ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭୟକାନ୍ତ ପାଠକଙ୍କ ସାମ୍ରାଜ୍ୟର ଗୁମର ଖୋଲିବ ଏସ୍‌ଆଇଟି ଟିମ୍‌।

ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ ସ୍ଵତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି)। ତାଙ୍କ ପାଖରେ ଏତେ ସମ୍ପତ୍ତି ଆସିଲା କେଉଁଠୁ ସେନେଇ ତଦନ୍ତ କରାଯିବ। ତଦନ୍ତ ପ୍ରକ୍ରିୟାରେ ବ୍ୟାଙ୍କ ଏବଂ ବନ ଅଧିକାରୀଙ୍କ ସମେତ ସମ୍ପର୍କୀୟମାନଙ୍କୁ ପଚରା ଉଚରା କରାଯିବ।ଏଥିସହ କେଉଁ କେଉଁ ସଂସ୍ଥାରୁ ମହଙ୍ଗା ଯାନ କିଣାଯାଇଛି ଏବଂ କେଉଁ କେଉଁ ସ୍ଥାନରେ ସେ ସମ୍ପତ୍ତି ନିବେଶ କରିଛନ୍ତି ଏସବୁର ଯାଞ୍ଚ ହେବ। ତଦନ୍ତ ବେଳେ ଜବତ ହୋଇଥିବା ବହୁମୂଲ୍ୟ ରେକର୍ଡ ଓ ଦଲିର ଗୋଟି ଗୋଟିକରି ଯାଞ୍ଚ କରାଯିବ। ଶନିବାର ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ନବନିଯୁକ୍ତ ଏସ୍‌ଆଇଟିର ଏକ ୨୦ଜଣିଆ ଟିମ୍‌ ବୈଠକ କରି ଆଇଏଫ୍‌ଏସ୍‌ ଅଭୟଙ୍କ ମାମଲାର ତଦନ୍ତ ପାଇଁ ଏହି ଯୋଜନା ପ୍ରସ୍ତୁତ କରିଛନ୍ତି।ଜଙ୍ଗଲ ବିଭାଗର ଅତିରିକ୍ତ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ (ଏପିସିସିଏଫ୍) ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ନାଁରେ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବାର ଅଭିଯୋଗ ଆସିଛି। ତାଙ୍କ ନାଁରେ ଏହି ଅଭିଯୋଗ ଆସିବେ ପରେ ନଭେମ୍ଵର ୨୫ରେ ସ୍ଵତନ୍ତ୍ର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଭିଜିଲାନ୍ସ ଅଭୟଙ୍କୁ ବିଭିନ୍ନ ଘର ଏବଂ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରୁ ଭିଜିଲାନ୍ସକୁ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିଥିଲା।

ଆଇଏଫ୍‌ଏସ୍ ଅଭୟ ପାଠକଙ୍କ ସମ୍ପତ୍ତିର ପରିମାଣ ଏତେ ରହିଛି ଯେ, ଭିଜିଲାନ୍ସକୁ ଏହାକୁ ସଠିକ୍‌ ରୂପେ ଆକଳନ କରିବାରେ ଅସୁବିଧା ହୋଇଥିଲା। ତେଣୁ ଏଥିପାଇଁ ଜଣେ ଚାଚାର୍ଡ ଆକାଉଣ୍ଟାଣ୍ଟଙ୍କ ସହାୟତା ମଧ୍ୟ ନିଆଯାଇଛି। ତେବେ କେବଳ ଅଭୟ ଯେ ନୁହେଁ ତାଙ୍କ ପୁଅ ଆକାଶ ପାଠକ, ପୁତୁରା ଏବଂ ଡ୍ରାଇଭରଙ୍କ ନାଁରେ ପୁଳା ପୁଳା ସମ୍ପତ୍ତି ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା। ଅଭୟଙ୍କ ଦାମୀ ସମ୍ପତ୍ତି

