ଓଡ଼ିଶାଲାଇଭ୍ ବ୍ୟୁରୋ

ଅସହାୟଙ୍କୁ ସାହାଯ୍ୟ କରିବାକୁ ନେଇ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଚର୍ଚ୍ଚାରେ ରହିଆସିଛନ୍ତି। ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଫେରାଇବାକୁ ସୋନୁ ଆପ୍ରାଣ ଉଦ୍ୟମ କରିଥିଲେ, ଯାହାକୁ ସାରା ଦେଶବାସୀ ବେଶ୍ ପ୍ରଂଶସା କରିଥିଲେ। ଏବେ ସୋନୁ ଗୋଟିଏ ଗାଁ’ର ୩୫ ଜଣ ଝିଅଙ୍କୁ ମାଗଣାରେ ସାଇକେଲ ବାଣ୍ଟିବେ ବୋଲି ଘୋଷଣା କରିଛନ୍ତି।

ସନ୍ତୋଷ ଚୌହାନ ନାମକ ଜଣେ ବ୍ୟକ୍ତି ଟୁଇଟରରେ ସୋନୁ ସୁଦଙ୍କ ଟ୍ୟାଗ୍ କରି ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ ସୋନୁଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ।

ସେ ଲେଖିଥିଲେ ଯେ, ୩୫ ଜଣ ଝିଅ ପଢ଼ିବାକୁ ଚାହୁଁଛନ୍ତି। ଏଥିପାଇଁ ତାଙ୍କୁ ୮ରୁ ୧୫ କିଲୋମିଟର ଜଙ୍ଗଲ ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ହେଲେ ସେମାନଙ୍କ ପାଖରେ କୌଣସି ସାଇକେଲ୍ ନାହିଁ। ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପରିବାର ଲୋକେ ସେମାନଙ୍କ ପାଠପଢ଼ା ବନ୍ଦ କରିଦେବାକୁ ଚାହୁଁଛନ୍ତି। ତେଣୁ ସେମାନଙ୍କୁ ସାଇକେଲ୍ ଖଣ୍ଡେ ଲେଖାଏଁ ମିଳିଲେ ସେମାନେ ଉପକୃତ ହେବେ ବୋଲି ସେ ଲେଖିଥିଲେ।

ଏହାର ଉତ୍ତର ରଖି ସୋନୁ ମଧ୍ୟ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ଖୁବଶୀଘ୍ର ସେମାନଙ୍କ ପାଖରେ ସାଇକେଲ୍ ପହଞ୍ଚିଯିବ ବୋଲି ସୋନୁ ସେହି ଟୁଇଟରେ ଉତ୍ତର ଦେଇ କହିଛନ୍ତି।

ଉତ୍ତରପ୍ରଦେଶର ମିର୍ଜାପୁର ଓ ସୋନଭଦ୍ରା ଜିଲ୍ଲାରେ ଅଧିକାଂଶ ଝିଅ ପଞ୍ଚମ ଶ୍ରେଣୀ ପରେ ପାଠ ପଢ଼ା ଛାଡୁଥିବା ଦେଖିବାକୁ ମିଳୁଛି। ଏହି ଝିଅମାନେ ଅପହଞ୍ଚ ଇଲାକାରୁ ଆସୁଥିବାବେଳେ ସେମାନଙ୍କୁ ସ୍କୁଲ୍ ଯିବାକୁ ୫ରୁ ୧୫ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ସାଇକେଲ୍ ନଥିବାରୁ ଅଧିକାଂଶ ଝିଅ ଅଧାରୁ ପାଠପଢ଼ା ବନ୍ଦ କରି ଘରେ ରହୁଛନ୍ତି। ତେଣୁ ସୋନୁଙ୍କ ଏହି ସାହାଯ୍ୟ ସେମାନଙ୍କ ପାଇଁ ବରଦାନ ହେବ।

Comment