ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ପଡ଼ିବ ଭୋଟ୍। କରୋନା କାଳରେ ଭୋଟରମାନେ କୋଭିଡ୍ ଗାଇଡଲାଇନକୁ ପାଳନ କରି  ସକାଳ ୭ଟାରୁ ସନ୍ଧ୍ୟା ୬ଟା ଭିତରେ ଭୋଟ୍ ଦେବେ। ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, କରୋନା କାଳରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ ନିର୍ବାଚନ ହେଉଛି। ଏଥିପାଇଁ ଅତିରିକ୍ତ ପୋଲିଂ ବୁଥ୍ ଗଠନ କରାଯାଇଛି। ଲୋକମାନେ ସୁବିଧା ସହକାରେ ଯାଇ ଭୋଟ୍ ଦେଇପାରିବେ। ଭୋଟ୍ ଦେବାକୁ ଯିବା ସମୟରେ ସେମାନଙ୍କୁ ଗ୍ଲୋବସ୍ ଓ ସାନିଟାଇଜର ଦିଆଯିବ। ଏହାକୁ ହାତରେ ଲଗାଇବା ପରେ ସେମାନେ ଭୋଟ୍ ଦେଇପାରିବେ ବୋଲି ସେ କହିଛନ୍ତି।ଏଥିସହ ଭୋଟ୍ ଦେବା ପୂର୍ବରୁ ପ୍ରତି ଭୋଟରଙ୍କ ଦେହର ତାପମାତ୍ରା ଯାଞ୍ଚ କରାଯିବ। ଯେଉଁମାନଙ୍କ ଶରୀରରେ ଜ୍ୱର ଥିବ ସେମାନେ ସବା ଶେଷରେ ଆସି ଭୋଟ୍ ଦେଇପାରିବେ ବୋଲି ସେ କହିଛନ୍ତି।

ଅନ୍ୟପଟେ ପୋଲିଂ ବୁଥକୁ ସାନିଟାଇଜ୍ କରାଯାଇଛି। ଏହି ଦୁଇ ସ୍ଥାନରେ ପୋଲିଂ ଅଫିସର ମଧ୍ୟ ପହଞ୍ଚସାରିଲେଣି। ପ୍ରତି ପୋଲିଂ ବୁଥ୍ ନିକଟରେ ଲୋକମାନଙ୍କୁ ସତର୍କ କରିବାକୁ ଜଣେ ଜଣେ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହ ବାଲେଶ୍ୱରର ୮୬ଟି ବୁଥ ଏବଂ ତିର୍ତ୍ତୋଲର ୧୫୫ଟି ବୁଥକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି।

ଉପ ନିର୍ବାଚନ ସମୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବୁଝିବାକୁ ୯୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୂତୟନ ହେବେ। ଏଥିପାଇଁ ୨୮୦ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ କେନ୍ଦ୍ରୀୟ ସୁରକ୍ଷା କର୍ମୀ ମଧ୍ୟ ଉପ ନିର୍ବାଚନରେ ଆଇନ୍ ଶୃଙ୍ଖଳା ଜଗିବେ ବୋଲି କୁହାଯାଇଛି।

Comment