେବେ ଚୋରି ହୋଇଥିବା ସ୍ଥାନରେ ଚିଠିଟିଏ ପଡ଼ିଥିଲା ଆଉ ସେଥିରେ କ୍ଷମା ପ୍ରାର୍ଥନା କରାଯାଇଥିବା ଲେଖାଯାଇଥିଲା।

ଏହା ପରେ ରାମପ୍ରକାଶ ଥାନାରେ ଅଭିଯୋଗ କରିଥିଲେ। ପୋଲିସର ଯାଞ୍ଚରୁ ଜଣାପଡ଼ିଲା ଚୋର ଜଣକ ହିଁ ସେହି ଚିଠିଟି ଲେଖିଛନ୍ତି। ଉଭୟ ସିସିଟିଭି ଏବଂ ଫିଙ୍ଗରପ୍ରିଣ୍ଟ ମ୍ୟାଚିଂରୁ ଏହି ତଥ୍ୟ ପ୍ରମାଣିତ ହୋଇଥିଲା। ତେବେ ଚୋରି ପରେ ଚିଠି ଲେଖି କ୍ଷମା ପ୍ରାର୍ଥନା କରିବାର ଏହି ତରିକା ପ୍ରଥମ ଏବଂ ଏବେ ବେଶ୍ ଚର୍ଚ୍ଚିତ।

Comment