ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦେଶରେ ବିଭିନ୍ନ ସହରରେ ଆଜିଠୁ ଖୋଲିଛି ସିନେମା ହଲ୍‌
  • ଓଡ଼ିଶାରେ ଅକ୍ଟୋବର ୩୧ ଯାଏଁ ବନ୍ଦ
  • ବିପଦରେ ସିନେମା ହଲ୍‌ ବ୍ୟବସାୟ

କେନ୍ଦ୍ର ସରକାରଙ୍କ କରୋନା ନିର୍ଦ୍ଦେଶାବଳୀ ଅନୁଯାୟୀ ଗୁରୁବାରଠାରୁ ସମଗ୍ର ଦେଶରେ ସିନେମା ହଲ୍‌ଗୁଡ଼ିକ ଖୋଲିଛି। ଓଡ଼ିଶା ସରକାର କିନ୍ତୁ ଏହି ନିର୍ଦ୍ଦେଶକୁ ନମାନି ମାସ ଶେଷ ପର୍ଯ୍ୟନ୍ତ କଟକଣାକୁ ବଢାଇଛନ୍ତି। ଏହା ଫଳରେ ରାଜ୍ୟରେ ସିନେମା ହଲ୍‌ ବ୍ୟବସାୟ ଏକ ରକମ ବୁଡ଼ିବାକୁ ବସିଛି।

କରୋନା ମହାମାରୀ ଆସିବା ପରେ ଦୀର୍ଘ ୭ ମାସ ଧରି ଓଡ଼ିଶାରେ ସିନେମା ହଲ୍ ସବୁ ବନ୍ଦ ରହିଛି। ଏବେ ଆହୁରି ୧୫ ଦିନ ବଢାଇବା ଯୋଗୁଁ ବ୍ୟବସାୟ ଧୂଳିସାତ ହେବାକୁ ଯାଉଛି। ଅବସ୍ଥା ଏଭଳି ହୋଇଛି ଯେ ସିନେମା ଓ ଟେଲିଭିଜନ  ଶିଳ୍ପ ସହ ଜଡ଼ିତ ବ୍ୟକ୍ତି ଓ ସିନେମା ହଲ ମାଲିକ ଅନେକ ଆଶଙ୍କା କରୁଛନ୍ତି ଯେ ଗୋଟିକିଆ ପରଦା ଥିବା ହଲ୍‌ଗୁଡ଼ିକ କରୋନା ଯୋଗୁଁ ବଳି ପଡ଼ିବେ।CINEMA HALL

ଏମିତି ତ ଓଡ଼ିଶାର ଫିଲ୍ମ ବ୍ୟବସାୟ ଆଗରୁ କଷ୍ଟ ସମୟ ଦେଇ ଗତି କରୁଥିଲା। ଏବେ ଯେତେବେଳେ ହଲ୍‌ ହିଁ ଖୋଲୁନି ଲୋକେ କ’ଣ ଆଉ ଦେଖିବେ। ଯଦି ହଲ ଖୋଲିବନି ଯେଉଁମାନେ ସିନେମା ତିଆରି କରୁଛନ୍ତି ସେମାନେ ତାକୁ କୋଉଠି ପ୍ରଦର୍ଶନ କରିବେ? ଓଡ଼ିଶାର କିଛି ହଲ୍‌ ମାଲିକ ଏଭଳି ପ୍ରଶ୍ନ ମଧ୍ୟ କରିଛନ୍ତି।

କିଛି ଦିନ ତଳେ କଟକର ନିଶାମଣି ହଲ ସବୁଦିନ ପାଇଁ ବନ୍ଦ ହୋଇଯାଇଛି। କଟକର ଆଉ ଜଣେ ହଲ୍ ମାଲିକଙ୍କ କହିବା କଥା ସେ ବି ଦୋକାନ ବନ୍ଦ କରିବା ପାଇଁ ଯାଉଛନ୍ତି। ଶୁଣାଯାଉଛି ବିଭିନ୍ନ ସ୍ଥାନରେ ଥିବା ସିଙ୍ଗଲ ସ୍କ୍ରିନ ସିନେମା ହଲ ମାଲିକ ମାନେ ତାହାକୁ ଗୋଦାମ ଘର କିମ୍ବା ବିବାହ ମଣ୍ଡପ କରିବା ଆରମ୍ଭ କଲେଣି। ସାତ ମାସ ହଲ ବନ୍ଦ ରହିଥିବା ଯୋଗୁଁ ଏହା ବ୍ୟବସାୟର ମେରୁଦଣ୍ଡ ଭାଙ୍ଗି ଦେଇଛି।

