ଦୋଳଗୋବିନ୍ଦ ପଣ୍ଡା

ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ପଛରେ ରହିଛି ଏହିସବୁ କିମ୍ଵଦନ୍ତୀ।

ଦୀର୍ଘ ୨୫ ବର୍ଷ ପରେ ଚଳିତ ବର୍ଷ ଆଜିର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଛି। କିନ୍ତୁ କୋଭିଡ୍ ୧୯ କଟକଣା ଯୋଗୁ ଭକ୍ତମାନେ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ଠିକ୍ ଏହି ସମୟରେ ୨୦୨୧ ମସିହାରେ ମଧ୍ୟ ନଭେମ୍ବର ୧୫ ତାରିଖରେ ନାଗାର୍ଜୁନ ବେଶ ହେବ ବୋଲି ହାୱା ଉଠିବାରୁ ଅନେକ ଭକ୍ତ ବହୁତ ଖୁସି ହୋଇଯାଇଥିଲେ। ଏ ବର୍ଷ ନ ହେଲା ନାହିଁ, ଆର ବର୍ଷ ତ ଦର୍ଶନ କରିବୁ, ଏଇ ଆଶାରେ। କିନ୍ତୁ ୨୦୨୧ ମସିହାରେ ନାଗାର୍ଜୁନ ବେଶ ହେବ ନାହିଁ। କେତେକ ପାରମ୍ପରିକ ପଞ୍ଜିକାକାର ୨୦୨୧ ମସିହା ନଭେମ୍ବର ୧୫ ତାରିଖରେ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ହେବ ବୋଲି ତାଙ୍କର ସଂକ୍ଷିପ୍ତ ପଞ୍ଜିକା ବା କ୍ୟାଲେଣ୍ଡରରେ ଉଲ୍ଲେଖ କରି ବିଭ୍ରାନ୍ତି ସୃଷ୍ଟି କରିଛନ୍ତି।ନିୟମାନୁସାରେ କାର୍ତ୍ତିକ ଶୁକ୍ଳ ଦେବୋତ୍ଥାପନୀ ଏକାଦଶୀଠାରୁ ରାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ପାଞ୍ଚଦିନରେ ଶ୍ରୀଜଗନ୍ନାଥଙ୍କର ପାଞ୍ଚଟି ବେଶ ହୁଏ। ଦେବୋତ୍ଥାପନୀ ଏକାଦଶୀ ଦିନ ଠିଆକିଆ ବା ଶ୍ରୀଲକ୍ଷ୍ମୀନାରାୟଣ ବେଶ, ଦ୍ଵାଦଶୀ ଦିନ ବାଙ୍କଚୂଡ଼ା ବେଶ, ତ୍ରୟୋଦଶୀ ଦିନ ତ୍ରିବିକ୍ରମ ବା ଆଡ଼କିଆ ବେଶ, ଚତୁର୍ଦ୍ଦଶୀ ଦିନ ଶ୍ରୀଲକ୍ଷ୍ମୀନୃସିଂହ ବା ଡାଳିକିଆ ବେଶ ଏବଂ ଶେଷରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ରାଜାଧିରାଜ ବେଶ ହୁଏ। କିନ୍ତୁ ଯେଉଁବର୍ଷ ୧୨ଶୀ, ୧୩ଶୀ ବା ୧୪ଶୀ ଦିନ ମଳ ତିଥି ପଡ଼ିବା ଯୋଗୁ ପଞ୍ଚକ ପାଞ୍ଚଦିନ ବଦଳରେ ଛଅଦିନ ହୁଏ, ସେ ବର୍ଷ ଉକ୍ତ ମଳ ତିଥିରେ ନାଗାର୍ଜୁନ ବେଶ ହୁଏ। ଏକାଦଶୀ କିମ୍ବା ପୂର୍ଣ୍ଣିମା ମଳତିଥି ହେଲେ ନାଗାର୍ଜୁନ ବେଶ ହେବାର ଅତୀତରେ ନଜିର ନାହିଁ। କେବଳ ଦ୍ବାଦଶୀ, ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀରେ ଯେଉଁ ବର୍ଷ ମଳତିଥି ପଡ଼େ ସେବର୍ଷ ନାଗାର୍ଜୁନ ବେଶ ହୋଇଥାଏ।

୨୦୨୧ ମସିହା ପରି ୧୯୮୫ ମସିହାରେ ପୂର୍ବଦିନ ଅହୋରାତ୍ର ଏକାଦଶୀ ଓ ପରଦିନ ମଳ ଏକାଦଶୀ ହୋଇଥିଲା, କିନ୍ତୁ ସେବର୍ଷ ନାଗାର୍ଜୁନ ବେଶ ହୋଇ ନ ଥିଲା। ତେଣୁ ଆସନ୍ତା ୨୦୨୧ ମସିହାରେ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ହେବ ନାହିଁ। ୨୬ ବର୍ଷ ପରେ ନଭେମ୍ବର ୨୭ ତାରିଖରେ ଶ୍ରୀଜଗନ୍ନାଥଙ୍କର ଏହି ଦୁର୍ଲ୍ଲଭ ବେଶ ଅନୁଷ୍ଠିତ ହେଉଛି। ଏହା ପୂର୍ବରୁ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହୋଇଥିଲା।  ତା’ ପୂର୍ବରୁ ୧୯୬୭, ୧୯୬୮, ୧୯୯୩ ଓ ୧୯୯୪ ମସିହାରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା।ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଶ୍ରୀକ୍ଷେତ୍ର ଲୋକ ସଂସ୍କୃତିର ଏକ ପ୍ରତିଛବି ବୋଲି ଜଣାଯାଏ। ଶ୍ରୀକ୍ଷେତ୍ରରେ ଅଧିଷ୍ଠିତ ସିଦ୍ଧ ମହାବୀରଙ୍କୁ ମଧ୍ୟ ମାର୍ଗଶିର ମାସ କୃଷ୍ଣ ପଞ୍ଚମୀରେ (ପଞ୍ଚତୀର୍ଥ ଦିନ) ଓ ବୈଶାଖ, ମେଷ ପଣା ସଂକ୍ରାନ୍ତି ଦିନ ନାଗା ବେଶରେ ସଜେଇ ଦିଆଯାଏ। ଶ୍ରୀକ୍ଷେତ୍ରର ସାହି ଯାତର ପରମ୍ପରା ସହିତ ବାଲ୍ମିକୀ ରାମାୟଣର ପର୍ଶୁରାମଙ୍କ ବର୍ଣ୍ଣିତ ରୂପ ସହ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ସାଦୃଶ୍ୟ ରହିଥିବାରୁ ତାହା ରାମାନନ୍ଦଙ୍କ ପ୍ରଭାବରେ ଆରମ୍ଭ ହେଇଛି ବୋଲି ଅନୁମାନ କରାଯାଉଛି।