ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ଵରରୁ ଆରତି ବେହେରା): ଯଦି ଆପଣ କୌଣସି ଦର୍ଶନୀୟ ସ୍ଥାନ ବୁଲି ଯିବାକୁ ଯୋଜନା କରୁଛନ୍ତି ତେବେ ହୀରାପୁର ଚଉଷଠୀ ଯୋଗିନୀ ମନ୍ଦିର ବହୁତ ଭଲ ହେବ। ଏହି ମନ୍ଦିର ତନ୍ତ୍ରପୀଠ ଭାବେ ସାରା ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି। ଖାସ୍ ସେଥିପାଇଁ ଏଠାକୁ ବର୍ଷତମାମ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। ଏଠାକୁ ଆସିଲେ ଆପଣ ମନୋରମ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ଦଶଭୂଜା ଦୁର୍ଗାଙ୍କର ୬୪ ଗୋଟି ରୂପ ଦେଖିବାର ସୁଯୋଗ ପାଇପାରିବେ।

କେମିତି ଆସିବେ?

ମନ୍ଦିରଟି ଭୁବନେଶ୍ଵରଠାରୁ ୧୫ କିଲୋମିଟର ଦୂରରେ ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ହୀରାପୁର ଗ୍ରାମରେ ଅବସ୍ଥିତ। ତେଣୁ ଏଠାକୁ ଆସିବାକୁ ହେଲେ ଆପଣ ଭୁବନେଶ୍ଵରରୁ ସଡ଼କ ପଥରେ ଆସିପାରିବେ। ତେବେ ଏଠାକୁ ନିୟମିତ ଭାବେ ଯାତ୍ରୀବାହୀ ବସ୍ କିମ୍ବା ଅଟୋ ଚଳାଚଳ କରେନାହିଁ। ତେଣୁ ଆପଣଙ୍କୁ ଗାଡ଼ିଭଡ଼ା କରି ଏହି ପୀଠକୁ ଆସିବାକୁ ପଡ଼ିବ। ଭୁବନେଶ୍ଵର ବିମାନବନ୍ଦର ଏବଂ ରେଳ ଷ୍ଟେସନ‌ରୁ ଆପଣ ସିଧାସଳଖ ଏଠାକୁ ସଡ଼କ ପଥରେ ଆସିପାରିବେ।ମନ୍ଦିରର ଇତିହାସ

ଏହି ତନ୍ତ୍ରପୀଠକୁ ଭୌମ ବଂଶର ରାଜା ଶାନ୍ତିକରଙ୍କ ରାଣୀ ହୀରାଦେଇ ନବମ ଶତାବ୍ଦୀରେ ନିର୍ମାଣ କରାଇଥିଲେ। ତେଣୁ ରାଣୀଙ୍କ ନାମାନୁସାରେ ଗ୍ରାମର ନାମ ହୀରାପୁର ରଖାଯାଇଛି। ମନ୍ଦିରଟି ପୁରୀ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରଠାରୁ ମଧ୍ୟ ପୁରାତନ ବୋଲି ଐତିହାସିକମାନେ ମତ ଦିଅନ୍ତି।

ମନ୍ଦିରର ବିଶେଷତ୍ଵ

ଏହା ଏକ ଶକ୍ତିପୀଠ ହୋଇଥିବାରୁ ମନ୍ଦିରଟି ଶୂନ୍ୟଛାତ ବିଶିଷ୍ଟ। ମହାମାୟା ଦଶଭୂଜା ଦୁର୍ଗା ପୀଠର ଆରାଧ୍ୟା ଦେବୀ ଭାବେ ଅଧିଷ୍ଠିତା। ଏଠାରେ ମା’ ଦୁର୍ଗା ଦଶ ମହାବିଦ୍ୟା, ନବ ଦୁର୍ଗା, ଅଷ୍ଟ ମାତୃକା ଏବଂ ନବଗ୍ରହଙ୍କ ଇଷ୍ଟଦେବୀ ଆଦି ୬୪ ଗୋଟି ରୂପରେ ପୂଜା ପାଉଛନ୍ତି। କିନ୍ତୁ ସମସ୍ତଙ୍କର ବାହନ, କେଶ ବିନ୍ୟାସ ଓ ଅଳଙ୍କାର ପରସ୍ପରଠାରୁ ଅଲଗା। ତେବେ ବିଗ୍ରହଗୁଡ଼ିକ ଭଗ୍ନ ଅବସ୍ଥାରେ ରହିଛନ୍ତି। କଳାପାହାଡ଼ ଏଗୁଡ଼ିକୁ ଭାଙ୍ଗିଦେଇଥିବାର କଥିତ ଅଛି।ମନ୍ଦିରଟିକୁ ଉପରୁ ଦେଖିଲେ ଏହା ଏକ ଶିବଲିଙ୍ଗ ପରି ପ୍ରତୀତ ହୋଇଥାଏ। ତେଣୁ ଶିବଶକ୍ତିଙ୍କର ଅପୂର୍ବ ସମାହାର କେବଳ ଏହି ପୀଠରେ ହିଁ ଦେଖିବାକୁ ମିଳେ।

