ଓଡ଼ିଶାଲାଇଭ୍ ବ୍ୟୁରୋ

  • ତୁରନ୍ତ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ମାଙ୍କୁ ଉଦ୍ଧାର କରିବାକୁ ବି ଆଦେଶ ଦେଲେ ହାଇକୋର୍ଟ
  • ସତ୍ୟପାଠରେ ହାଜତ ମୃତ୍ୟୁକୁ ନେଇ ଅସ୍ଵୀକାର

କଟକ: ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ଘଟଣାରେ ହାଇକୋର୍ଟରେ ସୋମବାର ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଛନ୍ତି। ସରକାରଙ୍କ ସତ୍ୟପାଠ ଅନୁଯାୟୀ, ବିଚାର ବିଭାଗୀୟ ତଦନ୍ତ ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କୁ ନିଯୁକ୍ତି ଦେବାକୁ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲାଜଜ୍‌ଙ୍କ ନିକଟରେ ଆବେଦନ କରାଯାଇଛି। କେବଳ ସେତିକି ନୁହେଁ, ରାଜ୍ୟ ପୋଲିସର ହ୍ୟୁମାନ୍ ରାଇଟ୍ ପ୍ରୋଟେକ୍ସନ ସେଲ୍ (ଏଚ୍‌ଆର୍‌ପିସି)ର ଜଣେ ଡିଏସ୍‌ପି ସ୍ତରର ଅଧିକାରୀ ମଧ୍ୟ ମାମଲାର ତଦନ୍ତ ପାଇଁ ନିୟୋଜିତ ହୋଇଛନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି।

ଅନ୍ୟପଟେ ଏହି ଘଟଣାରେ ବାସେଳି ସାହି ଥାନାର ତିନି ଜଣ ପୋଲିସ୍ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇସାରିଛି। ମାମଲାର ତଦନ୍ତରେ ଜାତୀୟ ମାନବାଧିକାର କମିସନ୍ (ଏନ୍‌ଏଚ୍‌ଆର୍‌ସି)ଙ୍କ ସମସ୍ତ ଗାଇଡ୍‌ଲାଇନ୍‌କୁ ଅନୁସରଣ କରାଯାଇଥିବା ସରକାର ନିଜ ସତ୍ୟପାଠରେ ଦର୍ଶାଇଛନ୍ତି।

ଗତକାଲି ସତ୍ୟପାଠ ଦାଖଲ ପରେ ହାଇକୋର୍ଟ ଆବେଦନକାରୀଙ୍କୁ ଏହା ଉପରେ ପ୍ରତିଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମୃତକଙ୍କ ମା’ଙ୍କର କୌଣସି ପତ୍ତା ମିଳୁନଥିବାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ରୁଜୁ ହୋଇଥିବା ଏହି ମାମଲାର ବିଚାର କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ହାଜତ ମୃତ୍ୟୁ ଘଟଣାରେ ଏନ୍‌ଏଚ୍‌ଆର୍‌ସି ଏବଂ ସୁପ୍ରିମ୍‌କୋର୍ଟଙ୍କ ଗାଇଡ୍‌ଲାଇନ୍ ଆଧାରରେ ତଦନ୍ତ କରାଯାଉଛି କି’ ନାହିଁ ତାହା ଉପରେ ମଧ୍ୟ ରିପୋର୍ଟ ଦାଖଲ ଲାଗି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଏସ୍‌ପି କନୱର ବିଶାଲ ସିଂଙ୍କ ପକ୍ଷରୁ ଦାଖଲ ଏହି ସତ୍ୟପାଠରେ ଥାନା ହାଜତରେ ଅଭିଯୁକ୍ତ କେ. ରମେଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରାଯାଇଛି। ଅଭିଯୁକ୍ତ ଏବଂ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ବେଳେ ସେ ପଥୁରିଆ ରାସ୍ତାରେ ପଡ଼ି ପ୍ରାଣ ହରାଇଛନ୍ତି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ଅଭିଯୁକ୍ତର ବାପାଙ୍କୁ ମୃତେଦହ ହସ୍ତାନ୍ତର କରାଯାଇଥିଲା ଓ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଗତକାଲି ପୁରୀ ଏସ୍‌ପି କନୱର ବିଶାଲ ସିଂ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଦର୍ଶାଇଛନ୍ତି ଯେ, ଗତ ୧୮ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ କେ. ରମେଶ ବ୍ରହ୍ମଗିରିରୁ ପୁରୀ ଆସୁଛି ବୋଲି ବାସେଳି ସାହି ଥାନା ଆଇଆଇସି ଏକ ସୂଚନା ପାଇଥିଲେ। କେ. ରମେଶ ବିରୋଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ରହିଛି। ପୋଲିସ ତାକୁ ଗିରଫ କରିବାର ଯଥେଷ୍ଟ କାରଣ ରହିଥିଲା। କେ. ରମେଶ ନାମରେ ୪ଟି ଜିଲ୍ଲାରେ ୭ଟି ମାମଲା ରହିଛି।