ପୌରାଣିକ ମତ ଅନୁଯାୟୀ, ପର୍ଶୁରାମଙ୍କ ସହସ୍ରାର୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୁଏ। ଏହି ବେଶ ଅତ୍ୟନ୍ତ ପୁରୁଣା ନ ହେଲେ ମଧ୍ୟ ପୁରୀର ସାହି ଯାତ୍ରାରେ ବାହାରୁଥିବା ନାଗା ସଂସ୍କୃତିର ଅନୁକରଣରେ କୈଣସି ଭକ୍ତଙ୍କ ଆଗ୍ରହରେ ଏହି ବେଶ ସୃଷ୍ଟି ହୋଇଥିବା ସମ୍ଭବ। ଏହି ବେଶରେ ଠାକୁରମାନେ ମୁଖ୍ୟତଃ ସୋଲ, କନା, ଜରି, ବେତରେ ନିର୍ମିତ ହାଣ୍ଡିଆ, ଢେଣୁ, ନିଶ, ଦାଢି, ଛୁରୀ, କଟୁରୀ, ବାଘଛାଲ, ସ୍ୱର୍ଣ୍ଣଶ୍ରୀଭୂଜ, ଶ୍ରୀପୟର, ବାଘନଖ ମାଳି, ଶଙ୍ଖ, ଚକ୍ର ଓ ହଳ, ମୂଷଳ ଇତ୍ୟାଦି ଧାରଣ କରିଥାନ୍ତି।

ନାଗା ସନ୍ୟାସୀମାନେ ନଙ୍ଗା ବା ଉଲଗ୍ନ , ଉଦଣ୍ଡତା ବା ବୀରତା ପାଇଁ ପ୍ରସିଦ୍ଧ। ଅତୀତରେ ଏମାନେ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଥିଲେ। ଏହି ସ୍ମୃତିରେ ଜଗନ୍ନାଥଙ୍କୁ ନାଗାର୍ଜୁନ ବେଶ କରାଯାଏ। ଅତୀତରେ ନାଗା ସନ୍ନ୍ୟାସୀ ଜଗନ୍ନାଥଙ୍କୁ ନାଗା ବେଶରେ ଦେଖିବା ପାଇଁ ଇଚ୍ଛା କରିଥିବାରୁ ଶ୍ରୀଜଗନ୍ନାଥ ସେହି ଇଚ୍ଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିଲେ।ନାଗାର୍ଜୁନ ବେଶକୁ ନେଇ ନାନା କିମ୍ବଦନ୍ତୀ ରହିଛି। ମୂଳ ମହାଭାରତରେ ଅବିକଳଭାବେ ଏହା ନ ଥିଲେ ମଧ୍ୟ ଗୋଟିଏ ବହୁପ୍ରଚଳିତ କିମ୍ବଦନ୍ତୀ ଏଠାରେ ଆଲୋଚନା କରୁଛି। ପିଲାଦିନେ ପାଲାଗାୟକମାନଙ୍କଠାରୁ ଏହା ଅନେକଥର ଶୁଣିଛି। ଶ୍ରୀକୃଷ୍ଣ ତାଙ୍କ ମୃତ ଗୁରୁପୁତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ଯମପୁରକୁ ଯାଇଥିଲେ। ସେଠାରେ ସେ ପାଣ୍ଡବଙ୍କ ପିତା ମହାରାଜ ପଣ୍ଡୁଙ୍କ ବ୍ରହ୍ମଲୋକ ପ୍ରାପ୍ତି ହୋଇପାରି ନ ଥିବା ଦେଖି ଏହାର କାରଣ ସମ୍ପର୍କରେ ଯମରାଜଙ୍କୁ ପଚାରିଥିଲେ। ଯମରାଜ କହିଥିଲେ ଯେ, ଅତୀତରେ ଯେତେବେଳେ ଆଗ୍ନିକ ଋଷି ମୃଗରୂପରେ ରତିକ୍ରୀଡ଼ା କରୁଥିଲେ, ସେତେବେଳେ ରାଜା ପଣ୍ଡୁ ତାଙ୍କୁ ଶରବିଦ୍ଧ କରି ମାରିଦେଇଥିଲେ। ତେଣୁ ତାଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିଛି। ସେ ଏହାର ପ୍ରାୟଶ୍ଚିତ୍ତ କରି ନ ଥିବାରୁ ତାଙ୍କର ବ୍ରହ୍ମଲୋକ ପ୍ରାପ୍ତି ହୋଇପାରୁ ନାହିଁ।

ଶ୍ରୀକୃଷ୍ଣ ଯମଲୋକରୁ ଫେରି ଢ଼ଏ କଥା ପାଣ୍ଡବମାନଙ୍କୁ କହିବାରୁ ସେମାନେ ଏହାର ପ୍ରତିକାର ପାଇଁ ଦେବର୍ଷି ନାରଦଙ୍କ ପରାମର୍ଶ ଲୋଡ଼ିଲେ। ନାରଦ କହିଲେ ଯେ, ଚାରି ପ୍ରକାର ଉପାୟରେ ଏହାର ପ୍ରତିକାର କରାଯାଇପାରିବ: ୧) ପୁତ୍ରମାନେ ନିରନ୍ତର ଅନ୍ନଦାନ କରିବେ, ୨) ପୁତ୍ରମାନେ ବ୍ରହ୍ମଜ୍ଞାନ ସାଧନାରେ ବ୍ରତୀ ହେବେ, ୩) ପୁତ୍ରମାନେ ଶେଷ ଜୀବନ ପର୍ଯ୍ୟନ୍ତ ତୀର୍ଥାଟନ କରିବେ ଏବଂ ୪) ପୁତ୍ରମାନେ ରାଜସୂୟ ଯଜ୍ଞ କରିବେ। ଏହି ଚାରି ପ୍ରକାର ଉପାୟ ମଧ୍ୟରୁ ପାଣ୍ଡବମାନେ ଯେକୌଣସି ଗୋଟିଏ ଉପାୟ ଅବଲମ୍ବନ କଲେ ମହାରାଜ ପଣ୍ଡୁ ଯମଲୋକରୁ ମୁକ୍ତି ପାଇ ବ୍ରହ୍ମଲୋକ ଯାଇପାରିବେ।ପାଣ୍ଡବମାନେ ଶେଷ ଉପାୟଟିକୁ ବାଛିଲେ। ଅର୍ଥାତ୍ ରାଜସୂୟ ଯଜ୍ଞ କରିବା ପାଇଁ ସଂକଳ୍ପ କଲେ। ପାଣ୍ଡବମାନେ ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ ସବୁ ଦିଗକୁ ଯାଇ ରାଜାମାନଙ୍କୁ ଯଜ୍ଞରେ ଭାଗନେବା ପାଇଁ ନିମନ୍ତ୍ରଣ କଲେ। ଅର୍ଜୁନଙ୍କୁ ଦାୟିତ୍ଵ ଦିଆଗଲା ପାତାଳକୁ ଯାଇ ନାଗରାଜା ବାସୁକୀଙ୍କୁ ନିମନ୍ତ୍ରଣ କରିବା ପାଇଁ। ପୁରାଣ ଅନୁସାରେ ବାସୁକୀ ନିଜ ମସ୍ତକରେ ପୃଥିବୀକୁ ଧାରଣ କରିଥାନ୍ତି। ତେଣୁ ସେ କହିଲେ, ମୁଁ ଯଦି ଯଜ୍ଞକୁ ଯିବି, ତା’ହେଲେ ପୃଥିବୀକୁ ଧାରଣ କରିବା ଭଳି ଗୁରୁଦାୟିତ୍ଵ କିଏ ବହନ କରିବ। ଅର୍ଜୁନ ସେହି