ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକ ବାଦ ବିବାଦ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପିଓକେ ଅଞ୍ଚଳର ଗିଲଗିଟ୍-ବଲ୍ଟିସ୍ଥାନକୁ ପ୍ରାଦେଶିକ ମାନ୍ୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଇମ୍ରାନ ଖାନ ନିଜେ ଏହି ଅଞ୍ଚଳକୁ ଗସ୍ତ କରିବା ସହ ଏନେଇ ଘୋଷଣା କରିଛନ୍ତି।

ଇମ୍ରାନ ଖାନ ଗିଲଗିଟ୍-ବଲ୍ଟିସ୍ଥାନ ଗସ୍ତ କରି କହିଛନ୍ତି ଯେ, ପାକିସ୍ତାନ ସରକାର ଏହି ଅଞ୍ଚଳକୁ ପ୍ରଦେଶର ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛି। ସେଥିପାଇଁ ସେ ଆଜି ଏହି ଅଞ୍ଚଳକୁ ଗସ୍ତରେ ଆସିଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ କିନ୍ତୁ ପାକିସ୍ତାନର ଏପରି କାର୍ଯ୍ୟକୁ ଭାରତ ତୀବ୍ର ନିନ୍ଦା କରିବା ସହ ଏହାର ବିରୋଧ କରିଛି।

ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ପାକିସ୍ତାନ ବଳପୂର୍ବକ ଏହି ଅଞ୍ଚଳ ଉପରେ କବଜା କରିଛି। ଏହା ଭାରତର ଅବିଚ୍ଛେଦ ଅଙ୍ଗ। ଏହାକୁ ନିଜ ଅଞ୍ଚଳ କିମ୍ବା ପ୍ରଦେଶ ଭାବେ ଘୋଷଣା କରିବାର ପାକିସ୍ଥାନର କୌଣସି ଅଧିକାର ନାହିଁ। ଭାରତ ଏହାର ବିରୋଧ କରିବ ବୋଲି ସେ କହିଛନ୍ତି।

ଅକ୍ଟୋବର ୮ରେ ଜମ୍ମୁ କଶ୍ମୀର ଲିବରେସନ୍ ଫ୍ରଣ୍ଟ ଓ ଷ୍ଟୁଡେଣ୍ଟ ଲିବରେସନ ଫ୍ରଣ୍ଟ ଗିଲଗିଟ୍-ବଲ୍ଟିସ୍ଥାନକୁ ପ୍ରାଦେଶିକ ମାନ୍ୟତାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାହାକୁ ନେଇ ଇମ୍ରାନ ସରକାର ଉପରେ ଲଗାତାର ଚାପ ବଢୁଥିଲା ଶେଷରେ ଏହି ଅଞ୍ଚଳକୁ ଇମ୍ରାନ ସରକାର ପ୍ରାଦେଶିକ ମାନ୍ୟତା ଦେଇଛନ୍ତି। ଏହି ଅଞ୍ଚଳରେ ପାକିସ୍ତାନ ଖୁବଶୀଘ୍ର ନିର୍ବାଚନ କରିପାରେ ବୋଲି ମଧ୍ୟ ସୂଚନା ମିଳିଛି।

Comment