ଉତ୍କଳ ସିନେ ଚାମ୍ବର ଅଫ କମର୍ସର ସଭାପତି ଦିଲୀପ ମିଶ୍ର  ଯିଏ କି ନିଜେ ଜଣେ ଫିଲ୍ମ ବିତରକ ଏନେଇ କହିଛନ୍ତି,‘‘ମହାମାରୀ ଆସିବା ପରେ ରାଜ୍ୟର ୩୦ ପ୍ରତିଶତ ଗୋଟିକିଆ ପରଦା ଥିବା ହଲ ବନ୍ଦ ହେବା ଉପରେ। ଏହି ହଲ୍‌ରେ ହଜାର ହଜାର ଲୋକ ନିଯୁକ୍ତି ପାଇଥିଲେ ଓ ସେମାନଙ୍କ ଭରଣ ପୋଷଣ ଏବେ ବିପଦରେ। ଆଗାମୀ ଦିନରେ ଏହି ଲୋକ ମାନଙ୍କ ଅବସ୍ଥା ଆହୁରି ଖରାପ ହେବ ଏହା ନିଶ୍ଚିତ। ବର୍ତ୍ତମାନ ସମୟ ଆସିଛି ସମସ୍ତେ ଏକାଠି ହୋଇ ସିନେମା ଶିଳ୍ପକୁ ବଞ୍ଚାଇବା’’।

ଆଉ କିଛି ସିନେମା ହଲ୍‌ ମାଲିକ କହିଛନ୍ତି ଯେ ଆଗରୁ ଦିନେ କି ଦୁଇ ଦିନ ହଲ ବନ୍ଦ ରହିବାମାନେ ଛନକା ପଶୁଥିଲା। ଏବେ ୭ ମାସ ହେଲା ସବୁ ବନ୍ଦ ରହିଛି। ସବୁଠୁ ବଡ଼ କଥା ହେଲା ହଲ୍ ମାଲିକମାନଙ୍କୁ କର୍ମଚାରୀଙ୍କୁ ବସାଇ ଦରମା ଦେବାକୁ ହେଉଛି।

‘‘ଆଗରୁ ଯେତେବେଳେ ହଲ୍‌ ଫୁଲ ଚାଲୁଥିଲା ଦୈନିକ ପ୍ରାୟ ୨୫ ହଜାର ରୋଜଗାର କରୁଥିଲୁ।ଏଥିରେ କର୍ମଚାରୀଙ୍କ ଦରମା ପ୍ରାୟ ଦଶ ହଜାର। ଏବେ କିନ୍ତୁ ଟଙ୍କାଟିଏ ରୋଜଗାର ନାହିଁ ଅଥଚ ସେତିକି ଟଙ୍କା ଦରମା ଦେବାକୁ ପଡୁଛି‘‘, ଏହା କହିଛନ୍ତି ରବି ଟକିଜ ମାଲିକ ଅଶୋକ କୁମାର ମହାପାତ୍ର। ରବି ଟକିଜ ହେଉଛି ଭୁବନେଶ୍ୱରର ଏକ ପୁରୁଣା ହଲ୍।

ସିନେମା ହଲ୍‌ ମାଲିକଙ୍କଦାବି ହେଉଛି ସରକାର ଆଉ କାଳ ବିଳମ୍ବ ନକରି ସିନେମା ହଲ ଖୋଲିବା ପାଇଁ ଅନୁମତି ପ୍ରଦାନ କରନ୍ତୁ। ତା’ ଛଡ଼ା ଏହି ଶିଳ୍ପକୁ ସରକାର ପ୍ରୋତ୍ସାହନ ବି ଦେବା ଦରକାର।

Comment