ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକ ଆଲୋଚନା ଓ ବିବାଦ ପରେ ଶେଷରେ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ନଭେମ୍ବର ପହିଲାରୁ ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିପାରିବ ବୋଲି ରାଜ୍ୟ ସରକାର ନିଜର ଅନଲକ୍ ଗାଇଡଲାଇନରେ କହିଛନ୍ତି।

କଣ୍ଟେନମେଣ୍ଟ୍ ଜୋନ ଘୋଷଣା ହୋଇଥିବା ଅଞ୍ଚଳରେ ନଭେମ୍ବର ୩୦ ପର୍ଯ୍ୟନ୍ତ ଲକଡାଉନ୍ କଟକଣା ଜାରି ରହିବ। ଏହାବାଦ୍ ଅନ୍ୟ ସମସ୍ତ ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ଯେପରିକି ଜିଲ୍ଲାପାଳ ଓ ମୁନିସିପାଲ୍ କମିସନରଙ୍କଠୁ ଅନୁମତି ନେଇ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିପାରିବ।ମନ୍ଦିର ଖୋଲିବା ସମୟରେ ଭକ୍ତ ଓ ପୂଜକମାନେ କୋଭିଡ୍ ନିୟମ ମାନି ଚଳିବେ। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସାରା ଦେଶରେ ଲକଡାଉନ୍ କଟକଣା ଜାରି ହେବା ପରେ ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଇଥିଲା। ଏହାପରେ କେନ୍ଦ୍ର ସରକାର ନିଜର ଅନଲକ୍ ଗାଇଡଲାଇନରେ ମନ୍ଦିର ଖୋଲିବାକୁ ଅନୁମତି ଦେଇଥିଲେ। ହେଲେ ସଂକ୍ରମଣର ଭୟ ଥିବାରୁ ରାଜ୍ୟ ସରକାର ମନ୍ଦିର ଖୋଲିବାକୁ ଅନୁମତି ପ୍ରଦାନ କରିନଥିଲେ। ଏହାପରେ ଏହି ଘଟଣାକୁ ନେଇ ଅନେକ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା। ବିରୋଧୀମାନେ ଏହାକୁ ନେଇ ରାଜ୍ୟ ସରକାରଙ୍କ ସମାଲୋଚନା କରିଥିଲେ। ଏହାପରେ ଦୀର୍ଘ ୭ ମାସର ବ୍ୟବଧାନ ପରେ ରାଜ୍ୟରେ ପୁଣିଥରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ଯାଉଛି।

Comment