ଓଡ଼ିଶାଲାଇଭ୍‌ ବ୍ୟୁରୋ

୫ ବର୍ଷ ବୟସରେ ୧୫ କିଲୋମିଟର ଦୌଡ଼ି ଉଦାହରଣ ସୃଷ୍ଟି କଲେ କେନ୍ଦ୍ରାପଡ଼ାର କୁନି ଝିଅ ମାମୁନି ମଳିକ।

(କେନ୍ଦ୍ରପଡ଼ାରୁ ନାରାୟଣ ସାହାଣୀ): ବୟସ ୫ବର୍ଷ ୫ ମାସ।  ହେଲେ ଏକା ଥରକେ ଦୌଡି ପାରୁଛି ୧୫ କିଲୋମିଟର। କେନ୍ଦ୍ରାପଡ଼ାର କୁନି ଝିଅ ମାମୁନି ମଳିକ ନିଜର ଏମତି ପ୍ରତିଭା ଦେଖାଇ ସମସ୍ତଙ୍କୁ ଏବେ ଚକିତ କରିଛନ୍ତି। ଭବିଷ୍ୟତରେ ସେ ଭାରତର ଦୌଡ଼ରାଣୀ ହେବେ ବୋଲି ସମସ୍ତେ କହୁଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନିଆଳହାଟ ତୋଟାସାହି ଗାଁର ପ୍ରଦୀପ ମଳିକଙ୍କ ସାନ ଝିଅ  ହେଲେ ମାମୁନି ମଳିକ। ଭଲକରି ପାଟି ଖୋଲିନି। ହାତରେ ଖାଇ ସିଖିନି। କିନ୍ତୁ ତାଙ୍କର ଦୌଡ଼ିବା ପ୍ରତିଭା ସମସ୍ତଙ୍କ ନଜରକୁ ଆସିଛି। ୧୫ କିଲୋମିଟର ଦୌଡ଼ିବା ପରେ ବି ସେ ଥକି ନାହାନ୍ତି।

ଗତ କୋଭିଡ ଲକ୍ ଡାଉନ ସମୟରେ ଆଳିକୁ ଆସିଥିଲେ ସେନା କର୍ମଚାରୀ। ବ୍ୟାୟାମ କରିବାକୁ ସେମାନେ କଟକ ଚାନ୍ଦବାଲି ରାସ୍ତାରେ ଆଳିରୁ ପଟ୍ଟାମୁଣ୍ଡାଇ ୧୫ କିଲୋମିଟର ଦୌଡୁଥିଲେ। ହେଲେ ମାମୁନିର ପାଦ ମଧ୍ୟ ଏମାନଙ୍କ ସହ ତାଳ ଦେଉଥିଲା। ଏଇ କଅଁଳ ବୟସର କୁନିକୁନି ପାଦର ତାକତ୍ ସେମାନଙ୍କୁ ବିସ୍ମିତ କରିଥିଲା। ସେବେଠୁ ମାମୁନି ନିୟମିତ ଭାବେ ଦୌଡ଼ିବା ଅଭ୍ୟାସ ଜାରି ରଖିଛନ୍ତି।  ପ୍ରତିଦିନ ମାମୁନି ତାର ବଡ ଭଉଣୀ ସହିତ ଆଳି ଷ୍ଟାଡିୟମରେ ଦୌଡୁଛନ୍ତି।

ଏକି କୁନି ପ୍ରତିଭା କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଆଭିଭୂତ କରିଛି। ମାମୁନିକୁ ଜିଲ୍ଲାପାଳ ଫୁଲତୋଡା ଓ ଚକୋଲେଟ୍ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଆଗକୁ ମାମୁନିର ଏହି ଉଜ୍ଜ୍ୱଳ ଭବିଷ୍ୟତ କିପରି ଜାଜୁଲ୍ୟ ହୋଇ ରହିବ ସେପାଇଁ ଜିଲ୍ଲାପାଳ ସହାୟତା କରିବେ ବୋଲି କଥା ଦେଇଛନ୍ତି।

ମାମୁନିର ଏହି ପ୍ରତିଭାର ସଠିକ ଯତ୍ନ ନିଆଗଲେ ମାମୁନି ନିଶ୍ଚୟ ଦିନେ ଖାଲି ଭାରତର ଦୌଡରାଣୀ ହୋଇପାରିବ ବୋଲି କ୍ରୀଡାବିତମାନେ ଆଶା କରିଛନ୍ତି।

Comment