ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣର ଭୟକୁ ଦେଖି ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ ସ୍କୁଲ୍। ଏନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟରେ ଆଗକୁ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା କରାଯାଉଛି। ଏଭଳି ସମୟରେ ସ୍କୁଲ୍ ଖୋଲିଲେ ପିଲାମାନେ କରୋନା ସଂକ୍ରମିତ ହୋଇପାରନ୍ତି। ତେଣୁ ଏନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବ ବୋଲି କୁହାଯାଇଛି।

ସ୍କୁଲ୍ ବନ୍ଦ ରହିଲେ ମଧ୍ୟ ଏହି ସମୟରେ ମଧ୍ୟରେ ସ୍କୁଲରେ ପରୀକ୍ଷା, ପ୍ରବେଶିକା ପରୀକ୍ଷା ଓ ଖାତାଦେଖା ପ୍ରକ୍ରିୟା ଚାଲୁ ରହିବ। ଏଥିସହିତ ଅନଲାଇନ୍ ଜରିଆରେ ମଧ୍ୟ ପିଲାମାନଙ୍କ ପାଠପଢ଼ା ଜାରିରହିବ। ଶିକ୍ଷକମାନେ ମଧ୍ୟ ସ୍କୁଲ୍ ଯାଇ ସେଠାରେ ଅନଲାଇନ୍ ଶିକ୍ଷା ଦେଇପାରିବେ। ତେବେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବା ଅଞ୍ଚଳରେ ସ୍କୁଲ୍ ଖୋଲିବ ନାହିଁ କି ସେଠାରେ ଅନଲାଇନ୍ ଶିକ୍ଷାଦାନ ଚାଲିବ ନାହିଁ ବୋଲି କୁହାଯାଇଛି।କିଛି ଦିନ ପୂର୍ବେ ରାଜ୍ୟ ସରକାର ନିଜର ନଭେମ୍ବର ମାସର ଅନଲକ୍ ଗାଇଡଲାଇନରେ ସ୍କୁଲ୍ ଖୋଲିବା ନେଇ ସୂଚନା ଦେଇଥିଲେ। ନଭେମ୍ବର ୧୬ରୁ କରୋନା କଟକଣା ସହିତ ନବମରୁ ଦ୍ୱାଦଶ ଶ୍ରେଣୀର ପିଲା ସ୍କୁଲ ଓ କଲେଜ ଯାଇପାରିବେ ବୋଲି କୁହାଯାଇଥିଲା। ହେଲେ ଆଜି ଏହି ନିଷ୍ପତ୍ତିକୁ ବଦଳାଇ ଦିଆଯାଇଛି। ଏବେ ସାରା ରାଜ୍ୟରେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ଘର ବନ୍ଦ ରହିବ ବୋଲି କୁହାଯାଇଛି।

ଲକଡାଉନ୍ ଜାରି ହେବା ପରଠାରୁ ରାଜ୍ୟରେ ସମସ୍ତ ସ୍କୁଲ୍, କଲେଜ ବନ୍ଦ ହୋଇ ରହିଛି। କେବଳ ପରୀକ୍ଷା, ପ୍ରବେଶିକା ପରୀକ୍ଷା ଓ ଖାତା ଦେଖା ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସ୍କୁଲ୍ ଯାଉଛନ୍ତି। ସେ ସମୟରେ ମଧ୍ୟ ମାସ୍କ ଓ କରୋନା କଟକଣା ବାଧ୍ୟତାମୂଳକ କରାଯାଇଛି।

କିଛି ଦିନ ତଳେ କରୋନା ସଂକ୍ରମଣ କମିବା ପରେ ରାଜ୍ୟ ସରକାର ସ୍କୁଲ୍ ଖୋଲିବା ନେଇ ଘୋଷଣା କରିଥିଲେ। ହେଲେ ସେହି ଦିନ ହିଁ ଆନ୍ଧ୍ରପ୍ରଦେଶରେ କିଛି ସ୍କୁଲ୍ ଛାତ୍ରଛାତ୍ରୀମାନେ କରୋନାରେ ସଂକ୍ରମିତ ହୋଇଥିଲେ। ଅନ୍ୟପଟେ ରାଜ୍ୟରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହୋଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ତେଣୁ ଏଭଳି ସମୟରେ ସ୍କୁଲ୍ ନଖୋଲି ଏହାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Comment