ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ରେ ୫ ବର୍ଷର ଝିଅ ପରୀର ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ହଟ୍ଟଗୋଳ।

୩ ଦିନ ହେଲା ବିଧାନସଭା ‘ପରୀ’ ମୃତ୍ୟୁ ପ୍ରସଙ୍ଗକୁ ନେଇ ଉଠୁଛି ପଡ଼ୁଛି। ଗୁରୁବାର ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଗୃହରେ ହଟ୍ଟଗୋଳ କରିଛନ୍ତି। କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଗୃହରେ ହୋହଲ୍ଲା କରିଛନ୍ତି ବିରୋଧୀ। ବ୍ୟାନର ଧରି ବାଚସ୍ପତିଙ୍କ ପୋଡିୟମ ନିକଟରେ ପ୍ରତିବାଦ କରାଯାଇଛି। ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ବାଚସ୍ପତି ଗୃହକୁ ଦିନ ୩ଟା ଯାଏ ମୁଲତବୀ ରଖିଛନ୍ତି।

କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବି

ପରୀ ମୃତ୍ୟୁ ପଛରେ କୃଷିମନ୍ତ୍ରୀ ଅରୁଣ ସାହଙ୍କ ଭୂମିକା ଥିବା ପରୀର ମା’ ବାପା ଅଭିଯୋଗ କରିଥିଲେ। ଏଭଳି ଅଭିଯୋଗ ଆସିବା ପରେ ଆଜି ଗୃହରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି। ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ଗୃହ କାର୍ଯ୍ୟ ଚଳାଇ ଦେବୁନି ବୋଲି ସେ କହିଛନ୍ତି। ଗୃହରାଷ୍ଟ୍ର ମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଗ୍ରହଣୀୟ ନୁହେଁ। ପୂର୍ବରୁ ଏପରି କ୍ରାଇମବ୍ରାଞ୍ଚ ତଦନ୍ତରୁ କିଛି ସଫଳ ମିଳିନାହିଁ ବୋଲି କହିଛନ୍ତି ମୋହନ ମାଝି।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଏହାସହ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ପରୀ ମୃତ୍ୟୁ ଘଟଣାର ଏସଆଇଟ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

 

ବୁଧବାର ଗୃହରେ ଉତ୍ତର ରଖିଥିଲେ ଗୃହରାଷ୍ଟ୍ର ମନ୍ତ୍ରୀ

ପରୀ ମୃତ୍ୟୁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହେବା ପରେ ଗୃହରାଷ୍ଟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏହାପରେ ବୁଧବାର ଗୃହରେ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର କହିଥିଲେ ଯେ ପରୀ ମୃତ୍ୟୁ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ତେବେ ପରୀ ବାପା, ମା’ ଯେଉଁ ବାବୁଲି ନାୟକ କଥା ଉଠାଇଥିଲେ ସେ ସମ୍ପର୍କରେ କିଛି କହିନଥିଲେ କ୍ୟାପଟେନ ମିଶ୍ର। ଏହାସହ ମନ୍ତ୍ରୀ ଅରୁଣ ସାହୁଙ୍କ ଭୂମିକାକୁ ନେଇ ମଧ୍ୟ ସେ କିଛି କହିନଥିଲେ।

ମଙ୍ଗଳବାର ବିଧାନସଭା ଆଗରେ ହୋଇଥିଲା ହାଇଡ୍ରାମା

ମଙ୍ଗଳବାର ଶୀତ ଅଧିବେଶନ ଚାଲିଥିବାବେଳେ ବିଧାନସଭା ଆଗରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ସୌଦାମିନୀ ସାହୁ ଓ ଅଶୋକ ସାହୁ ଦେହରେ କିରୋସିନି ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ। ହେଲେ ଏହି ସମୟରେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ଏହି ସମୟରେ ସେମାନେ ତାଙ୍କ ଝିଅ ପାଇଁ ନ୍ୟାୟ ଦାବି କରିବାକୁ ଆସିଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ। ଏହାପରଠୁ ବିଧାନସଭାରେ ପରୀ ପ୍ରସଙ୍ଗ ନେଇ ହଙ୍ଗାମା ଚାଲିଛି।

Comment