ଆଇଏଫ୍‌ଏସ୍‌ ଅଭୟଙ୍କ ସମ୍ପତ୍ତିର ସଂପୂର୍ଣ୍ଣ ଆକଳନ କରାଯାଇନଥିଲେ ମଧ୍ୟ ଭିଜିଲାନ୍ସର ତଥ୍ୟ ଆଧାରରେ ସରକାରୀ ବାବୁଙ୍କର ସଉକ ଥିଲା ବେଶ୍ ଦାମୀ। ବଡ଼ ଘର, ଦାମୀ ଗାଡ଼ି ଏପରିକି ଚାଟାର୍ଡ ପ୍ଲେନ୍‌ ଆଦିରେ ବୁଲିବା ଭଳି ଦାମୀ ଜୀବନଯାପନ କରୁଥିଲେ ଅଭୟ। ସେ ଲକ୍‌ଡାଉନ ଅବଧି ଭିତରେ ୨୦ଥର ଚାଟାର୍ଡ ପ୍ଲେନ୍‌ରେ ଭ୍ରମଣ କରି ୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ଭୁବନେଶ୍ଵରରେ ତାଙ୍କର ୮ ହଜାର ସ୍କୋୟାର ଫୁଟ୍‌ର ଏକ ଆପାର୍ଟମେଣ୍ଟ ରହିଛି। ଏହି ଆପାର୍ଟମେଣ୍ଟରେ ଇଟାଲୀଆନ୍ ମାର୍ବଲ ଏବଂ ଅନେକ ଦାମୀ ଉପକରଣର ବ୍ୟବହାର କରାଯାଇଛି। ଏଥିସହିତ ପୁନେରେ ସେ ଘର ଭଡ଼ା ବାବଦକୁ ମାସକୁ ୫ ଲକ୍ଷ ଟଙ୍କା ଦେଉଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।ଡ୍ରାଇଭରଙ୍କ ଅଳିଆଗଦାରୁ ୨୦ ଲକ୍ଷ

ଅଭୟଙ୍କ ସମ୍ପତ୍ତିର ଚେର ବହୁ ଦୂରକୁ ଲମ୍ଵିଛି। ଗୁରୁବାର ଭିଜିଲାନ୍ସ ସେହି ଚେରକୁ ଖୋଳିବା ପାଇଁ ପିପିଲିସ୍ଥିତ ଅଭୟଙ୍କ ଡ୍ରାଇଭରଙ୍କ ଘରେ ପହଞ୍ଚିଥିଲା। ସେଠାରେ ଭିଜିଲାନ୍ସକୁ ଡ୍ରାଇଭରଙ୍କ ବାରିପଟ ଅଳିଆଗଦାରୁ ନଗଦ ୨୦ ଲକ୍ଷ ଟଙ୍କା ମିଳିଥିଲା। ସେହିପରି ଅଭୟଙ୍କ ପୁତୁରା ବି ଅଭୟଙ୍କ କଳା ଟଙ୍କାର ଅଂଶୀଦାର ଥିଲେ। ସେ ଚଳାଉଥିବା ଏକ ଡେଣ୍ଟାଲ କ୍ଲିନିକ୍‌ରୁ ଭିଜିଲାନ୍ସକୁ ମୋଟା ଅଙ୍କର ଟଙ୍କା ମିଳିଥିଲା।ବାପାଙ୍କଠାରୁ ବଳିଯାଇଥିଲେ ପୁଅ ଆକାଶ ପାଠକ