ଦାୟିତ୍ଵ ନେବାକୁ ରାଜି ହେଲେ। ସେ ନିଜର ଧନୁହୁଳ ଉପରେ ପୃଥିବୀକୁ ଧାରଣ କଲେ ଏବଂ ବାସୁକୀ ଫେରିବା ପର୍ଯ୍ୟନ୍ତ ଏହି ଦାୟିତ୍ଵ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଲେ। ବାସୁକୀ ଯିବାବେଳେ ନିଜ ଝିଅ ସନ୍ଧ୍ୟାବାଳୀକୁ ଅର୍ଜୁନଙ୍କ ଖିଆଲ ରଖିବା ପାଇଁ କହିଗଲେ।

ଏହି ଅବସରରେ ସନ୍ଧ୍ୟାବାଳୀ ଅର୍ଜୁନଙ୍କୁ ଭଲପାଇ ବସିଲେ। ବାସୁକୀ ଫେରିବା ପରେ ଏହା ଜାଣି ସନ୍ଧ୍ୟାବାଳୀଙ୍କୁ ଅର୍ଜୁନଙ୍କ ସହ ବିବାହ କରାଇଦେଲେ। ଅର୍ଜୁନ ନାଗଲୋକରେ ଆଉ କିଛିଦିନ ରହି ଫେରିବା ପୂର୍ବରୁ ସନ୍ଧ୍ୟାବାଳୀ ଗର୍ଭବତୀ ଥିଲେ। ଅର୍ଜୁନଙ୍କ ବିଚ୍ଛେଦ ସହି କିପରି ରହିବେ ବୋଲି ସନ୍ଧ୍ୟାବାଳୀ କହିବାରୁ ଅର୍ଜୁନ ତାଙ୍କୁ ଗୋଟିଏ ଗଛ ଦେଖାଇ କହିଲେ- ଏହି ଗଛକୁ ମୋର ପ୍ରତୀକ ଭାବରେ ବିଚାର କରିବ। ମୋଠାରୁ ଯେତେବେଳେ ଯାହା ଚାହିଁବ, ତାହା ଏହି ଗଛଠାରୁ ପ୍ରାପ୍ତ କରିପାରିବ। ପରେ ସେହି ଗଛର ନାମ ହୋଇଛି ଅର୍ଜୁନ। ଯଥାସମୟରେ ସନ୍ଧ୍ୟାବାଳୀ ଏକ ପୁତ୍ରସନ୍ତାନ ଜନ୍ମଦେଲେ। ତାଙ୍କ ମାତା ନାଗକନ୍ୟା ଓ ପିତା ଅର୍ଜୁନ ହୋଇଥିବାରୁ ତାଙ୍କର ନାମ ରଖାଯାଇଥିଲା ନାଗାର୍ଜୁନ।

ନାଗାର୍ଜୁନ ବଡ଼ ହେଲା ପରେ ମାତାଙ୍କ ଆଶୀର୍ବାଦ ନେଇ ମର୍ତ୍ତ୍ୟପୁରକୁ ନିଜ ପିତାଙ୍କ ଅନୁସନ୍ଧାନରେ ଆସିଲେ। ଆସୁ ଆସୁ ବାଟରେ ଦେଖିଲେ ଏକ ସୁନ୍ଦର ଉଦ୍ୟାନ। ଉଦ୍ୟାନ ଭିତରେ ଟିକେ ବୁଲିଆସିବା ପାଇଁ ନାଗାର୍ଜୁନଙ୍କର ଇଚ୍ଛା ହେଲା। କିନ୍ତୁ ଜଗୁଆଳୀମାନେ କହିଲେ ଯେ ଏହା ଦେବଦେବ ମହାଦେବଙ୍କର ଉଦ୍ୟାନ। ଏହା ଭିତରକୁ ପ୍ରବେଶ ଅନୁମତି ନାହିଁ। ନାଗାର୍ଜୁନ ଯାଇ ଗଣେଶଙ୍କୁ ପ୍ରାର୍ଥନା କରନ୍ତେ ସେ କହିଲେ ଯେ, ଏଥିପାଇଁ ମହାଦେବଙ୍କୁ ପ୍ରସନ୍ନ କରିବାକୁ ପଡ଼ିବ। ନାଗାର୍ଜୁନ ମହାଦେବଙ୍କର ଘୋର