ମା’ ଦଶଭୂଜା ଦୁର୍ଗାଙ୍କ ଉପରେ ସ୍ଥାନୀୟ ଲୋକଙ୍କର ଗଭୀର ବିଶ୍ଵାସ ରହିଛି। ଏପରିକି ମା’ଙ୍କୁ ଦର୍ଶନ କରିବା ପାଇଁ ଫ୍ରାନ୍ସ, ଜର୍ମାନୀ, ଇଂଲଣ୍ଡ ଆଦି ଦେଶରୁ ଭକ୍ତମାନେ ଏଠାକୁ ଆସିଥାନ୍ତି। ବର୍ଷର ବହୁ ସମୟରେ ସାଧକମାନେ ଏଠାକୁ ଆସି ତନ୍ତ୍ର ସାଧନା କରିଥାନ୍ତି।

ଏନେଇ ମନ୍ଦିର ପୂଜକ ପଙ୍କଜ ପାଢ଼ୀ କହିଛନ୍ତି, “ମା’ଙ୍କ ମହିମା ବିଶ୍ଵବିଦିତ। ତେଣୁ ଦେଶ ବିଦେଶରୁ ସବୁ ସମୟରେ ଏଠାକୁ ଲୋକେ ଆସିଥାନ୍ତି। ବିଶେଷ କରି ତନ୍ତ୍ର ସାଧନା ପାଇଁ ଏଠାରେ ସାଧକଙ୍କ ଭିଡ଼ ଜମେ। ପୂର୍ଣ୍ଣିମା, ଅମାବାସ୍ୟା, ସଂକ୍ରାନ୍ତି ଓ ଶିବରାତ୍ରିରେ ତନ୍ତ୍ର ସାଧନା କଲେ ୭ରୁ ୨୧ ଦିନ ମଧ୍ୟରେ ସିଦ୍ଧିପ୍ରାପ୍ତି ହୁଏ।”କେଉଁ ସବୁ ପ୍ରସାଦ ମିଳେ?

ହୀରାପୁରର ଚଉଷଠୀ ଯୋଗିନୀ ମନ୍ଦିର ଯେମିତ ସ୍ଵତନ୍ତ୍ର ଏଠାରେ ଲାଗି ହେଉଥିବା ପ୍ରସାଦରେ ମଧ୍ୟ ସେମିତି ସ୍ଵତନ୍ତ୍ରତା ରହିଛି। ମା’ଙ୍କ ପାଖରେ ଅନ୍ୟ ଦିନଗୁଡ଼ିକରେ ବିଭିନ୍ନ ପ୍ରକାର ଫଳ, ନଡ଼ିଆ, ଉଖୁଡ଼ା ଆଦି ଭୋଗ ହେଉଥିବା ବେଳେ ଓଷା ପର୍ବରେ ସ୍ଵତନ୍ତ୍ର ଭୋଗ ଲାଗି ହୁଏ। ଦୁର୍ଗାପୂଜା ସମୟରେ ମା’ଙ୍କ ପାଖରେ କ୍ଷୀରି, ଖେଚୁଡ଼ି ଆଦି ଭୋଗ କରାଯାଉଥିବା ମନ୍ଦିର ପୂଜକ କହିଛନ୍ତି।

ପୀଠର ବଡ଼ ପର୍ବ

ଶାରଦୀୟ ଦୁର୍ଗାପୂଜା ହେଉଛି ଏହି ପୀଠର ବଡ଼ ପର୍ବ। ଦ୍ଵିତୀୟା ଓଷାଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ କ୍ଷେତ୍ରେଶ୍ଵରୀ ମହାମାୟାଙ୍କର ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୁଏ। ଏହାଛଡ଼ା ସାବିତ୍ରୀ, ରଜ, ଜାଗର ଆଦି ସବୁ ଓଷା ପର୍ବ ପୀଠରେ ପାଳିତ ହୁଏ।

ପ୍ରତିବର୍ଷ ଡିସେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ୬୪ ଯୋଗିନୀ ମହୋତ୍ସବ ଆୟୋଜିତ ହୁଏ। ଦେଶ ବିଦେଶରୁ ବହୁ କଳାକାର ଓ କଳାପ୍ରେମୀ ଏଥିରେ ଯୋଗ ଦେଇଥାନ୍ତି।

Comment