ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁରରେ ବୁଧବାର ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ମିଶନ ଶକ୍ତି ସଭା ଗୃହରେ ହୋଇଥିବା ଏହି ବୈଠକରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଜିଲ୍ଲାର ଚାଷୀମାନେ କିପରି ଉଚିତ ମୂଲ୍ୟରେ ଖରିଫ୍ ଧାନ ବିକ୍ରୟ କରିପାରିବେ ସେନେଇ ଏଥିରେ ଆଲୋଚନା ହୋଇଥିଲା।

ଚଳିତ ଖରିଫ୍ ଋତୁରେ ନିର୍ଦ୍ଧାରିତ ଧାନ ମଣ୍ଡିରେ ଚାଷୀମାନେ ଧାନ ବିକ୍ରୟ କରି ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ମୂଲ୍ୟ ଯେପରି ପାଇପାରିବେ ସେ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲାର ୨୮,୧୭୨ ଜଣ ଚାଷୀ ତାଙ୍କର ଖରିଫ୍ ଧାନ ବିକ୍ରୟ ପାଇଁ ନାମ ପଞ୍ଜିକରଣ କରିଥିବା ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ।

ତେବେ ୨,୬୩୮ ଜଣ ଚାଷୀ ନାମ ପଞ୍ଜିକରଣରୁ ବଞ୍ଚିତ ହୋଇଥିବାରୁ ବୈଠକରେ ଉପସ୍ଥିତ ବିଧାୟକ, ସାଂସଦ ଓ ବିଧାୟକଙ୍କ ପ୍ରତିନିଧି ଉଦ୍‌ବେଗ ପ୍ରକାଶ କରିଥିଲେ। ପଞ୍ଜିକୃତ ହୋଇନଥିବା ଚାଷୀଙ୍କର ପଞ୍ଜିକରଣ ପାଇଁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଏଆର୍‌ସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାର ୫୫ଟି ମଣ୍ଡିରେ ଆସନ୍ତା ଡିସେମ୍ବର ୧ ତାରିଖରୁ ଖରିଫ୍ ଧାନ ସଂଗ୍ରହ କରାଯିବା ପାଇଁ ସ୍ଥିର କରାଯାଇଛି। ପି ପାସ୍ ମାଧ୍ୟମରେ ଚାଷୀ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ମଣ୍ଡିରେ କୌଣସି ଦଲାଲ୍ ଯେପରି ପ୍ରବେଶ ନ କରନ୍ତି ସେଥିପାଇଁ କଡ଼ା ନଜର ରଖିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଚଳିତ ଖରିଫ୍ ଋତୁରେ ସାଧାରଣ ଧାନ କ୍ଵିଣ୍ଟାଲ ପିଛା ୧,୮୬୮ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଗ୍ରେଡ୍ ‘ଏ’ ଧାନ କ୍ଵିଣ୍ଟାଲ ପିଛା ୧,୮୮୮ ଟଙ୍କା ଧାର୍ଯ୍ୟ କରାଯାଇଛି। ମଣ୍ଡିରୁ ଠିକ୍ ସମୟରେ ଧାନ ଉଠାଇବା ସହିତ ଉନ୍ନତ ମାନର ଚାଉଳ ଯୋଗାଇବା ପାଇଁ ସଂପୃକ୍ତ ମିଲର୍‌ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି ପ୍ରମୋଦ କୁମାର ପାଢ଼ୀ, ନବରଙ୍ଗପୁର ବିଧାୟକଙ୍କ ପ୍ରତିନିଧି ପ୍ରହଲ୍ଲାଦ ତ୍ରିପାଠୀ, କୃଷକଙ୍କ ପ୍ରତିନିଧି ଝଡ଼େଶ୍ୱର ଖାଡ଼ଙ୍ଗା, ମଣ୍ଟୁ ପଟ୍ଟନାୟକ, ଉପଜିଲ୍ଲାପାଳ ଭାସ୍କର ରାଇତ, ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ, ଜିଲ୍ଲା କୃଷି ଅଧିକାରୀ ଆନନ୍ଦ ରାଓ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଶଶାଙ୍କ ଶେଖର ସାହାଣୀ, ଆର୍‌ଏମ୍‌ସି କର୍ମଚାରୀ ଅଜୟ କୁମାର ମହାନ୍ତି, ବାବୁନି ପାଳ, ରାଜେନ୍ଦ୍ର ପଟ୍ଟନାୟକ, ଯୋଗାଣ ବିଭାଗ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ।

Comment