ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟାସନାଲ ସର୍ଭିସ ସ୍କିମ(ଏନ୍ଏସ୍ଏସ୍)ର କଣ୍ଟିଜେଣ୍ଟ ଚୟନ ପାଇଁ ଆୟୋଜିତ ହୋଇଥିବା ପୂର୍ବାଞ୍ଚଳ ପ୍ରି ରିପବ୍ଲିକ୍ ଡେ କ୍ୟାମ୍ପ ଉଦଯାପିତ ହୋଇଛି। ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ରେ ଗତ ୧୦ ଦିନ ଧରି ଏହି କ୍ୟାମ୍ପ ଆୟୋଜିତ ହୋଇଥିବାବେଳେ ମଙ୍ଗଳାବାର ଏହା ଶେଷ ହୋଇଛି।

ନଭେମ୍ବର ୨୨ ତାରିଖରୁ ଏହି କ୍ୟାମ୍ପ ଆରମ୍ଭ ହୋଇଥିଲା। ମଙ୍ଗଳବାର ଶେଷ ଦିନରେ ଉଚ୍ଚଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ କହିଛନ୍ତି ଯେ,  ସମାଜ ଗଠନ ନିମନ୍ତେ ଏନଏସ୍‌ଏସ୍ ଏକ ସଂଗଠିତ ଉଦ୍ୟମ ଏବଂ ସାମାଜିକ ସେବା ମାଧ୍ୟମରେ ଏହା ଯୁବପିଢ଼ିଙ୍କର ଚରିତ୍ର ଗଠନରେ ସହାୟକ ହୋଇଥାଏ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ୧୦ ରୁ ୨୪ ବର୍ଷ ମଧ୍ୟରେ ୩୬ କୋଟି ଯୁବପିଢ଼ି ରହିଛନ୍ତି। ଏହା ହେଉଛି ବିଶ୍ୱର ସବୁଠାରୁ ବୃହତମ ଯୁବଶକ୍ତି। ଏମାନେ ଦେଶର ସେବା କରିବା ନିମନ୍ତେ ଆଗକୁ ଆସିବା ଉଚିତ୍। ଏନ୍‌ଏସ୍‌ଏସ୍ ଭଳି ସଂଗଠନଗୁଡ଼ିକ ଦେଶ ଗଠନ ଓ ବିକାଶ ନିମନ୍ତେ ଯୁବକଙ୍କୁ ବିନିଯୋଗ କରିବା ଉଚିତ୍  ବୋଲି ମନ୍ତ୍ରୀ କହିଛନ୍ତି।ଏହି ଅବସରରେ ବିଶିଷ୍ଟ ସମାଜସେବୀ ତଥା ନୀତି ଆୟୋଗ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଜଗଦାନନ୍ଦ ଏବଂ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଏସ୍ ଭୁବନେଶ୍ୱର ଶାଖାର ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ୍‌, ଏନ୍‌ଏସ୍‌ଏସ୍‌ର ଆସିଷ୍ଟାଣ୍ଟ ପ୍ରୋଗ୍ରାମ୍ ଆଡଭାଇଜର୍ କମଳ କୁମାର କର, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ସୋଆର ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ନଚିକେତା କେ ଶର୍ମା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ।

କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଏବଂ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କ୍ୟାମ୍ପରେ ପୂର୍ବାଞ୍ଚଳ ଓ ଉତର ପୂର୍ବାଞ୍ଚଳର ୧୦ ଟି ରାଜ୍ୟରୁ ୧୦୦ ଝିଅ ଓ ୧୦୦ ପୁଅ ଯୋଗ ଦେଇଥିଲେ। ଓଡ଼ିଶା, ପଶ୍ଚିମବଙ୍ଗ, ସିକିମ୍‌, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ତ୍ରିପୁରା, ମଣିପୁର, ମିଜୋରାମ୍ ଏବଂ ନାଗାଲାଣ୍ଡର ସ୍ୱେଚ୍ଛାସେବୀ ମାନେ ଏହି କ୍ୟାମ୍ପରେ ଯୋଗଥିଲେ।  କୋଭିଡ ଗାଇଡ୍‌ଲାଇନ୍ ଅନୁଯାୟୀ ଏହି କ୍ୟାମ୍ପ ପରିଚାଳନା କରାଯାଇଥିଲା। ଏହି କ୍ୟାମ୍ପରୁ ୪୦ ଜଣ ସ୍ୱେଚ୍ଛାସେବୀଙ୍କୁ ନୂଆଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡ ନିମନ୍ତେ ମନୋନୀତ କରାଯିବ।

Comment