ଅଭୟଙ୍କଠାରୁ ତାଙ୍କ ପୁଅ ଆକାଶଙ୍କ ସଉକ ଥିଲା ବେଶ୍ ନିଆରା। ବୃତ୍ତି ହିସାବରେ କିଛି କରୁନଥିଲେ ସୁଦ୍ଧା ସୋସିଆଲ ମିଡିଆ ଆକାଉଣ୍ଟରେ ନିଜକୁ ଟାଟା ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ସଜାଇଥିଲେ ଆକାଶ। ତାଙ୍କର ଏହି ଚାକଚକ୍ୟ ଜୀବନ ପାଇଁ ଓଡ଼ିଶାର ଜଣେ ପୂର୍ବତନ ମନ୍ତ୍ରୀଙ୍କ ଝିଅ ସହିତ ତାଙ୍କର ପ୍ରେମ ସମ୍ପର୍କ ମଧ୍ୟ ରହିଛି। ଏଥିସହିତ ଅଭୟଙ୍କ ସମ୍ପତ୍ତିର ସିଂହଭାଗ ଅର୍ଥ ପ୍ରାୟ ୯ କୋଟି ୪୦ ଲକ୍ଷ ଟଙ୍କା ପୁଅ ଆକାଶ ପାଠକଙ୍କ ନାମରେ ଏକାଧିକ ଆକାଉଣ୍ଟରେ ରହିଛି।ଭିଜିଲାନ୍ସର ତଥ୍ୟ ଅନୁସାରେ କେବଳ ୮ କୋଟି ୪୦ ଲକ୍ଷ ଟଙ୍କା ସହିଦନଗର ଏବଂ ନୟାପଲ୍ଲୀ ଅଞ୍ଚଳରେ ଥିବା ଏଟିଏମ୍‌ ମାଧ୍ୟମରେ ଜମା କରାଯାଇଛି। ତେଣୁ ପୂରା ଅୟସ ଆରାମରେ ଜୀବନ ବିତାଉଥିଲେ ଆକାଶ ପାଠକ। ଖାଲି ଯେ ଦାମୀ ଗାଡ଼ି କି ଘର ନୁହେଁ, ଦାମୀ କୁକୁର ରଖିବାର ସଉକ୍ ବି ସେ ରଖିଥିଲେ। ଆକାଶ ରଖିଥିଲେ ଏକ ପଗ୍ ପ୍ରଜାତିର ଛୋଟ ବିଦେଶୀ କୁକୁର। ଯାହାର ଦାମ୍ ୧ଲକ୍ଷ ଟଙ୍କାରୁ ଅଧିକ ହେବ। ପୁନେରେ ରହୁଥିବା ଫ୍ଲାଟରେ ଲଗାଇଥିଲେ ୨ଲକ୍ଷ ଟଙ୍କିଆ ୭୫ଇଞ୍ଚର ଏଲଇଡି ଟିଭି, ସାଉଣ୍ଡ ସିଷ୍ଟମ୍। ଖାଲି ନାମୀଦାମୀ କାର୍‌ ନୁହେଁ, ବାଇକ୍‌ର ମଧ୍ୟ ଆକାଶଙ୍କର ସଉକ୍ ଥିଲା। ତାଙ୍କ ପାଖରୁ ଜବତ ହୋଇଥିବା ଦାମୀ ଗାଡ଼ି ଭିତରୁ ଗୋଟିଏ ମର୍ସିଡିଜର ମୂଲ୍ୟ ୧କୋଟି ୬୦ଲକ୍ଷ ଟଙ୍କା ହେବ। ସେହିପରି ଏକ ମହିନ୍ଦ୍ରା ଜାଭା ବାଇକ୍ ଯାହାର ଦାମ୍ ପ୍ରାୟ ୨ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ଅନୁମାନ କରିଛି।ହାତଗଣ୍ଠି ପୂର୍ବରୁ ହାତକଡ଼ି

ଆଇଏଫଏସ୍ ଅଫିସର ଅଭୟକାନ୍ତଙ୍କ ପୁଅ ଆକାଶଙ୍କର ଆଉ ମାତ୍ର ୧୫ ଦିନ ପରେ ବାହାଘର ହୋଇଥାନ୍ତା। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କୁ ଡିସେମ୍ବର ୧୧ରେ ବିବାହ କରିଥାନ୍ତେ ଆକାଶ। ଏଥିପାଇଁ ସବୁ ପ୍ରସ୍ତୁତି ସରିଥିଲା। ରାଜସ୍ଥାନ ଉଦୟପୁରରେ ବଡ଼ ପ୍ୟାଲେସ୍‌ ବି ବୁକିଂ ହୋଇସାରିଥିଲା। ବିବାହ ପୂର୍ବରୁ ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହୋଇଯାଇଥିଲା ଉତ୍ସବ। କିନ୍ତୁ ତା’ ପୂର୍ବରୁ ସବୁ କିଛି ଓଲଟପାଲଟ ହୋଇଗଲା। ପୁନେରେ ବିପୁଳ କଳା ସାମ୍ରାଜ୍ୟର ବାଦଶାହା ପାଲଟିଥିବା ଆକାଶକୁ ଫିଲ୍ମ ଷ୍ଟାଇଲରେ ଉଠାଇ ନେଇଥିଲା ଭିଜିଲାନ୍ସ। ଗୁରୁବାର ତାଙ୍କୁ ମୁମ୍ବାଇରୁ ଭୁବନେଶ୍ଵର ଆଣି ରାତିତମାମ୍ ଜେରା କରିବା ପରେ ଗିରଫ କରିଥିଲା ଭିଜିଲାନ୍ସ। ହାତଗଣ୍ଠି ପୂର୍ବରୁ ଆକାଶଙ୍କ ହାତରେ ପଡ଼ିଯାଇଥିଲା ହାତକଡ଼ି।

Comment