ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭୂତି ଦିବ୍ୟାଙ୍ଗ ଥିଲେ। ପରିବାରରେ ଅଭାବ ଥିଲା। କିନ୍ତୁ ସରକାରଙ୍କ ‘ସ୍ୱାଭିମାନ’ ଯୋଜନା ତାଙ୍କ ଜୀବନ ବଦଳାଇଦେଲା। ସେ ପାଲଟିଗଲେ ସଫଳ ଧୂପକାଠି ବ୍ୟବସାୟୀ।

ଦିବ୍ୟାଙ୍ଗମାନେ ସ୍ୱାବଲମ୍ବୀ ହେବେ। ପରିବାର ଉପରେ ଆଉ ବୋଝ ହେବେନି। ନିଜ ପରିଶ୍ରମରେ ରୋଜଗାର କରିବେ। ନିଜେ ବଞ୍ଚିବା ସହିତ ପରିବାରର ଅନ୍ୟମାନଙ୍କୁ ବଞ୍ଚିବାର ରାହା ଦେଖାଇବେ। ଏଥିପାଇଁ କାମ କରୁଛି ସରକାରଙ୍କ ‘ସ୍ୱାଭିମାନ’ ଯୋଜନା। ଏହି ଯୋଜନାରେ ସ୍ୱାବଲମ୍ବୀ ହୋଇପାରିଛନ୍ତି ବିଭୂତି ଭୂଷଣ। ଜିଲ୍ଲା ପ୍ରଶାସନ ବିଭୂତିଙ୍କୁ ପୁଣି ଏକ ସ୍ଵତନ୍ତ୍ର ସହାୟତା ଯୋଗାଇ ଦେଇଛି।

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଗୋବିନ୍ଦପୁର ଗାଁର କ୍ଷେତ୍ରବାସୀ ନାୟକଙ୍କ ପୁଅ ବିଭୂତିଭୂଷଣ। ଜନ୍ମରୁ ଶାରୀରିକ ଅକ୍ଷମ। ପରିବାର ଉପରେ ବୋଝ ହୋଇ ମାନସିକ ଭାରସାମ୍ୟ ହରାଇଥିଲେ ସେ। ତାଙ୍କ ପରିବାର ମଧ୍ୟ ବିଭୂତିଙ୍କ ପାଇଁ ଚିନ୍ତାରେ ରହିଥିଲେ। ଚିନ୍ତା ଆଉ ପରିବାରରେ ଦାରିଦ୍ର‌୍ୟତା ବଢୁଥିଲା।

କେନ୍ଦ୍ରାପଡା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ବିଭୂତିଙ୍କ ସମସ୍ୟା ଅନୁଭବ କଲା। ବିଭୂତି ନିଜେ ସ୍ୱାବଲମ୍ବୀ ହେବାକୁ ଇଚ୍ଛା ପ୍ରକାଶ କଲେ। ଡିଆର୍‌ଆଇ ସ୍କିମରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ବିଭୂତିଙ୍କୁ ବ୍ୟାଙ୍କ ଅଫ ଇଣ୍ଡିଆ ପଟ୍ଟାମୁଣ୍ଡାଇ ଶାଖାରୁ ୫୦ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ଧୂପକାଠି ତିଆରି ଓ ବ୍ୟବସାୟ କରିବା ଆରମ୍ଭ କରିଥିଲେ ବିଭୂତି। ତାଙ୍କ ନିକଟରେ ଏବେ ଏକାଧିକ କାରିଗର ଧୂପକାଠି ତିଆରି କରି କାମ ଓ ରୋଜଗାର ପାଉଛନ୍ତି। ଧୂପକାଠି ବ୍ୟବସାୟରୁ ଯାହା ରୋଜଗାର ହେଉଛି ବିଭୂତି ନିଜେ ଚଳିବା ସହିତ ତାଙ୍କ ପରିବାର ଚଳାଇବାରେ ପ୍ରମୁଖ ଭୂମିକା ନେଉଛନ୍ତି। ଯାହା ଲାଭ ମିଳୁଛି ବ୍ୟାଙ୍କର ଋଣ ପରିଶୋଧ କରୁଛନ୍ତି।

ଭିନ୍ନକ୍ଷମ ବିଭୂତି ଏବେ ରୋଜଗାର ସକ୍ଷମ ହୋଇ ପାରିଛନ୍ତି। ବିଭୂତିଙ୍କ ନିଷ୍ଠାକୁ ଦେଖି କେନ୍ଦ୍ରାପଡା ଜିଲ୍ଲାପାଳ ବିଭୂତିଙ୍କ ବ୍ୟବସାୟ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଉ ୨୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଆଜି ବିଭୂତିଙ୍କ ପରି ଜଣେ ରୋଜଗାର ସକ୍ଷମ ଦିବ୍ୟାଙ୍ଗଙ୍କୁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ବିଭୂତିଙ୍କ ପରି ଅନ୍ୟ ଦିବ୍ୟାଙ୍ଗମାନେ ସରକାରଙ୍କର ଏହି ‘ସ୍ୱାଭିମାନ’ ଯୋଜନାର ସୁଯୋଗ ନେବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସ ସୂଚନା ଦେଇଛନ୍ତି।

Comment