ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଜିଲ୍ଲାରେ ନୋଡାଲ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାରେ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଓ ବିକାଶମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଛି।

ନବରଙ୍ଗପୁର ଜିଲ୍ଲାରେ ‘ମୋ ଉପକାରୀ ବଗିଚା’ ପ୍ରକଳ୍ପ କାର୍ଯ୍ୟର ଆଶାନୁରୂପକ ଅଗ୍ରଗତି ହୋଇ ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟକୁ ଯଥାଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ସମ୍ପୃକ୍ତ ପ୍ରକଳ୍ପ ଅଧିକାରୀ ଏବଂ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ନୀତିଆୟୋଗ ଦ୍ୱାରା ଅନୁମୋଦିତ ହୋଇଥିବା ପ୍ରକଳ୍ପକୁ ଶୀଘ୍ର ଆରମ୍ଭ କରିବା ପାଇଁ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାର ନିର୍ମାଣଧୀନ ମିଶନ ଶକ୍ତି ଗୃହରେ ଆବଶ୍ୟକୀୟ ପାନୀୟଜଳ ଓ ପରିମଳର ସୁବ୍ୟବସ୍ଥା କରି ହସ୍ତାନ୍ତର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେବା ସହ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଗ୍ରାମ୍ୟ ଉନ୍ନୟନ ସଂସ୍ଥାଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ସେହିପରି ରାଜ୍ୟର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଆରମ୍ଭ ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ନଭେମ୍ବରର ୨୮, ୨୯ ଏବଂ ଡିସେମ୍ବରର ୫, ୬ ଚାରି ଦିନ ଧରି ପ୍ରତି ବୁଥରେ ତାଲିକା ସଂଶୋଧନ ତ୍ୱରାନ୍ୱିତ ହେବା ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି।

ଏହି ବୈଠକରେ ନୋଡାଲ ଅଧିକାରୀ, ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରୋଇତ, ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, ଡିଆରଡିଏର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ, ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର ନାୟକ, ଆରଡବ୍ଲୁଏସଏସ ନିର୍ବାହୀ ଯନ୍ତ୍ରୀ ଅମରେନ୍ଦ୍ର ପାଢ଼ୀ, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗଇପାଇ, ସିଡିଭିଓ ନାରାୟଣ ବେହେରା, ଜିଲ୍ଲା ରାସ୍ତା ଏବଂ ଗୃହ ନିର୍ମାଣ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ସୁଦାମ ଚରଣ ମହାପାତ୍ର, ସନ୍ତୋଷ କୁମାର ସାମଲ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ, ଜିଲ୍ଲା ସହ ଯୋଗାଣ ଅଧିକାରୀ ଦୁର୍ଗାପ୍ରସାଦ ମାଝିଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Comment