ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଓଡ଼ିଶା-ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରେ ମାଓ ଦମନ କାର୍ଯ୍ୟକ୍ରମ ଆହୁରି ଜୋରଦାର ଓ କଠୋର ହେବ। ଦୁଇ ରାଜ୍ୟର ଗୁଇନ୍ଦା ସଂସ୍ଥା ଓ ପୋଲିସ ମଧ୍ୟରେ କିପରି ସମନ୍ୱୟ ରକ୍ଷା କରାଯାଇ ମାଓ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯିବ ସେ ନେଇ ଆନ୍ଧ୍ର ପ୍ରଦେଶ ପୋଲିସ ଏବଂ ଓଡ଼ିଶା ପୋଲିସ ଡିଜିଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏଥିସହ ମାଓ ଦମନ କରିବାକୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି।

ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ, ଆନ୍ଧ୍ର ପ୍ରଦେଶ ପୋଲିସ ଡିଜି ଦାମୋଦର ଗୌତମ ସାୱାଙ୍ଗଙ୍କ ମଧ୍ୟରେ ଆଲୋଚନା ହୋଇଛି। ଦୁଇ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ମାଓ ଦମନ ପ୍ରସଙ୍ଗରେ ଭବିଷ୍ୟତ କାର୍ଯ୍ୟପନ୍ଥା ଓ ରଣନୀତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଓଡ଼ିଶାର ସ୍ୱାଭିମାନ ଅଞ୍ଚଳ ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଆଦି ଜିଲ୍ଲା ସହ ଓଡ଼ିଶା ସୀମାକୁ ଲାଗିଥିବା ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲ୍ଲା, ଶ୍ରୀକାକୁଲମ ଜିଲ୍ଲା ସମେତ ବିଶାଖାପାଟଣାର ଗ୍ରାମାଞ୍ଚଳ ସୀମାରେ ଉଭୟ ରାଜ୍ୟ ପୋଲିସବାହିନୀ ପକ୍ଷରୁ ମିଳିତ ଅପରେସନ୍ ହେବ। ମାଓ ଦମନ ପଦକ୍ଷେପ ପାଇଁ ଗୁଇନ୍ଦାକୁ ଅଧିକ ସକ୍ରିୟ ହେବାକୁ ଦୁଇ ରାଜ୍ୟ ଡିଜି ଗୁରୁତ୍ୱ ଦେଇଛନ୍ତି।ସେହିପରି ମିଳିତ ଅପରେସନ୍‌ରେ ବିଏସ୍‌ଏଫ୍ ଏବଂ ସିଆରପିଏଫ୍‌ର ମଧ୍ୟ ସହଯୋଗ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଭିଡିଓ କନଫରେନସିଂ ମାଧ୍ୟମରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠ, ବିଏସ୍‌ଏଫ୍‌ର ଅତିରିକ୍ତ ଡିଜି, ସିଆର୍‌ପିଏଫ୍ ଆଇଜି, ଓଡ଼ିଶା ପୋଲିସର ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଏସ୍‌ଡବ୍ଲୁଆଇ ଡିଆଇଜି ଅନିରୁଦ୍ଧ ସିଂ, ଗୁଇନ୍ଦା ଡିଆଇଜି ଅନୁପ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।

Comment