ଏଥିରୁ ଦୁଇଟି ମାମଲାରେ ସେ ଛାଡ଼ ପାଇଥିଲା ବୋଲି ସତ୍ୟପାଠରେ ଉଲ୍ଲେଖ କରିଛି। କେ. ରମେଶକୁ ଧରିବା ପାଇଁ ପୋଲିସ ଯାଇଥିବାବେଳେ ସେ ବଳିଆପଣ୍ଡାଠାରୁ ଗାଡ଼ିରେ ଚାଲିଯିବାକୁ ଉଦ୍ୟମ କରୁଥିଲା। ସେତେବେଳେ ପୋଲିସ ତାକୁ ଗୋଡ଼ାଇ ଧରିଥିଲା। ଓମକାରେଶ୍ୱର ମନ୍ଦିର ନିକଟରେ ଥିବା କାଜୁ ଜଙ୍ଗଲରେ ଗୋଡ଼ାଗୋଡ଼ି ହେବା ପରେ ଅଭିଯୁକ୍ତ ପୋଲିସକୁ ବନ୍ଧୁକ ଦେଖାଇଥିଲା। ବହୁକଷ୍ଟ ସ୍ୱୀକାର କରି ପୋଲିସ ତାକୁ କୌଶଳକ୍ରମେ ଗିରଫ କରିଥିଲା।

କିନ୍ତୁ ପୋଲିସ ସହ ଧସ୍ତାଧସ୍ତି ସମୟରେ କେ. ରମେଶ ରାସ୍ତାରେ ପଡ଼ିଯିବାରୁ ତା’ ମୁଣ୍ଡ ମାଡ଼ ହୋଇଯାଇଥିଲା। ଫଳରେ ସେ ଅଚେତ ହୋଇଯାଇଥିଲା। ପୋଲିସ ତା’ର ଚେତା ଫରାଇ ଆଣିବା ଉଦ୍ୟମ କରି ବିଫଳ ହୋଇଥିଲା। ଏହି ସମୟରେ ପୋଲିସ ତା’ ପକେଟ୍‌ରୁ ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ଗୋଟିଏ ମାଗ୍‌ଜିନ୍ ଏବଂ ଗୋଟିଏ ମୋବାଇଲ୍ ଫୋନ୍ ପାଇଥିଲା। ସେଠାରୁ ତାକୁ ପୁରୀ ହସ୍ପିଟାଲ ନିଆଯାଇଥିଲା, ଯେଉଁଠି ଡାକ୍ତର ରମେଶକୁ ମୃତ ଘୋଷଣା କରିଥିଲେ।

୧୯ ତାରିଖ ସକାଳ ୯ଟା ୨୫ ମିନିଟ୍ ସମୟରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହି ସମୟରେ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ପୁରୀ ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟ, କେ. ରମେଶର ପିତା କେ. ଗୁରୁମୂର୍ତ୍ତି ଏବଂ ଦାଦା କେ. ଆର୍ଯ୍ୟ ଉପସ୍ଥିତ ଥିଲେ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି। ଡାକ୍ତର ଆର.କେ. ଘଡ଼େଇ ଏବଂ ଡାକ୍ତର ଏସ୍‌.କେ. ମିଶ୍ରଙ୍କ ତତ୍ତ୍ଵାବଧାନରେ ଶବ ବ୍ୟବଚ୍ଛେଦର ପରୀକ୍ଷାନିରୀକ୍ଷା କରାଯାଇଥିଲା।

ଶବ ବ୍ୟବଚ୍ଛେଦ ପରେ ଏହାକୁ କେ. ଗୁରୁମୂର୍ତ୍ତିଙ୍କୁ ସଂସ୍କାର ପାଇଁ ପ୍ରଦାନ କରାଯାଇଥିଲା। କେ. ଗୁରୁମୂର୍ତ୍ତି ଶବକୁ ନେଇ ସ୍ୱର୍ଗଦ୍ଵାରରେ ସଂସ୍କାର କରିଥିଲେ। ତେଣୁ ପୋଲିସ ଯାହା କରିଛି ଏଥିରେ କୌଣସି ବେଆଇନ କିମ୍ବା ଭୁଲ୍ ହୋଇନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏହା ଏକ ହାଜତ ମୃତ୍ୟୁ ନୁହେଁ, ବରଂ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ ଭାବେ ସତ୍ୟପାଠରେ କୁହାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ଦୀପକ ମହାପାତ୍ର, କବିରାଜ ପ୍ରଧାନ ଏବଂ ପଦ୍ମାଳୟା ମହାପାତ୍ର ପରିଚାଳନା କରୁଛନ୍ତି।

Comment