ତପସ୍ୟା କଲେ। ମହାଦେବ ପ୍ରସନ୍ନ ହୋଇ ତାଙ୍କୁ ଉଦ୍ୟାନରେ ପ୍ରବେଶ କରିବାର ଅନୁମତି ଦେବା ସହ ତାଙ୍କୁ ପାଶୁପତାଦି ଦିବ୍ୟାସ୍ତ୍ର ପ୍ରଦାନ କଲେ ଏବଂ ଉଦ୍ୟାନର ସୁରକ୍ଷା ଦାୟିତ୍ଵ ନ୍ୟସ୍ତ କଲେ। ଉଦ୍ୟାନରେ ଏକ ଗଣ୍ଡା ବାସ କରୁଥିଲା। ତାହାର ଯତ୍ନ ନେବାର ଦାୟିତ୍ଵ ମଧ୍ୟ ନାଗାର୍ଜୁନଙ୍କ ଉପରେ ନ୍ୟସ୍ତ ଥିଲା।

ଇତିମଧ୍ୟରେ ରାଜସୂୟ ଯଜ୍ଞ ଶେଷ ହୋଇଛି। ପିତା ବ୍ରହ୍ମଲୋକ ପ୍ରାପ୍ତ ହୋଇସାରିଥିବେ ବୋଲି ପାଣ୍ଡବମାନେ ଭାବିନେଇଛନ୍ତି। ଦିନେ ନାରଦ ଆସି ପହଞ୍ଚିଲେ। ଯୁଧିଷ୍ଠିର ତାଙ୍କୁ ପିତାଙ୍କ ବିଷୟରେ ପଚାରନ୍ତେ ନାରଦ କହିଲେ ଯେ ସେ ରାଜସୂୟ ଯଜ୍ଞ କରିଥିଲେ ମଧ୍ୟ ପିତାଙ୍କର ଶ୍ରାଦ୍ଧ କରି ନ ଥିବାରୁ ତାଙ୍କର ବ୍ରହ୍ମଲୋକପ୍ରାପ୍ତି ହୋଇପାରି ନାହିଁ। ଶ୍ରାଦ୍ଧ ପାଇଁ ଗଣ୍ଡାମାଂସ ନିହାତି ଦରକାର। ଅର୍ଜୁନଙ୍କୁ ଗଣ୍ଡାମାଂସ ଆଣିବାର ଦାୟିତ୍ଵ ଦିଆଗଲା। ସେ କେଉଁଠି ଗଣ୍ଡା ନ ପାଇ ଶେଷରେ ଯାଇ ପହଞ୍ଚିଲେ ସେଇ ହର ଉଦ୍ୟାନରେ। ସେତେବେଳେ ନାଗାର୍ଜୁନ ପାତାଳପୁର ଯାଇଥିଲେ ତାଙ୍କ ମାଆଙ୍କୁ ଦେଖିବା ପାଇଁ। ସେଦିନ ଥିଲା ତାଙ୍କର ଜନ୍ମଦିନ। ଫେରି ଦେଖନ୍ତି ତ ଗଣ୍ଡାକୁ ଅର୍ଜୁନ ବଧ କରିଦେଇଛନ୍ତି। ତେଣୁ ସେ କ୍ରୋଧିତ ହୋଇ ଅର୍ଜୁନଙ୍କ ସହ ଯୁଦ୍ଧ କରିଛନ୍ତି। ଅର୍ଜୁନଙ୍କୁ କୌଣସି ପ୍ରକାରେ ଜୟକରି ନ ପାରିବାରୁ ନାଗାର୍ଜୁନ ଶେଷରେ ପାଶୁପତ ଅସ୍ତ୍ର ପ୍ରୟୋଗ କରି ଅର୍ଜୁନଙ୍କୁ ବଧ କରିଦେଇଛନ୍ତି।

ଏ ଖବର ପାଇ ଶ୍ରୀକୃଷ୍ଣ ଓ ପାଣ୍ଡବମାନେ ଆସି ସେଠାରେ ପହଞ୍ଚିଲେ ଏବଂ ନାଗାର୍ଜୁନଙ୍କ ସହ ଯୁଦ୍ଧ କଲେ। ପୁତ୍ର ସଦୃଶ ମାନୁଥିବା ନାଗାର୍ଜୁନଙ୍କୁ ସହାୟତା କରିବା ପାଇଁ ଶିବ ମଧ୍ୟ ସେଠାରେ ଉପସ୍ଥିତ ହେଲେ। ଏ ଭୟଙ୍କର ଯୁଦ୍ଧକୁ ନ ରୋକିଲେ ପୃଥିବୀରେ ପ୍ରଳୟ ଆସିଯିବ ଜାଣି ନାରଦ ଯାଇ ବ୍ରହ୍ମାଙ୍କୁ ଯୁଦ୍ଧ ଅଟକାଇବା ପାଇଁ ନିବେଦନ କଲେ। ବ୍ରହ୍ମା ଆସି ଅନୁରୋଧ କରିବାରୁ ଯୁଦ୍ଧ ବନ୍ଦ ହେଲା। ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଯମରାଜା ଆସି ଉଭୟ ଗଣ୍ଡା ଓ ଅର୍ଜୁନଙ୍କୁ ବଞ୍ଚାଇଦେଲେ। ମାତୃ ଅଭିଶାପରୁ ଯମଙ୍କୁ ଏକ ମହାବ୍ୟାଧି ହୋଇଥିଲା ଏବଂ ଗୋଟିଏ ସ୍ଥାନରେ ତ୍ରିଦେବଙ୍କୁ ଦର୍ଶନ କଲେ ତାଙ୍କ ବ୍ୟାଧି ଦୂର ହେବ ବୋଲି ମାତା କହିଥିଲେ। ତେଣୁ ଶ୍ରୀକୃଷ୍ଣରୂପୀ ବିଷ୍ଣୁ, ବ୍ରହ୍ମା ଏବଂ ଶିବଙ୍କୁ ଦର୍ଶନ କରି ଯମରାଜଙ୍କର ରୋଗ ଭଲ ହୋଇଗଲା। ଯମରାଜଙ୍କ ଆଶୀର୍ବାଦରେ ମହାରାଜ ପଣ୍ଡୁଙ୍କୁ ମଧ୍ୟ ବ୍ରହ୍ମଲୋକ ପ୍ରାପ୍ତି ହେଲା ଏବଂ ଆଉ ଗଣ୍ଡାମାଂସରେ ଶ୍ରାଦ୍ଧର ଆବଶ୍ୟକତା ପଡ଼ିଲା ନାହିଁ।ଅର୍ଜୁନ ଜୀବନ୍ୟାସ ପାଇଲେ ମଧ୍ୟ ଅପମାନରେ ପୁନରାୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ। କାରଣ ତାଙ୍କ ମନରେ ଗୋଟିଏ ଅହଂକାର ଥିଲା ଯେ ଶ୍ରୀକୃଷ୍ଣଙ୍କ ବ୍ୟତୀତ ବିଶ୍ଵରେ ଆଉ କେହି ତାଙ୍କୁ ପରାଜିତ କରିପାରିବେ ନାହିଁ। ଗୋଟିଏ ବାଳକ ଦ୍ଵାରା ପରାଜିତ ତଥା ନିହତ ହୋଇଥିବାରୁ ସେ ଏହି ଅପମାନ ସହ୍ୟ କରି  ନ ପାରି ଆତ୍ମହତ୍ୟା କରିବାକୁ ଉଦ୍ୟତ ହୁଅନ୍ତେ ଶ୍ରୀକୃଷ୍ଣ ତାଙ୍କର ପଥରୋଧ କଲେ। ସେ କହିଲେ ଯେ ସେ ନିଜେ ହିଁ ନାଗାର୍ଜୁନ ରୂପରେ ତାଙ୍କୁ ପରାଜିତ ତଥା ବଧ କରିଥିଲେ ଏବଂ ତାହାର ପ୍ରମାଣ ଦେବା ପାଇଁ ସେ ନାଗାର୍ଜୁନ ବେଶ ଧାରଣ କରିଥିଲେ। ସେହି ଘଟଣାକୁ ସ୍ମରଣ କରିବା ପାଇଁ ଛଅଦିନିଆ ପଞ୍ଚୁକ ଭିତରେ ପଡ଼ୁଥିବା ମଳତିଥିରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହୋଇଥାଏ।

(ଲେଖକ ଜଣେ ବିଶିଷ୍ଟ ଜ୍ୟୋତିର୍ବିଦ୍। ମତାମତ ନିଜସ୍ଵ।)

Comment