ଓଡ଼ିଶାଲାଇଭ୍ ବ୍ୟୁରୋ

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ ପରେ ସଜାଗ ହୋଇଛି ଜଳସମ୍ପଦ ବିଭାଗ। ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଉପରେ ନଜର ରଖାଯାଇଛି। ଏଥିସହ ବିଭିନ୍ନ ନଦୀର ଜଳସ୍ତରକୁ କମ୍ ରଖାଯାଇଛି। ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।

ଲଘୁଚାପ ପ୍ରଭାବରେ ଆସନ୍ତା ୨୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବଂଶଧାରା, ନାଗାବଳୀ ଏବଂ ଋଷିକୁଲ୍ୟାର ଜଳଭଣ୍ଡାରରେ ଜଳସ୍ତର କମ୍ କରାଯାଇଛି। ପୂର୍ବରୁ ଏହି ଜଳଭଣ୍ଡାରଗୁଡ଼ିକରେ ୮୦ ପ୍ରତିଶତରୁ ଅଧିକ ପାଣିଥିବା ବେଳେ ଏବେ ତାହାକୁ ୬୫ରୁ ୭୦ ପ୍ରତିଶତ ରଖାଯାଇଥିବା ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ୮ଟି ଜିଲ୍ଲାରେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ନଦୀଗୁଡ଼ିକର ଜଳପତ୍ତନ ବିପଦ ସଙ୍କେତ ତଳେ ରହିଛି। ତେବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଦୁର୍ବଳ ନଦୀବନ୍ଧ ଥିବା ସ୍ଥାନରେ ସମସ୍ତ ପ୍ରକାର ସରଞ୍ଜାମ ମହଜୁଦ ଥିବା ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

Comment